Below header

ଗୁଜରାଟ: ଗୋଧ୍ରା ଟ୍ରେନ୍‌ ପୋଡ଼ି ମାମଲାର ଦୋଷୀଙ୍କୁ ଜାମିନ୍‌ ପ୍ରଦାନ କଲେ ସୁପ୍ରିମ୍‌କୋର୍ଟ; ବିଗତ ୧୭ ବର୍ଷରୁ ଜେଲ୍‌ରେ ଅଛନ୍ତି ବନ୍ଦୀ

୨୦୦୨ର ଗୋଧ୍ରା ଟ୍ରେନ୍‌ କୋଚ୍‌ ପୋଡ଼ି ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ ଦୋଷୀଙ୍କୁ ଗୁରୁବାର ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମ୍‌କୋର୍ଟ। ଦୀର୍ଘ ୧୭ ବର୍ଷ ଧରି ଦୋଷୀ ଜେଲ୍‌ରେ ବନ୍ଦୀ ଅଛନ୍ତି, ଯାହାକୁ ନଜରରେ ରଖି ସର୍ବୋଚ୍ଚ ଅଦାଲତ ତାଙ୍କୁ ଜାମିନ୍‌ ଦେଇଛନ୍ତି।

ମୁଖ୍ୟ ବିଚାରପତି ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍‌ ପିଏସ୍‌ ନରସିହ୍ମାଙ୍କ ଗଠିତ ଖଣ୍ଡପୀଠ ଦୋଷୀ ଫାରୁକଙ୍କ ପକ୍ଷରୁ ଉପସ୍ଥିତ ଓକିଲଙ୍କ ଦଲିଲ୍‌ ଉପରେ ଗୁରୁତ୍ୱ ଦେଇଥିଲେ। ଜେଲ୍‌ରେ ତାଙ୍କର ଏ ପର୍ଯ୍ୟନ୍ତର ଅବଧିକୁ ନଜରରେ ରଖି କୋର୍ଟ ଜାମିନ ପ୍ରଦାନ କରିଛନ୍ତି। କହି ରଖୁଛୁ, ଏହି ମାମଲାରେ ଅନ୍ୟ ଦୋଷୀମାନଙ୍କ ଦଣ୍ଡ ବିରୋଧରେ ଅପିଲ୍‌ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି।

ଗୁଜରାଟ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେତା କହିଥିଲେ ଯେ ଏହା ସବୁଠାରୁ ଜଘନ୍ୟ ଅପରାଧ ଥିଲା, ଯେଉଁଥିରେ ମହିଳା ଓ ପିଲାଙ୍କ ସମେତ ୫୯ ଜଣଙ୍କୁ ଜିଅନ୍ତା ଜାଳି ଦିଆଯାଇଥିଲା। ଦୋଷୀମାନଙ୍କ ଅପିଲ୍‌ ବହୁତ ଜଲ୍‌ଦି ଶୁଣିବାର ଆବଶ୍ୟକ ରହିଛି।

କହି ରଖୁଛୁ, ସାବରମତୀ ଏକ୍ସପ୍ରେସ୍‌ର କୋଚ୍‌ ଉପରକୁ ପଥର ମାଡ଼ ଘଟଣାରେ ଫାରୁକଙ୍କ ସହ ଅନ୍ୟ କେତେଜଣ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ମେହତା କହିଥିଲେ, ସାଧାରଣତଃ ପଥର ମାଡ଼ ମାମୁଲି ପ୍ରକୃତିର ଅପରାଧ। ଯଦିଓ ବର୍ତ୍ତମାନର ମାମଲାରେ ଟ୍ରେନ୍‌ର କୋଚ୍‌କୁ ବୋଲ୍ଟ କରାଯାଇଥିଲା ଏବଂ ଏଥିପାଇଁ ପଥର ମାଡ଼ କରାଯାଇଥିଲା ଯେପରି ଯାତ୍ରୀମାନେ ବାହାରକୁ ନ ଆସି ପାରିବେ। ଫାୟାର ଟେଣ୍ଡର ଉପରେ ବି ପଥର ଫିଙ୍ଗାଯାଇଥିଲା।

ସୂଚନାଥାଉ କି, ୨୭ ଫେବୃୟାରୀ, ୨୦୦୨ରେ ଗୋଧ୍ରାରେ ସାବରମତୀ ଏକ୍ସପ୍ରେସ୍‌ର ଏସ୍‌-୬ କୋଚ୍‌ରେ ନିଆଁ ଲାଗିବା ଦ୍ୱାରା ୫୯ ଲୋକଙ୍କ ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ସମୟରେ ରାଜ୍ୟରେ ଏହାକୁ ନେଇ ଦଙ୍ଗା ସୃଷ୍ଟି ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.