କୃଷି ଆଇନ୍‌କୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀଙ୍କ ଆତ୍ମହତ୍ୟା, ଫାଶୀ ଦେଇ ହାରିଲେ ଜୀବନ

କେନ୍ଦ୍ରର ନୂଆ କୃଷି ଆଇନ୍‌କୁ ବିରୋଧ କରି କୃଷକମାନେ ପାଖାପାଖି ବର୍ଷେ ହେଲାଣି ଦିଲ୍ଲୀ-ପଞ୍ଜାବ ସିନ୍ଧୁ ବର୍ଡରରେ ଆନ୍ଦୋଳନରେ ବସିଛନ୍ତି। ଆଜି ଏହି ସିନ୍ଧୁ ବର୍ଡରରେ ଜଣେ କୃଷକ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା କୃଷକଙ୍କ ନାଁ ଗୁରୁପ୍ରୀତ ସିଂହ ଓ ତାଙ୍କ ଘର ପଞ୍ଜାବର ଫତେହଗଡ଼ ସାହିବ ଜିଲ୍ଲାରେ ବୋଲି କୁହାଯାଉଛି। ତେବେ ଗୁରୁପ୍ରୀତ ଜୀବନ ହାରିବାର କାରଣ କ’ଣ ତାହା ଏବେ ଯାଏଁ ଜଣାପଡ଼ିନାହିଁ।

ଖବର ପାଇ କୁଣ୍ଡଳୀ ଥାନା ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସରକାରୀ ହସ୍ପିଟାଲକୁ ପଠାଇଛନ୍ତି। ମୃତକ କୃଷକଙ୍କର ବିକେୟୁ ସିଦ୍ଧପୁର ସହ ସମ୍ପର୍କ ଥିଲା। ଏହି ଚାଷୀ ସଂଗଠନର ମୁଖ୍ୟ ହେଉଛନ୍ତି ଜଗଜିତ ସିଂହ ଢଲେବାଲ। ତେବେ କୃଷକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଛି। ସରକାରଙ୍କ ବିରୋଧରେ କୃଷକମାନେ ଆହୁରି ଉଗ୍ର ହୋଇପଡ଼ିଥିବା ଜଣାଯାଇଛି। ଏହି ଆନ୍ଦୋଳନ ପାଇଁ ଇତି ମଧ୍ୟରେ ଅନେକ ଚାଷୀଙ୍କ ଜୀବନ ଯାଇଥିବାରୁ ସରକାର କୃଷି ଆଇନ୍‌ ପ୍ରତ୍ୟାହାର କରିବାକୁ କୃଷକ ସଂଗଠନ ଦାବି କରୁଛନ୍ତି।

ସୂଚନାଯୋଗ୍ୟ ଯେ କେନ୍ଦ୍ରର ନୂଆ କୃଷି ଆଇନ୍‌କୁ ବିରୋଧ କରି ଉତ୍ତର ପ୍ରଦେଶ, ପଞ୍ଜାବ ଓ ହରିୟାଣାର କୃଷକମାନେ ଗତ ବର୍ଷେ ହେଲାଣି ଦିଲ୍ଲୀର ଗାଜିପୁର, ଟିକରୀ ଓ ସିନ୍ଧୁ ବର୍ଡରରେ ଆନ୍ଦୋଳନ କରୁଛନ୍ତି। ସରକାର ୩ଟି ଯାକ କୃଷି ଆଇନ୍‌କୁ ପ୍ରତ୍ୟାହାର କରିବା ପାଇଁ କୃଷକମାନେ ଦାବି କରୁଛନ୍ତି। ଅନ୍ୟପଟେ ସରକାର କିନ୍ତୁ କୃଷକଙ୍କ ଦାବି ମାନିବାକୁ ପ୍ରସ୍ତୁତ ନାହାନ୍ତି। କୃଷକ ଓ ସରକାରଙ୍କ ମଧ୍ୟରେ ଇତି ମଧ୍ୟରେ ଏକାଧିକ ବୈଠକ ସରିଲାଣି। କିନ୍ତୁ ଏବେ ଯାଏଁ କୌଣସି ନିଷ୍କର୍ଷ ବାହାରି ପାରୁନାହିଁ। ଫଳରେ କ୍ରମେ ଆନ୍ଦୋଳନ ଉଗ୍ର ରୂପ ଧାରଣ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.