ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି, ସାଂଘାତିକ ହେଉଛି ସ୍ଥିତି

ଧୀରେ ଧୀରେ ବିଗୁଡ଼ୁଛି ଶ୍ରୀଲଙ୍କାର ସ୍ଥିତି। ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଏହି ଛୋଟ ଦ୍ୱୀପ। ଦେଶର ସ୍ଥିତି ଖରାପ ହେବା ଗୋଟେ ପଟେ ସଙ୍କଟ ବଢ଼ାଉଥିବା ବେଳେ ଏବେ ଲୋକମାନେ ବି ବିରୋଧ ପ୍ରଦର୍ଶନ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି। ରାଷ୍ଟ୍ରପତି ଗୋତବୟା ରାଜପକ୍ଷେଙ୍କ ଇସ୍ତଫା ଦାବି କରି ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ଏଭଳି ସ୍ଥିତିରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ ଦେଶରେ ଜରୁରୀକାଳୀନ ସ୍ଥିତି ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। କଲମ୍ବୋ ଦକ୍ଷିଣ, କଲମ୍ବୋ ଉତ୍ତର, କଲମ୍ବୋ ସେଣ୍ଟ୍ରାଲ ଓ ନୁଗେଗୋଡ଼ା ପୋଲିସ ଡିଭିଜନ୍‌ରେ କର୍ଫ୍ୟୁ ଜାରି ହୋଇଥିବା ନେଇ ଖବର ମିଳିଛି।

ଦେଶରେ ଏମରଜେନ୍ସି ଲାଗୁ ହୋଇଥିବା ନେଇ ସରକାର କହିଛନ୍ତି, ଦେଶର ସୁରକ୍ଷା ଓ ସେବାକୁ ସଠିକ୍‌ ଭାବେ ପରିଚାଳନା କରିବା ପାଇଁ ଏହା ଜରୁରୀ ଥିଲା। ଏବେ ଶ୍ରୀଲଙ୍କାରେ ଏପ୍ରିଲ ୧ରୁ ଜରୁରୀକାଳୀନ ସ୍ଥିତି ଲାଗୁ ହୋଇଛି। ଆର୍ଥିକ ସଙ୍କଟ ଯୋଗୁ ରାଷ୍ଟ୍ରପତିଙ୍କ ବିରୋଧରେ ଜନତାମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଗତ ଗୁରୁବାର ଲୋକମାନେ ରାଷ୍ଟ୍ରପତି ଭବନ ସାମ୍ନାରେ ବିରୋଧ ପ୍ରଦର୍ଶନ କରି ହିଂସ୍ର ହୋଇପଡ଼ିଥିଲେ। ଏ ଅବସରରେ ପୋଲିସକୁ ପାଣି ମାଡ଼ କରିବା ସହ ଲାଠି ଚାର୍ଜ କରିବାକୁ ପଡ଼ିଥିଲା। ତା’ପରେ ଯାଇ ଭିଡ଼ ନିୟନ୍ତ୍ରଣକୁ ଆସିଥିଲା।

ରାଷ୍ଟ୍ରପତି ଭବନ ବାହାରେ ବିଦ୍ରୋହ କମ୍‌ ହେବା ପରେ ଏବେ ସାଧାରଣ ଜନତା ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିବା ଆରମ୍ଭ କରି ଦେଇଛନ୍ତି। ପୋଲିସ ବି ଏବେ ଲୋକଙ୍କୁ କାବୁ କରିବାକୁ ଲୁହ ବୁହା ଗ୍ୟାସ୍‌ ପ୍ରୟୋଗ କରିବାକୁ ବାଧ୍ୟ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଶ୍ରୀଲଙ୍କାରେ ଏବେ ବିଜୁଳି, ପେଟ୍ରୋଲ ଡିଜେଲ, ଟ୍ରାନ୍ସପୋର୍ଟ ସେବା ଉପରେ ଖରାପ ପ୍ରଭାବ ପଡ଼ିବା ଆରମ୍ଭ ହୋଇଗଲାଣି। ଦେଶର ଆର୍ଥିକ ସ୍ଥିତି ଭୁଶୁଡ଼ି ପଡ଼ିବା ଯୋଗୁ ଏବେ ଦେଶରେ ଜରୁରୀକାଳୀନ ସ୍ଥିତି ଲାଗୁ କରିଛନ୍ତି ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.