ଗାଜିଆବାଦ: ବ୍ୟାଟେରୀ ଚାର୍ଜିଂ ବେଳେ ଫାଟିଲା ଇ-ସ୍କୁଟର; ନିଆଁରେ ଜଳି ପାଉଁଶ ହେଲା ଘରର ଜିନିଷପତ୍ର

ବ୍ୟାଟେରୀ ଚାର୍ଜିଂ ବେଳେ ଫାଟିଲା ଇ-ସ୍କୁଟର। ଘଟଣା ଉତ୍ତର ପ୍ରଦେଶର ଗାଜିଆବାଦର। ଏଠାରେ ଏକ ଘରେ ଇଲେକ୍ଟ୍ରିକ୍‌ ସ୍କୁଟର ଚାର୍ଜିଂ ବେଳେ ସେଥିରେ ନିଆଁ ଲାଗିଯାଇଥିଲା।

ବ୍ୟାଟେରୀ ଚାର୍ଜିଂ ବେଳେ ଫାଟିଲା ଇ-ସ୍କୁଟର। ଘଟଣା ଉତ୍ତର ପ୍ରଦେଶର ଗାଜିଆବାଦର। ଏଠାରେ ଏକ ଘରେ ଇଲେକ୍ଟ୍ରିକ୍‌ ସ୍କୁଟର ଚାର୍ଜିଂ ବେଳେ ସେଥିରେ ନିଆଁ ଲାଗିଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ସ୍କୁଟର ସହିତ ଘରର ଜିନିଷପତ୍ର ମଧ୍ୟ ଜଳି ପାଉଁଶ ହୋଇଯାଇଛି। ଘର ମାଲିକ କହିଛନ୍ତି ଯେ ଏହି ଦୁର୍ଘଟଣାରେ ତାଙ୍କର ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି।

ସୂଚନା ମୁତାବକ, ଘଟଣା ଗାଜିଆବାଦର ମୋହଲ୍ଲା ନୁରଗଞ୍ଜ କଲୋନୀର। ଏଠାରେ ତସ୍‌ଲିମଙ୍କ ପରିବାର ରୁହନ୍ତି। ବୁଧବାର ରାତିରେ ତସ୍‌ଲିମଙ୍କ ପୁଅ ସୁବ୍‌ହାନ ନିଜର ଇଲେକ୍ଟ୍ରିକ୍‌ ସ୍କୁଟରକୁ ଚାର୍ଜରେ ଲଗାଇଥିଲେ। ଏହାର କିଛି ସମୟ ପରେ ସେଥିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା ଏବଂ ସ୍କୁଟରରେ ନିଆଁ ଲାଗିଯାଇଥିଲା।

ପରିବାର ଲୋକେ କିଛି ଭାବିବା ଆଗରୁ ନିଆଁ ଉଗ୍ର ରୂପ ଧାରଣ କରିଥିଲା। ନିଆଁ ସଂସ୍ପର୍ଶରେ ଆସି ଘରର ଜିନିଷପତ୍ର ଜଳି ପାଉଁଶ ହୋଇଯାଇଥିଲା। ଖବର ପାଇ ଆଖପାଖର ଲୋକେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ଅନେକ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ସୌଭାଗ୍ୟବଶତଃ, ଦୁର୍ଘଟଣାରେ କେହି ଆହତ ହୋଇ ନାହାନ୍ତି।

ବିଶେଷଜ୍ଞମାନଙ୍କ କହିବା ହେଲା, ଚାର୍ଜିଂ ସମୟରେ ବ୍ୟାଟେରୀର ତାପମାତ୍ରା ବଢ଼ିଯାଇଥାଏ। ଏଭଳି ସ୍ଥିତିରେ ଶର୍ଟ ସର୍କିଟ୍‌ ହେବାର ସମ୍ଭାବନା ଅଧିକ ଥାଏ। ସେହିପରି ରାସ୍ତାରେ ଚାଲୁଥିବା ବେଳେ ଇ-ସ୍କୁଟରରେ ନିଆଁ ଲାଗିଯିବାର ଅନେକ ଘଟଣା ମଧ୍ୟ ସାମ୍ନାକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.