ଭଉଣୀକୁ କପି ଯୋଗାଇବା ପାଇଁ ଭାଇ ସାଜିଥିଲା ନକଲି ପୋଲିସ, ଭୁଲ୍ ଢଙ୍ଗରେ ସାଲ୍ୟୁଟ୍ ମାରିବା ପଡ଼ିଲା ମହଙ୍ଗା
ମହାରାଷ୍ଟ୍ରର ଅକୋଲାରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ମାମଲା । ଏଠାରେ ଦ୍ୱାଦଶ ପରୀକ୍ଷାରେ ଭଉଣୀକୁ କପି ଯୋଗାଇବା ପାଇଁ ଜଣେ ଯୁବକ ନକଲି ପୋଲିସ କର୍ମୀ ସାଜିଥିଲେ ।

ମହାରାଷ୍ଟ୍ରର ଅକୋଲାରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ମାମଲା । ଏଠାରେ ଦ୍ୱାଦଶ ପରୀକ୍ଷାରେ ଭଉଣୀକୁ କପି ଯୋଗାଇବା ପାଇଁ ଜଣେ ଯୁବକ ନକଲି ପୋଲିସ କର୍ମୀ ସାଜିଥିଲେ । ପରୀକ୍ଷା କେନ୍ଦ୍ରରେ ଯେତେବେଳେ ସେ ଅଧିକାରୀମାନଙ୍କୁ ସାଲ୍ୟୁଟ୍ ମାରିଥିଲେ, ତ ତାଙ୍କ ସାଲ୍ୟୁଟ୍ ମାରିବାର ଶୈଳୀରୁ ସେ ଧରାପଡ଼ିଥିଲେ । ଏହି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ସୂଚନା ମୁତାବକ, ଅକୋଲାସ୍ଥିତ ଏକ ଊର୍ଦ୍ଦୁ ହାଇସ୍କୁଲରେ ଦ୍ୱାଦଶ ପରୀକ୍ଷା ଚାଲିଥିଲା । ଏଠାରେ ଜଣେ ଯୁବକ ପରୀକ୍ଷା ସମୟରେ ପୋଲିସ ବର୍ଦ୍ଦି ପିନ୍ଧି ପହଞ୍ଚିଥିଲେ । ପରୀକ୍ଷା କେନ୍ଦ୍ରରେ ଯେତେବେଳେ ବରିଷ୍ଠ ଅଧିକାରୀମାନେ ପହଞ୍ଚିଥିଲେ, ସେ ସେମାନଙ୍କୁ ଦେଖି ସାଲ୍ୟୁଟ୍ ମାରିଥିଲେ । ହେଲେ ସାଲ୍ୟୁଟ୍ ମାରିବାର ଢଙ୍ଗ ତାଙ୍କର ଭୁଲ୍ ଥିଲା ।
ଅଧିକାରୀମାନେ କହିଛନ୍ତି ଯେ ଧରାପଡ଼ିଥିବା ଯୁବକଙ୍କ ନାମ ଅନୁପମ୍ ମଦନ ଖଣ୍ଡାରେ । ତାଙ୍କ ବୟସ ୨୪ । ସେ ପାଙ୍ଗରା ବାନ୍ଦିରେ ରୁହନ୍ତି । ଊର୍ଦ୍ଦୁ ହାଇସ୍କୁଲରେ ତାଙ୍କ ଭଉଣୀ ପରୀକ୍ଷା ଦେଉଥିଲେ । ସେ ଭଉଣୀକୁ କପି ଯୋଗାଇବା ପାଇଁ ନକଲି ପୋଲିସ ସାଜି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ । ଅନୁପମ କେନ୍ଦ୍ର ଭିତରେ ବୁଲୁଥିଲେ । ଏହି ସମୟରେ କେନ୍ଦ୍ରର ସୁରକ୍ଷା ପାଇଁ ପାତୁର ଥାନା ଇନ୍ସପେକ୍ଟର କିଶୋର ଶେଲକେ ନିଜ ଟିମ୍ ସହିତ ସେଠାରେ ପହଞ୍ଚିଥିଲେ । ବରିଷ୍ଠ ଅଧିକାରୀଙ୍କୁ ଦେଖି ଅନୁପମ ସାଲ୍ୟୁଟ୍ ମାରିଥିଲେ । ହେଲେ ଅଧିକାରୀ ତାଙ୍କ ସାଲ୍ୟୁଟ୍ ଦେଖି ସନ୍ଦେହ ପ୍ରକାଶ କରିଥିଲେ ।
ଯୁବକ ଜଣକ ଯେଉଁ ବର୍ଦ୍ଦି ପିନ୍ଧିଥିଲେ, ସେଥିରେ ଲାଗିଥିବା ନେମ୍ ପ୍ଲେଟ୍ ମଧ୍ୟ ଭୁଲ୍ ଥିଲା । ଏହି ଘଟଣାରେ ପୋଲିସ ତାଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁୁଜୁ କରି ତାଙ୍କୁ ଗିରଫ କରିଛି ।