୨୦୨୧ ଜୁନ ତୁଳନାରେ ୨୦୨୨ ଜୁନ୍ରେ ୫୬% ବୃଦ୍ଧି, ଗତ ବର୍ଷ ଜୁନ ତୁଳନାରେ ୫୬ ପ୍ରତିଶତ ଅଧିକ

କେନ୍ୟୁଜ୍(ବ୍ୟୁରୋ): ଜୁନ ମାସରେ ଜିଏସ୍ଟି ସଂଗ୍ରହରେ ୫୬% ବୃଦ୍ଧି। ଜୁନ୍ ୨୦୨୨ରେ ୧ ଲକ୍ଷ ୪୪ ହଜାର ୬୧୬ କୋଟି ଟଙ୍କା ସଂଗ୍ରହ ହୋଇଛି। ଯାହା ଗତ ବର୍ଷ ଜୁନ ତୁଳନାରେ ୫୬ ପ୍ରତିଶତ ଅଧିକ। ଗତ ବର୍ଷ ଜୁନ ମାସରେ ୯୨ ହଜାର ୮ଶହ କୋଟି ଟଙ୍କା ସଂଗ୍ରହ ହୋଇଥିଲା। ଜୁନ୍ ୨୦୨୨ରେ ସଂଗ୍ରହ ଟିକସ ପରିମାଣ ଭିତରୁ ସିଜିଏସ୍ଟି ରହିଛି ୨୫ ହଜାର ୩୦୬ କୋଟି ଟଙ୍କା, ଏସ୍ଜିଏସ୍ଟି ପରିମାଣ ୩୨ ହଜାର ୪୦୬ କୋଟି ଟଙ୍କା, ଆଇଜିଏସ୍ଟି ପରିମାଣ ରହିଛି ୭୫ ହଜାର ୮୮୭ କୋଟି ଟଙ୍କା।
ଜିଏସ୍ଟି ଲାଗୁ ପରଠାରୁ ଦ୍ୱିତୀୟ ସର୍ବାଧିକ ଟିକସ ଜୁନ୍ ୨୦୨୨ରେ ସଂଗ୍ରହ କରାଯାଇଛି। ଏପ୍ରିଲ ୨୦୨୨ରେ ସର୍ବାଧିକ ୧ ଲକ୍ଷ ୬୭ ହଜାର ୫୪୦ କୋଟି ଟଙ୍କା ସଂଗ୍ରହ ହୋଇଥିଲା। ଏହାସହ ଜିଏସ୍ଟି ଲାଗୁ ହେବାପରଠାରୁ ପଞ୍ଚମ ଥର ପାଇଁ ଜିଏସ୍ଟି ସଂଗ୍ରହ ୧ କୋଟି ୪୦ ଲକ୍ଷ ଟଙ୍କା ଅତିକ୍ରମ କରିଛି।
ସେହିପରି ଓଡ଼ିଶାରେ ଗତ ବର୍ଷ ଜୁନ ତୁଳନାରେ ଚଳିତ ବର୍ଷ ଜୁନରେ ଜିଏସ୍ଟି ସଂଗ୍ରହ ୩୨% ବୃଦ୍ଧି ପାଇଛି। ଜୁନ୍ ୨୦୨୧ରେ ୩ ହଜାର କୋଟି ଟଙ୍କା ଜିଏସ୍ଟି ସଂଗ୍ରହ ହୋଇଥିବା ବେଳେ ଚଳିତ ବର୍ଷ ଜୁନରେ ଏହି ପରିମାଣ ରହିଛି ୩ ହଜାର ୯୬୫ କୋଟି ଟଙ୍କା।