ହାଇଦ୍ରାବାଦରେ ଜଘନ୍ୟ କାଣ୍ଡ : ଲିଫ୍ଟ ଦେବାକୁ କହି ନାବାଳିକାଙ୍କୁ ଗଣଦୁଷ୍କର୍ମ: ବିଧାୟକଙ୍କ ପୁଅ ସମେତ ୫ ଅଭିଯୁକ୍ତ ଚିହ୍ନଟ

ନୂଆଦିଲ୍ଲୀ : ସାରା ଦେଶରେ ବଢିବାରେ ଲାଗିଛି ହତ୍ୟା, ଦୁଷ୍କର୍ମ ଭଳି ଅପରାଧ । ନିରୀହ ଜୀବନ ସହିତ ଖେଳିବାରେ ଲାଗିଛନ୍ତି କ୍ରିମିନାଲ । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦ ଅଞ୍ଚଳରେ । ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ କାର୍‌ରେ ଗଣଦୁଷ୍କର୍ମ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ତେବେ ଏହି ମାମଲାରେ ଜଣେ ବିଧାୟକଙ୍କ ପୁଅ ସମେତ ଅନ୍ୟ ଜଣେ ରାଜନେତାଙ୍କ ପୁଅର ଭୂମିକା ଥିବା ଅଭିଯୋଗ ହୋଇଛି । ଗତ ଶନିବାର ତଥା ମେ’ ୨୮ ତାରିଖରେ ଏହି ଘଟଣା ଘଟିଛି। ଏନେଇ ଜୁବିଲି ହିଲ୍ସ ପୁଲିସ ଷ୍ଟେସନ୍‌ରେ ଏକ ମାମଲା ରୁଜୁ ହୋଇଛି।

ସୂଚନା ଅନୁସାରେ ଏକ ଇନୋଭା କାରରେ ଲିଫ୍ଟ ଦେବାକୁ କହି ଜଣେ ନାବାଳିକାକୁ ନେଇ ଯାଇଥିଲେ କିଛି ଦୁର୍ବୃତ୍ତ । ପରେ ତାଙ୍କ ସହ ଅସଦାଚରଣ କରିବା ସହିତ ସେମାନେ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜୁବଲୀ ହିଲ୍ସ ପୋଲିସ ଷ୍ଟେସନରେ ଏ ନେଇ ଅଭିଯୋଗ ଦାୟର କରାଯାଇଛି । ଏହି ଘଟଣାକୁ ନେଇ ପୁଲିସ ବିଧାୟକଙ୍କୁ ଫୋନ୍‌ କରି ମେ’ ୨୮ ତାରିଖରେ ତାଙ୍କ ପୁଅ କେଉଁଠି ଥିଲେ ତାହା ଜାଣିବାକୁ ଚାହିଁଥିଲା। କିନ୍ତୁ ବିଧାୟକ ତାଙ୍କ ପୁଅର ଏହି ଘଟଣାରେ କୌଣସି ଭୂମିକା ନଥିବା କହିବା ସହ ଅଧିକ ସୂଚନା ଦେବାରେ ସହଯୋଗ କରିନଥିଲେ। ଏନେଇ ପୁଲିସ ତଦନ୍ତ ଜାରି ରଖିଛି।

ରିପୋର୍ଟ ଅନୁଯାୟୀ, ପୀଡିତାଙ୍କ ପରିବାର ସଦସ୍ୟ ତିନି ଦିନ ପୂର୍ବରୁ ଦେଇଥିବା ଅଭିଯୋଗ ଆଧାରରେ ପୋଲିସ ପ୍ରଥମେ ମାମଲା ରୁଜୁ କରିଥିଲା । ଅଭିଯୋଗକାରୀଙ୍କ କହିବାନୁସାରେ, ଗତ ଶନିବାର ଦିନ ଗଣଦୁଷ୍କର୍ମ ଘଟଣା ଘଟିଥିଲା । ବେକରେ ସାମାନ୍ୟ ଆଘାତ ଲାଗିଥିବା ଦେଖିବା ପରେ ପରିବାର ଲୋକ ସନ୍ଦେହ କରିଥିଲେ । ଝିଅଟି ନିଜ ପରିବାର ବର୍ଗଙ୍କୁ କହିଥିଲା ​​ଯେ ସେ ପବ୍ ରେ ଏକ ପାର୍ଟୀରେ ଯୋଗଦେବା ପରେ କିଛି ଲୋକ ତାଙ୍କ ସହ ଅସଦାଚରଣ କରିଥିଲେ । ବାସ୍ତବରେ, ପାର୍ଟିରୁ ବାହାରିବା ପରେ ଝିଅଟି ଏକ କାରରେ ବସିଥିଲା, ଯେଉଁଥିରେ ତିନିରୁ ଚାରି ଜଣ ପୁଅ ଯାଉଥିଲେ । ମାମଲାର ତଦନ୍ତରେ ଜଡିତ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ସେମାନେ ଜୁବିଲି ହିଲ୍ସ ପାଖରେ ଗାଡ଼ି ପାର୍କ‌ କରି ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଝିଅକୁ ଯୌନ ଉତ୍ପୀଡ଼ନ ଦିଆଯାଇଛି ଏବଂ ତାଙ୍କ ବେକରେ କ୍ଷତ ଚିହ୍ନ ଅଛି। ପୀଡ଼ିତାଙ୍କୁ ଶକ୍ତ ଆଘାତ ଲାଗିଥିବାରୁ ସେ କିଛି କହିପାରିନଥିଲେ। ପରେ ମହିଳା ଅଧିକାରୀଙ୍କ ନିକଟରେ ତାଙ୍କ ସହ କ’ଣ ସବୁ ଘଟିଥିଲା ତାହା କହିଛନ୍ତି। ପୁଲିସ ପୀଡ଼ିତାଙ୍କ ବୟାନ ଆଧାରରେ ତଦନ୍ତ ଚଳାଇଛି।

ଅପରାଧରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଏମ୍‌ଆଇଏମ୍‌ (ମଜଲିସ ଏ ଇତ୍ତେହାଦୁଲ) ବିଧାୟକଙ୍କ ପୁଅ ଏବଂ ଅନ୍ୟ ଜଣେ ମଧ୍ୟ ଏକ ମୁସ୍‌ଲିମ ଧାର୍ମିକ ସଂଗଠନର ନେତାଙ୍କ ପୁଅ ବୋଲି ତେଲେଙ୍ଗାନା ବିଜେପି ପକ୍ଷରୁ କୁହାଯାଇଛି। ବିଜେପି ଉକ୍ତ ଘଟଣାରେ ତତ୍କାଳ ଅଭିଯୁକ୍ତମାନଙ୍କ ଗିରଫ ଦାବି କରିବା ସହ କଠୋର କାର୍ଯ୍ୟାନୁ‌ଷ୍ଠାନ ଦାବି କରିଛି। ଏଥିସହିତ ୩ ଅଭିଯୁକ୍ତଙ୍କ ନାମରେ ଆଇପିସି ଧାରା ୩୫୪ ଏବଂ ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି । ପୀଡିତା ମହିଳାଙ୍କୁ ମେଡିକାଲ ଟେଷ୍ଟ ପାଇଁ ପଠାଯାଇଥିବା ବେଳେ ଏହି ଘଟଣାକୁ ଗଣଦୁଷ୍କର୍ମ ବୋଲି ଦର୍ଶାଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.