ମାତା-ପିତା ଭାରତୀୟ ନାଗରିକତା ଛାଡିଦେଲେ ବି ଗର୍ଭରେ ଥିବା ସନ୍ତାନ ଭାରତୀୟ ନାଗରିକତା ପାଇବାକୁ ହକଦାର : ମାଡ୍ରାସ ହାଇକୋର୍ଟ

ନୂଆଦିଲ୍ଲୀ : ମାତା-ପିତା ଯଦି ଭାରତୀୟ ନାଗରିକତା ଛାଡି ଅନ୍ୟ ଦେଶର ନାଗରିକତାକୁ ସ୍ୱୀକାର କଲେ ବି ଗର୍ଭରେ ଥିବା ସନ୍ତାନ ଭାରତୀୟ ନାଗରିକତା ପାଇବାକୁ ହକଦାର । ଏକ ପିଟିସନର ବିଚାର କରି ମାଡ୍ରାସ ହାଇକୋର୍ଟ ଏପରି ରାୟ ଶୁଣାଇଛନ୍ତି । ମାଡ୍ରାସ ହାଇକୋଟର ଜଷ୍ଟିସ ଅନିତା ସୁମନ୍ଥ ୨୨ ବର୍ଷ ହୋଇସାରିଥିବା ଜଣେ ଯୁବକଙ୍କ ପିଟିସନର ବିଚାର କରି ଉକ୍ତ ଯୁବକଙ୍କୁ ଭାରତୀୟ ନାଗରିକତା ଦେବାକୁ ଗୃହ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ୨୨ ବର୍ଷ ବୟସ୍କ ପ୍ରଣବ ଶ୍ରୀନିବାସନଙ୍କ ରିଟ ପିଟିସନର ବିଚାର କରି ତାଙ୍କର ଭାରତୀୟ ନାଗରିକତା ପାଇବାର ହକ୍‌କୁ କାୟମ ରଖିଛନ୍ତି ।

ସୂଚନାନୁଯାୟୀ, ପ୍ରଣବଙ୍କ ପିତା-ମାତା ଭାରତର ମୂଳ ବାସିନ୍ଦା ଥିଲେ । ୧୯୯୮ ମସିହାରେ ସେମାନେ ସିଂଗାପୁର ନାଗରିକତା ପ୍ରାପ୍ତ କରିଥିଲେ । ହେଲେ ପିଟିସନ ଦାଖଲ କରିଥିବା ପ୍ରଣବ ସେ ସମୟରେ ସାଡେ ସାତ ମାସ ଗର୍ଭରେ ଥିଲେ । ୧୯୯୯ ମସିହା ମାର୍ଚ୍ଚ ୧ ତାରିଖରେ ପ୍ରଣବ ସିଂଗାପୁରରେ ଜନ୍ମ ହୋଇଥିଲେ । ସେଠାରେ ସ୍ୱଭାବିକ ଭାବେ ସେ ନାଗରିକତା ପାଇଛନ୍ତି । ହେଲେ ପ୍ରଣବ ଭାରତୀୟ ନାଗରିକତା ନେବା ପାଇଁ ନିର୍ଣ୍ଣୟ ନେଇ ୨୦୧୭ ମସିହାରେ ସିଂଗାପୁର ଭାରତୀୟ ଦୁତାବାସରେ ଆବେଦନ କରିଥିଲେ ।

ଯେହେତୁ ତାଙ୍କର ଜେଜେ ଓ ଜେଜେ ମା’ ଭାରତୀୟ ନାଗରିକ ଏବଂ ପିତା-ମାତା ସେ ଗର୍ଭରେ ଥିବା ବେଳେ ଭାରତୀୟ ନାଗରିକ ଥିଲେ, ତେଣୁ ସେ ଭାରତୀୟ ନାଗରିକତା ପାଇବାକୁ ହକଦାର ବୋଲି ତାଙ୍କ ପିଟିସନରେ ଆବେଦନ କରିଥିଲେ । ହେଲେ ତାଙ୍କୁ ଭାରତୀୟ ନାଗରିକତା ଦେବା ଉପରେ ଗୃହ ମନ୍ତ୍ରଣାଳୟ ଟାଳଟୁଳ ଅବଲମ୍ବନ କରୁଥିଲା । ଫଳରେ ପ୍ରଣବ ମାଡ୍ରାସ ହାଇକୋର୍ଟରେ ପିଟିସନ ଦାୟର କରିବା ପରେ ହାଇକୋର୍ଟ ତାଙ୍କ ପିଟିସନକୁ ବିଚାରକୁ ନେଇଥିଲେ ।

କୋର୍ଟ ତାଙ୍କ ରାୟରେ କହିଥିଲେ ଯେ ପ୍ରଣବଙ୍କ ପିତା-ମାତା ସିଂଗାପୁର ନାଗରିକତା ନେବା ବେଳକୁ ପ୍ରଣବ ସାଡେ ସାତ ମାସର ଭୃଣ ହିସାବରେ ଜଣେ ଶିଶୁର ମାନ୍ୟତା ହାସଲ କରିସାରିଥିଲେ ଓ ସେହି ହିସାବରେ ସେ ଭାରତୀୟ ହୋଇ ସାରିଥିଲେ । ପରେ ତାଙ୍କର ପିତା-ମାତା ଭାରତୀୟ ନାଗରିକତା ଛାଡ଼ିଥିଲେ । ସେହି ଦୃଷ୍ଟିରୁ ପ୍ରଣବ ଭାରତୀୟ ନାଗରିକତା ପାଇବାକୁ ହକଦାର । ତେଣୁ କୋର୍ଟ ପ୍ରଣବଙ୍କୁ ଭାରତୀୟ ନାଗରିକତା ଦେବାକୁ ଗୃହ ମନ୍ତ୍ରଣାଳୟକୁ ୪ ସପ୍ତାହ ସମୟ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.