ଗୁଜରାଟ: ଲୁଣ ଫାକ୍ଟ୍ରିରେ ପାଚେରୀ ଭୁଶୁଡ଼ି ୧୨ ଶ୍ରମିକଙ୍କ ମୃତ୍ୟୁ, ଏବେ ବି ଚାପି ହୋଇ ଅଛନ୍ତି ଅନେକ

ଗୁଜରାଟ: ଗୁଜରାଟର ମୋରବୀସ୍ଥିତ ଏକ ଫ୍ୟାକ୍ଟ୍ରିରେ ପାଚେରୀ ଭୁଶୁଡ଼ି ପଡ଼ିବାରୁ ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଏକାଧିକ ଲୋକ ଆହତ ବି ହୋଇଛନ୍ତି। ଅନ୍ୟପଟେ ଆହତଙ୍କ ମଧ୍ୟରୁ ଅଧିକ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। କୁହାଯାଉଛି ଯେ ଅନ୍ୟୁନ ୩୦ ଶ୍ରମିକ ଏବେ ବି ପାଚେରୀ ତଳେ ଚାପି ହୋଇ ରହିଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଆଜି ସକାଳେ ଏହି ଘଟଣା ଘଟିଛି। ଜିଲ୍ଲାର ହଲଓ୍ଵାଡ ଜିଆଇଡିସିରେ ସାଗର ଲୁଣ ଫ୍ୟାକ୍ଟ୍ରିରେ ଏହି ଅଘଟଣ ଘଟିଛି। ଫସିଥିବା ଲୋକଙ୍କୁ ଜେସିବି ସାହାଯ୍ୟରେ ବାହାର କରାଯାଉଛି। ଇତି ମଧ୍ୟରେ ୯ଟି ଶବ ବାହାର କରାଯାଇଛି। ତେବେ ପାଚେରୀ ଭୁଶୁଡ଼ିବାର କାରଣ ଏବେ ଯାଏଁ ଜଣାପଡ଼ିନାହିଁ। ଇତି ମଧ୍ୟରେ ଫ୍ୟାକ୍ଟ୍ରିରୁ ଆସୁଥିବା ଫଟୋ ଖୁବ୍‌ ଭୟଙ୍କର ଲାଗୁଛି। କୁହାଯାଉଛି, ଲୁଣ ବସ୍ତା ଭିତରେ ଶ୍ରମିକମାନେ ଫସିଛନ୍ତି। ଅନ୍ୟ ଉଦ୍ଧାର ହୋଇଥିବା ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏ ନେଇ ସ୍ଥାନୀୟ ବିଧାୟକ ବ୍ରଜେଶ ମେରଜା କହିଛନ୍ତି, ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି। ଅଧିକାରୀମାନେ କହୁଛନ୍ତି, ତଳେ ଚାପି ହୋଇରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଦୁଃଖବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଦୁର୍ଘଟଣା ପାଇଁ ଦୁଃଖ ବ୍ୟକ୍ତ କରିଛନ୍ତି, ସେ ଟ୍ଵିଟରରେ ଲେଖିଛନ୍ତି- ମୋରବୀରେ ପାଚେରୀ ଭୁଶୁଡ଼ିବା ଘଟଣା ଅତ୍ୟନ୍ତ ହୃଦୟ ବିଦାରକ। ଏଭଳି ଦୁଃଖ ତଥା ଘଡ଼ି ସନ୍ଧି ମୁହୂର୍ତ୍ତରେ ଶୋକ ସନ୍ତପ୍ତ ପରିବାରକୁ ମୋ ସମବେଦନା ଜଣାଉଛି। ଆଶା କରୁଛି ଆହତମାନେ ଶୀଘ୍ର ସୁସ୍ଥ ହେବେ। ସ୍ଥାନୀୟ ଅଧିକାରୀଙ୍କୁ ଉଦ୍ଧାର କାର୍ଯ୍ୟରେ ସବୁ ପ୍ରକାରର ସହାୟତା ପ୍ରଦାନ କରାଯାଉଛି।


ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ସେ ଟ୍ଵିଟ୍‌ କରି ଲେଖିଛନ୍ତି- ଗୁଜରାଟର ମୋରବୀରେ ଏକ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛି। ପ୍ରଶାସନ ଯଥାସାଧ୍ୟ ସହାୟତା ଯୋଗାଉଛନ୍ତି। ଆହତଙ୍କୁ ଶୀଘ୍ର ହସ୍ପିଟଲରେ ଭର୍ତ୍ତି କରି ଚିକିତ୍ସା ଯୋଗାଯାଉଛି। ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି।

Also Read: କ୍ରିକେଟ୍‌ ପଡ଼ିଆ ପରେ ଏବେ ବଲିଉଡ୍‌ରେ ଜଲଓ୍ଵା ଦେଖାଇବେ ଶିଖର ଧଓ୍ଵନ୍‌, ଏହି ଫିଲ୍ମରେ କରିବେ ଡେବ୍ୟୁ!

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.