ପ୍ରେମ ଦିବସରେ ଦିଲ୍ଲୀରେ ଚାଞ୍ଚଲ୍ୟ! ଯୁବତୀଙ୍କୁ ହତ୍ୟା ପରେ ମୃତଦେହକୁ ଢାବା ଫ୍ରିଜ୍‌ରେ ଲୁଚାଇ ରଖିଥିଲା ଅଭିଯୁକ୍ତ

ଦିଲ୍ଲୀରେ ପୁଣି ଶ୍ରଦ୍ଧା ଭଳି ହତ୍ୟାକାଣ୍ଡ। ହତ୍ୟା କରି ଯୁବତୀଙ୍କ ମୃତଦେହକୁ ଢାବା ଫ୍ରିଜ୍‌ ଭିତରେ ଲୁଚାଇ ରଖିଥିଲା ଅଭିଯୁକ୍ତ। ଏବେ ଘଟଣାର ଖୁଲାସା କରି ଯୁବକଙ୍କୁ ଗିରଫ କରିଛି ପୋଲିସ।

ରାଜଧାନୀ ଦିଲ୍ଲୀରେ ଅପରାଧ ଥମିବାର ନାଁ ଧରୁନାହିଁ। ମଙ୍ଗଳବାର ଦିଲ୍ଲୀର ବାବା ହରିଦାସ ନଗର ଥାନା ଅଞ୍ଚଳରେ ଶ୍ରଦ୍ଧା ଭଳି ହତ୍ୟାକାଣ୍ଡ ଘଟିଛି। ହତ୍ୟା ପରେ ଯୁବତୀଙ୍କ ମୃତଦେହକୁ ଢାବା ଫ୍ରିଜ୍‌ ଭିତରେ ଲୁଚାଇ ରଖାଯାଇଥିଲା। ମାମଲା ବିଷୟରେ ଅବଗତ ହେବା ପରେ ପୋଲିସ ମୃତଦେହକୁ ଫ୍ରିଜ୍‌ରୁ ଜବତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗିରଫ ପରେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ପଚରାଉଚରା କରୁଛି। ତାଙ୍କ ନାମ ସାହିଲ ଗେହେଲତ୍‌ ବୋଲି ଜଣାପଡ଼ିଛି। ଭାଲେଣ୍ଟାଇନ୍‌ ଡେ’ ଅର୍ଥାତ୍‌ ୧୪ ଫେବୃୟାରୀ ସକାଳେ ଖବର ଚାରିଆଡ଼େ ବିଜୁଳି ବେଗରେ ପ୍ରଚାରିତ ହୋଇଯାଇଥିଲା।

ଖବର ମୁତାବକ, ସ୍ଥାନୀୟ ମିତ୍ରାଓଁ ଗାଁର ବାହ୍ୟ ଅଞ୍ଚଳରେ ଥିବା ଏକ ଢାବାରେ ଜଣେ ଯୁବତୀଙ୍କୁ ହତ୍ୟା କରି ମୃତଦେହକୁ ଲୁଚାଇ ରଖାଯାଇଛି। ଖବର ପାଇ ପୋଲିସ ଟିମ୍‌ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଏହି ଘଟଣାରେ ମିତ୍ରାଓଁ ଗାଁର ବାସିନ୍ଦା ଅଭିଯୁକ୍ତ ସାହିଲଙ୍କୁ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଛି।

କହି ରଖୁଛୁ, ୧୮ ମେ’, ୨୦୨୨ରେ ମଧ୍ୟ ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଆଫ୍‌ତାବ ପୁନାଓ୍ଵାଲା ନିଜ ପ୍ରେମିକା ଶ୍ରଦ୍ଧା ଓ୍ଵାକଲଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହକୁ ୩୫ ଖଣ୍ଡ କରି ଦେଇଥିଲେ। ଏହାପରେ ପାଖାପାଖି ୩ ସପ୍ତାହ ଧରି ମୃତଦେହର ଖଣ୍ଡବିଖଣ୍ଡିତ ଅଂଶକୁ ସେ ଘର ଭିତର ଫ୍ରିଜ୍‌ରେ ଲୁଚାଇ ରଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.