ଅନଲାଇନ ମଦ ଅର୍ଡର କରିବା ବରିଷ୍ଠ ନାଗରିକଙ୍କୁ ପଡ଼ିଲା ମହଙ୍ଗା, କ୍ୟୁଆର୍‌ କୋଡ୍‌ ସ୍କାନ କରୁ କରୁ ଆକାଉଣ୍ଟରୁ ଗାଏବ ହୋଇଗଲା ୬୮,୩୭୧ ଟଙ୍କା

ମୁମ୍ବାଇରେ କୋଭିଡ୍‌ ମାମଲା ଦିନକୁ ଦିନ ବଢ଼ିଚାଲିଛି ଏବଂ ଏହି କାରଣରୁ ପ୍ରଶାସନ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଛି। ଏପରିକି, ଲୋକଙ୍କୁ ଅନ୍‌ଲାଇନ ଅର୍ଡର କରିବାକୁ ମଧ୍ୟ ପ୍ରୋତ୍ସାହିତ କରୁଛି। କାହିଁକି ନା, ଲୋକେ ଯେପରି ତାଙ୍କ ଘରେ ହିଁ ସବୁ ଜିନିଷ ପାଇପାରିବେ। ତେବେ ଏହାରି ଭିତରେ ଅନ୍ଧେରୀରୁ ଏକ ଠକେଇ ମାମଲା ସାମ୍ନାକୁ ଆସିଛି।

ପୋଲିସ ସୂଚନା ମୁତାବକ, ଏଠାରେ ୬୧ ବର୍ଷୀୟ ଜଣେ ବରିଷ୍ଠ ନାଗରିକ ଅନ୍‌ଲାଇନ ଠକେଇର ଶିକାର ହୋଇଛନ୍ତି। ଅନ୍‌ଲାଇନରେ ମଦ ଅର୍ଡର କରିବା ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ଏଥି ପୂର୍ବରୁ ବ୍ୟକ୍ତି ଜଣକ ଗୁଗଲରେ ନିଜ ଅଞ୍ଚଳରେ ଥିବା ଦୋକାନ ସର୍ଚ୍ଚ କରିଥିଲେ। ଏହାପରେ ଗୁଗଲରୁ ପାଇଥିବା ନମ୍ବରରେ ଫୋନ୍‌ କରି ବିୟର ଅର୍ଡର କରିଥିଲେ।

ଅଭିଯୋଗ ଅନୁଯାୟୀ, ଯେତେବେଳେ ବ୍ୟକ୍ତି ମଦ ଅର୍ଡର କରିଥିଲେ, ତ ଦୋକାନୀ ପ୍ରଥମେ ତାଙ୍କୁ ପଇସା ପଠାଇବାକୁ କହିଥିଲେ ଏବଂ ଏଥିପାଇଁ ୪ କ୍ୟୁଆର୍‌ କୋଡ୍‌ ହ୍ଵାଟସ୍‌ଆପରେ ପଠାଇଥିଲେ। ଏହାକୁ ସ୍କାନ୍‌ କରି ପଇସା ଭରିବାକୁ ଦୋକାନୀ ଜଣକ କହିଥିଲେ। ଯେମିତି ହିଁ ବ୍ୟକ୍ତି କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରିଥିଲେ, ତ ତାଙ୍କ ଆକାଉଣ୍ଟରୁ ୬୮,୩୭୧ ଟଙ୍କା ଗାଏବ ହୋଇଯାଇଥିଲା। ଏହାର ମେସେଜ ତାଙ୍କ ମୋବାଇଲ ଫୋନ୍‌ରେ ଦେଖିବା ପରେ ବ୍ୟକ୍ତିଙ୍କ ହୋଶ୍‌ ଉଡ଼ି ଯାଇଥିଲା। ଏହାପରେ ବ୍ୟକ୍ତି ଜଣକ ବାରମ୍ବାର କଲ୍‌ କରିଥିଲେ ମଧ୍ୟ ଦୋକାନୀ ଫୋନ୍‌ ଉଠାଇ ନ ଥିଲେ। ଏଥିରୁ ସେ ଜାଣିବାକୁ ପାଇଥିଲେ କି, ସେ ସାଇବର କ୍ରାଇମ୍‌ର ଶିକାର ହୋଇଛନ୍ତି।

ପରେ ଏ ନେଇ ପୋଲିସରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଆଇପିସି ଧାରା ୪୧୯, ୪୨୦ ଏବଂ ଇନ୍‌ଫର୍ମେଶନ ଟେକ୍ନୋଲୋଜି ଧାରା ୬୬(ସି), ୬୬(ଡି) ଅଧୀନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.