ଅକ୍ଷରଧାମ ମେଟ୍ରୋ ଷ୍ଟେସନ ଛାତରେ ଚଢ଼ି ଯୁବତୀ ଡେଇଁଲେ ତଳକୁ, ସିଆଇଏସ୍ଏଫ୍ ଯବାନ ଓ ପୋଲିସର ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ଜୀବନ…

ଦିଲ୍ଲୀର ଅକ୍ଷରଧାମ ମେଟ୍ରୋ ଷ୍ଟେଶନରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ମେଟ୍ରୋ ଷ୍ଟେଶନ ଛାତ ଉପରେ ଚଢ଼ି ଜଣେ ଯୁବତୀ ତଳକୁ ଡେଇଁ ପଡ଼ିଥିଲେ। ଏହି ଦୃଶ୍ୟ ସେହି ସମୟରେ ଲୋକଙ୍କୁ ସ୍ତବ୍ଧ କରି ଦେଇଥିଲା। କିନ୍ତୁ ସୌଭାଗ୍ୟବଶତଃ ଯୁବତୀ ଜଣକ ବର୍ତ୍ତି ଯାଇଛନ୍ତି। ସିଆଇଏସ୍ଏଫ୍ ଯବାନ ଓ ପୋଲିସର ଉପସ୍ଥିତ ବୁଦ୍ଧି ଯୋଗୁ ଯୁବତୀଙ୍କ ଜୀବନ ରକ୍ଷା ପାଇଯାଇଛି।
ଘଟଣା ଘଟିଥିଲା ସକାଳ ୭ଟା ୨୮ ମିନିଟ୍ରେ। ଏହି ଖବର ଆଖପାଖ ଅଞ୍ଚଳରେ ବିଜୁଳି ବେଗରେ ବ୍ୟାପି ଯାଇଥିଲା। ଖବରରୁ ଜଣାପଡ଼ିଛି, ଯୁବତୀ ଜଣକ ଛାତରୁ ଡେଇଁବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍ ସିଆଇଏସ୍ଏଫ୍ ଯବାନ ତାଙ୍କୁ ଦେଖି ଦେଇଥିଲେ। ଏହାପରେ ସେମାନେ ସଙ୍ଗେ ସଙ୍ଗେ ସଜାଗ ହୋଇ ପଡ଼ିଥିଲେ ଏବଂ ଯୁବତୀଙ୍କୁ ବଞ୍ଚାଇବା ପାଇଁ ତତ୍ପରତା ଦେଖାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଯବାନମାନେ ଯୁବତୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଏବଂ ଛାତରୁ ଓହ୍ଲାଇ ଯିବାକୁ କହିଥିଲେ, ହେଲେ ଯୁବତୀ ସେମାନଙ୍କ କଥା ଆଦୌ ଶୁଣିବାକୁ ପ୍ରସ୍ତୁତ ନ ଥିଲେ।
ଗୋଟିଏ ପଟେ କିଛି ଯବାନ ଯୁବତୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ ଆଉ କିଛି ଯବାନ ଉପସ୍ଥିତ ବୁଦ୍ଧି ଖଟାଇ ତଳେ ଏକ ଚାଦର ବିଛାଇ ଦେଇଥିଲେ। ଯେପରି ଯୁବତୀ ଡେଇଁଲେ ବି ତାଙ୍କ ଜୀବନ ରକ୍ଷା ପାଇଯିବ। ଏଥି ସହିତ ସ୍ଥାନୀୟ ପୋଲିସ ଏବଂ ଆମ୍ବୁଲାନ୍ସକୁ ମଧ୍ୟ ଏ ନେଇ ସୂଚନା ଦିଆଯାଇଥିଲା।
ତେବେ ସିଆଇଏସ୍ଏଫ୍ ଯବାନ ବୁଝାଉଥିବା ବେଳେ ଯୁବତୀ ଜଣକ ହଠାତ୍ ଛାତରୁ ଡେଇଁ ପଡ଼ିଥିଲେ। କିନ୍ତୁ ଚାଦର ଧରି ଛିଡ଼ା ହୋଇଥିବା ଯବାନମାନେ ତାଙ୍କୁ ଧରି ପକାଇଥିଲେ। ଯଦିଓ ଏଥିରେ ଯୁବତୀଙ୍କ ଗୋଡ଼ ଏବଂ ଶରୀରର କିଛି ଭାଗ ଆଘାତପ୍ରାପ୍ତ ହୋଇଛି। ଏହାପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ଲାଲ୍ ବାହାଦୂର ହସ୍ପିଟାଲ ନିଆଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।