ପେଟରୁ କାଟି ଅପରେସନ୍‌ ପାଇଁ ଆଲମାରୀରେ ୨ ଲକ୍ଷ ଟଙ୍କା ସଞ୍ଚିଥିଲେ କୃଷକ, ମୂଷା କାଟି ଦେଲା ସବୁ ନୋଟ୍‌

ତେଲେଙ୍ଗାନାରେ ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କର ପାଖାପାଖି ୨ ଲକ୍ଷ ଟଙ୍କାକୁ ମୂଷା କାଟି ନଷ୍ଟ କରି ଦେଇଛି। ମେହବୁବାବାଦ ଜିଲ୍ଲାରେ ରହୁଥିବା ଜଣେ କୃଷକ ଚିକିତ୍ସା ପାଇଁ ୨ଲକ୍ଷ ଟଙ୍କା ଲୁଚାଇ ରଖିଥିଲେ, ଯାହା ମୂଷାଙ୍କ ହାବୁଡ଼ରେ ପଡ଼ିଯାଇଥିଲା। ସେମାନେ ଟଙ୍କାକୁ ଗୁଣ୍ଡ ଗୁଣ୍ଡ କରି କାଟି ପକାଇଛନ୍ତି।

ରିପୋର୍ଟ ମୁତାବକ, ରେଡ୍ୟା ନାଇକ ନାମକ ଜଣେ ବ୍ୟକ୍ତି ପେଟର ଅପରେସନ୍‌ ପାଇଁ ଟଙ୍କା ସଞ୍ଚୟ କରିଥିଲେ। ପେଟରେ ବଢ଼ୁଥିବା ଏକ ମାଂସ ପିଣ୍ଡୁଳାର ସର୍ଜରୀ ପାଇଁ ତାଙ୍କୁ ୪ ଲକ୍ଷ ଟଙ୍କା ଦରକାର ଥିଲା। କିଛି ନିଜ ସଞ୍ଚୟ ଆଉ କିଛି ସାଙ୍ଗ ସାଥୀ ବନ୍ଧୁବାନ୍ଧବଙ୍କ ଠାରୁ ସେ ଧାରଉଧାର କରି ଆଲମାରୀରେ ରଖିଥିଲେ। ମଙ୍ଗଳବାର ସେ ହସ୍ପିଟାଲ ଯିବା ପାଇଁ ଉକ୍ତ ବ୍ୟାଗ୍‌ ଖୋଲିବା ବେଳକୁ ସବୁ ତକ ଟଙ୍କାକୁ ମୂଷା କାଟି ଦେଇଥିବା ଦେଖିବାକୁ ପାଇଥିଲେ।

rat
Image Credit: Punjab kesari

ଚାଷ କରି ପେଟ ପୋଷୁଥିବା ରେଡ୍ୟା ଏହା ଦେଖିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଏନେଇ ସେ କହିଛନ୍ତି, ଦୟାକରି ଏହି ନୋଟ୍‌କୁ ବଦଳାଇ ମୋତେ ନୂଆ ନୋଟ୍‌ ଦିଆଯାଉ। ଏଥିପାଇଁ ସେ ବ୍ୟାଙ୍କ ସହ ମଧ୍ୟ ଯୋଗାଯୋଗ କରିଥିଲେ। କିନ୍ତୁ ଅଧିକାରୀ କହିଥିଲେ ଯେ ଏହା ସମ୍ଭବ ନୁହେଁ।

ରେଡ୍ୟାଙ୍କ ସହ ହୋଇଥିବା ଏହି ଘଟଣା ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ରାଜ୍ୟର ମହିଳା କଲ୍ୟାଣ ମନ୍ତ୍ରୀ ସତ୍ୟବତୀ ରାଠୋର ତାଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ରବିବାର ଦିନ ସେ କୃଷକଙ୍କ ଆଶ୍ୱାସନା ଦେଇ କହିଛନ୍ତି ସେ ଯେଉଁଠାରେ ଚାହିଁବେ ସେଠାରେ ଅପରେସନ୍‌ କରାଇପାରିବେ ଓ ମନ୍ତ୍ରୀ ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିବେ।

You might also like