ଭୟଙ୍କର ବନ୍ୟା ଭାଙ୍ଗି ଦେଇଛି କେରଳର ମେରୁଦଣ୍ଡ

କେରଳ(କେନ୍ୟୁଜ୍) : ଶତାବ୍ଦୀର ସବୁଠୁ ବଡ଼ ପ୍ରଳୟଙ୍କରୀ ବନ୍ୟାରେ କ୍ଷତିଗ୍ରସ୍ତ କେରଳରେ ଉଦ୍ଧାର କାର୍ୟ୍ୟ ପ୍ରାୟ ସରିଆସିଲାଣି । ଏବେ ରିଲିଫ ଓ ଥଇଥାନ ଉପରେ ଜୋର ଦିଆଯାଉଛି । ବିପନ୍ନଙ୍କୁ ପିଇବା ପାଇଁ ବିଶୁଦ୍ଧ ପାଣି ମିଳୁନଥିବାରୁ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଛି । ବିଧ୍ୱସ୍ତ କେରଳର ରିଲଫ ଓ ଥଇଥାନ ପାଇଁ ୟୁଏଇ ସରକାର ୭ଶହ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ସେପଟେ ବନ୍ୟା ଅଞ୍ଚଳରୁ ଉଦ୍ଧାର ପରେ ଓଡ଼ିଆଙ୍କୁ ସ୍ୱତନ୍ତ୍ର ଟ୍ରେନରେ ଫେରାଇ ଅଣାଯାଉଛି । ଆଜି କିଛି ଓଡ଼ିଆ ଟ୍ରେନ ଯୋଗେ ଆସି ପହଞ୍ଚିଥିବା ବେଳେ ଆସନ୍ତାକାଲି ଆଉ ଏକ ସ୍ୱତନ୍ତ୍ର ଟ୍ରେନରେ ୧୪୮ ଜଣ ଓଡ଼ିଆ ଆସି ପହଞ୍ଚିବେ ।

kerala flood

କେରଳରେ ଧୀରେ ଧୀରେ ସୁଧୁରୁଛି ପରିସ୍ଥିତି । ବନ୍ୟା ପ୍ରଭାବିତ ଅଞ୍ଚଳରୁ ପାଣି ଛାଡ଼ିବାରେ ଲାଗିଛି । ପାଣି ଖସି ଯିବା ପରେ ସଂପୃକ୍ତ ଅଞ୍ଚଳରେ ରାସ୍ତାଘାଟ ପରିସ୍କାର କରାଯାଉଛି । ତିନି ସେନା, ଏନଡିଆରଏଫ, ଅଗ୍ନିଶମ ବାହିନୀ, ଆଇଟିବିପି ପକ୍ଷରୁ ଚାଲିଥିବା ଉଦ୍ଧାର କାର୍ୟ୍ୟ ପ୍ରାୟ ସରିଆସିଲାଣି । ଏବେ ରିଲିଫ ଓ ପୁନଃଥଇଥାନ ଉପରେ ଗୁରୁତ୍ୱ ଦିଆଯାଉଛି । କେରଳରେ ଚାରିଆଡେ ପାଣି । ହେଲେ ପିଇବା ପାଇଁ ବିଶୁଦ୍ଧ ପାଣି ମିଳୁନଥିବାରୁ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ଫୋନ ଓ ଏଟିଏମ ସେବାକୁ ପୁନଃ କାର୍ୟ୍ୟକ୍ଷମ କରାଯାଇଛି । ଏବେ କେରଳକୁ ଛୁଟିଛି ସହାୟତା ସୁଅ । ପ୍ରଥମ ବିଦେଶୀ ରାଷ୍ଟ୍ର ଭାବେ ୟୁଏଇ ସରକାର ସହାୟତା ପାଇଁ ଆଗେଇ ଆସିଛନ୍ତି । ଭୟଙ୍କର ବନ୍ୟାରେ କ୍ଷୟକ୍ଷତି କେରଳର ରିଲିଫ ଓ ଥଇଥାନ କାର୍ୟ୍ୟ ପାଇଁ ୭ଶହ କୋଟି ଟଙ୍କା ପ୍ରଦାନ ନେଇ ଘୋଷଣା କରିଛନ୍ତି । କେରଳ ବନ୍ୟାକୁ କେନ୍ଦ୍ର ସରକାର ଭୟଙ୍କର ପ୍ରାକୃତିକ ବିପର୍ୟ୍ୟୟ ଭାବେ ଘୋଷଣା କରିଛନ୍ତି।

ନିଶ୍ଚିତ ପଢ଼ନ୍ତୁ : ମହାରାଷ୍ଟ୍ର ଓ ଗୋଆ ଭୋଗି ପାରନ୍ତି କେରଳ ଭଳି ଦଶା

ସେପଟେ ବନ୍ୟା ପ୍ରଭାବିତ କେରଳରେ ଫସି ରହିଥିବା ଓଡ଼ିଆଙ୍କୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଓଡ଼ିଶା ଅଣାଯାଉଛି । ଏର୍ଣ୍ଣାକୁଲମରୁ ଟ୍ରେନ ଯୋଗେ ଗଞ୍ଜାମ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାର କିଛି ଶ୍ରମିକ ଫେରିଛନ୍ତି । ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ସେମାନଙ୍କୁ ଘରକୁ ଯିବା ପାଇଁ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ସେମାନଙ୍କୁ ଉଦ୍ଧାର କରି ଫେରାଇ ଅଣାଯାଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିପରି ଏର୍ଣ୍ଣାକୁଲମରୁ ଆଉ ଏକ ସ୍ୱତନ୍ତ୍ର ଟ୍ରେନରେ ୧୪୮ ଜଣ ଓଡ଼ିଆଙ୍କୁ ଅଣାଯାଉଛି। ଭୟଙ୍କର ବନ୍ୟା କେରଳର ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଏଥିଯୋଗୁଁ ରାଜ୍ୟବାସୀ କଲବଲ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.