Below header

ଥାଇଲାଣ୍ଡ ରାସ୍ତାରେ ମାଳ ମାଳ ମାଙ୍କଡ଼! ପର୍ଯ୍ୟଟକ ଶୂନ୍ୟ, ପ୍ରଭାବିତ ହେଉଛି ଦେଶର ଅର୍ଥନୀତି; ସରକାର ଉଠାଇଲେ ଏଭଳି ପଦକ୍ଷେପ…

ଦୁନିଆରେ ଏମିତି ଅନେକ ଦେଶ ଅଛି, ଯେଉଁଠିକାର ଅର୍ଥନୀତି ମୁଖ୍ୟତଃ ସେଠାକାର ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭର କରିଥାଏ। ଏହି ଅନେକ ଦେଶ ମଧ୍ୟରୁ ଥାଇଲାଣ୍ଡ ଅନ୍ୟତମ। ଏଠାକାର ଅର୍ଥ ବ୍ୟବସ୍ଥା ଦେଶକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ନିର୍ଭରଶୀଳ। କିନ୍ତୁ କରୋନା କାଳରେ ଦେଶର ଅର୍ଥନୀତି ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲା ଯେ ଥାଇଲାଣ୍ଡକୁ ପର୍ଯ୍ୟଟକ ଆସିବା ବନ୍ଦ ହୋଇ ଯାଇଥିଲା। ରାସ୍ତାଗୁଡ଼ିକ ଖାଁ ଖାଁ ଥିଲା, କେଉଁଠି ଜଣେ ହେଲେ ବି ପର୍ଯ୍ୟଟକ ଦେଖାଯାଉ ନ ଥିଲେ। ରାସ୍ତାରେ ଯଦିବା କିଏ ଥିଲା, ସେ ହେଉଛନ୍ତି ମାଙ୍କଡ଼ ଦଳ। କରୋନା କାଳରେ ଦେଶରେ ମାଙ୍କଡ଼ଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇ ଯାଇଛି। ଯେତେବେଳେ ଲକଡାଉନ୍ ଉଠିଥିଲା, ଲୋକଙ୍କୁ କେବଳ ମାଙ୍କଡ଼ମାନେ ହିଁ ନାନା ହଇରାଣ ହରକତ କରିବା ଆରମ୍ଭ କରି ଦେଇଥିଲେ। ଏହି କାରଣରୁ ବର୍ତ୍ତମାନ ଲୋକେ ମାଙ୍କଡ଼ ଉପଦ୍ରବକୁ ରୋକିବା ପାଇଁ ଅଣ୍ଟା ଭିଡ଼ିଛନ୍ତି।

ଥାଇଲାଣ୍ଡ ସରକାର ଏଠାରେ ମାଙ୍କଡ଼ଙ୍କୁ ଧରି ସେମାନଙ୍କୁ ନଂପୁସକ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଗତ ବର୍ଷେ ଭିତରେ ପାଖାପାଖି ୬୦୦ ମାଡ଼ଙ୍କଙ୍କୁ ନଂପୁସକ କରି ଛାଡ଼ି ଦିଆଯାଇଛି। ବାସ୍ତବରେ, ଏଠାରେ ମାଙ୍କଡମାନେ କେବଳ ସେମାନଙ୍କ ସଂଖ୍ୟା ବଢ଼ାଇ ଲୋକଙ୍କୁ ନାନା ଅସୁବିଧାରେ ପକାଉଛନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି। ଅନେକ ଜିଲ୍ଲାରେ ମାଙ୍କଡ଼ମାନଙ୍କୁ ଧରା ଯାଉଛି ଏବଂ ସେମାନଙ୍କୁ ଇଞ୍ଜେକ୍ସନ ଦେଇ ନଂପୁସକ କରି ଦିଆଯାଉଛି। ଯେପରି ଭବିଷ୍ୟତରେ ସେମାନେ ଆଉ ଛୁଆ ଜନ୍ମ କରି ପାରିବେ ନାହିଁ।

ମାଙ୍କଡ଼ ଉପଦ୍ରବ ଯୋଗୁ ଥାଇଲାଣ୍ଡର ଅନେକ ଜିଲ୍ଲାକୁ ରେଡ୍‌ ଜୋନ୍‌ରେ ପରିଣତ କରି ଦିଆଯାଇଛି। କିଛି କିଛି ଜାଗାରେ ରାସ୍ତାରେ ୩ ହଜାର ପର୍ଯ୍ୟନ୍ତ ମାଙ୍କଡ ଦେଖା ଯାଉଛନ୍ତି। ଏମିତିରେ ସେମାନେ ଲୋକଙ୍କୁ ଆକ୍ରମଣ କରି ଆହତ କରି ପକାଉଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ମାଙ୍କଡ଼ମାନେ କୌଣସି ପ୍ରକାର ଭୟ ମଧ୍ୟ କରୁ ନାହାନ୍ତି। ଏମାନେ ନିର୍ଭୟରେ ମଣିଷଙ୍କ ପାଖକୁ ଆସି ସେମାନଙ୍କୁ ଆକ୍ରମଣ କରୁଛନ୍ତି। ଅନେକ ବାର ଲୋକଙ୍କ ହାତରୁ ଖାଦ୍ୟ ପଦାର୍ଥ ଏବଂ ମୂଲ୍ୟବାନ ଜିନିଷ ଛଡ଼ାଇ ନେଇ ଯାଉଛନ୍ତି। ମାଙ୍କଡ଼ କାମୁଡ଼ାରୁ ମଣିଷକୁ ର‍୍ୟାବିଜ୍‌ ହୋଇପାରେ। କେତେକ ସ୍ଥଳେ ସେମାନଙ୍କ କାମୁଡ଼ା ପ୍ରାଣଘାତୀ ମଧ୍ୟ ହୋଇଥାଏ।

ରିପୋର୍ଟ ମୁତାବକ, ଥାଇଲାଣ୍ଡରେ ମାଙ୍କଡମାନେ ଅତ୍ୟନ୍ତ କ୍ରୋଧି ହୋଇ ଯାଇଛନ୍ତି। ଏହି କାରଣରୁ ସେମାନେ ନିଜ ନିଜ ଭିତରେ ମଧ୍ୟ ଲଢ଼େଇ କରୁଛନ୍ତି। ଏହି ସବୁ ସ୍ଥିତି ଦେଖିବା ପରେ ଥାଇଲାଣ୍ଡ ସରକାର ଏଠାରେ ମାଙ୍କଡମାନଙ୍କୁ ନଂପୁସକ କରିବା ପାଇଁ ଅଭିଯାନ ଆରମ୍ଭ କରି ଦେଇଛନ୍ତି। ଏଥିରେ ଲୋକମାନେ ମଧ୍ୟ ସରକାରଙ୍କୁ ସାହାଯ୍ୟ କରୁଛନ୍ତି। ଆଶା କରାଯାଉଛି କି, ସରକାରଙ୍କର ଏହି ପଦକ୍ଷେପ ଯୋଗୁ ମାଙ୍କଡ଼ଙ୍କ ସଂଖ୍ୟା କମିବ, ଯଦ୍ଦ୍ଵାରା ଦେଶକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.