ସ୍ତ୍ରୀ ନିର୍ଯାତନା ସହି ନ ପାରି ଏସପିଙ୍କ ପାଖକୁ ଯାଇଥିଲେ ସ୍ୱାମୀ, ଦେଖାକରିବାକୁ ଅନୁମତି ମିଳିଲାନି ବୋଲି ବିଷ ପିଇଦେଲେ ସ୍ୱାମୀ

ସ୍ତ୍ରୀ ଦେଉଥିବା ନିର୍ଯାତନା ପାଇଁ ଅଭିଯୋଗ କରିବାକୁ ଥାନାକୁ ଯାଇଥିଲେ ସ୍ୱାମୀ । ତାଙ୍କ ଅଭିଯୋଗ ପୋଲିସ ଗ୍ରହଣ କରିନଥିଲା । ତେଣୁ ଏସପି ଙ୍କ ବାସଭବନକୁ ଭେଟିବାକୁ ଯାଇଥିଲେ । ସେଠାରେ ତାଙ୍କୁ ଏସପିଙ୍କୁ ଭେଟିବାକୁ ଅନୁମତି ମିଳିନଥିଲା । ଶେଷରେ ନିରାଶ ହୋଇ ଏସପିଙ୍କ ବାସଭବନ ସାମ୍ନାରେ ବିଷ ପିଇଦେଇଥିଲେ ।

ସ୍ତ୍ରୀ ଦେଉଥିବା ନିର୍ଯାତନାକୁ ସହି ନ ପାରି ଏସପିଙ୍କ ବାସ ଭବନ ସମ୍ମୁଖରେ ଜୀବନ ହାରିଲେ ସ୍ୱାମୀ । ସ୍ତ୍ରୀ ଦେଉଥିବା ନିର୍ଯାତନା ପାଇଁ ଅଭିଯୋଗ କରିବାକୁ ଥାନାକୁ ଯାଇଥିଲେ ସ୍ୱାମୀ । ତାଙ୍କ ଅଭିଯୋଗ ପୋଲିସ ଗ୍ରହଣ କରିନଥିଲା । ତେଣୁ ଏସପି ଙ୍କ ବାସଭବନକୁ ଭେଟିବାକୁ ଯାଇଥିଲେ । ସେଠାରେ ତାଙ୍କୁ ଏସପିଙ୍କୁ ଭେଟିବାକୁ ଅନୁମତି ମିଳିନଥିଲା । ଶେଷରେ ନିରାଶ ହୋଇ ଏସପିଙ୍କ ବାସଭବନ ସାମ୍ନାରେ ବିଷ ପିଇଦେଇଥିଲେ । ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କର ବାଟରେ ମୃତ୍ୟୁ ଘଟିଥିଲା । ଏଭଳି ଘଟଣା ଉତ୍ତରପ୍ରଦେଶ ପିଲିଭିତରେ ଘଟିଛି ।

ଖବର ମୁତାବକ, ମୃତ ବ୍ୟକ୍ତିଙ୍କ ନାଁ ପ୍ରଦୀପ କୁମାର (୨୬) । ସେ ନୌଗାଁ ପକରୀୟାର ରହୁଥିଲେ । ଗତ ଦୁଇ ମାସ ତଳେ ସେ ଜହାନାବାଦ ଅଞ୍ଚଳର ଈଶାଙ୍କୁ ବିବାହ କରିଥିଲେ । ପ୍ରଦୀପଙ୍କୁ ତାଙ୍କ ପତ୍ନୀ ନିର୍ଯାତନା ଦେଉଥିଲେ । ପ୍ରଦୀପ ତାଙ୍କୁ ଯୌତୁକ ଆଣିବାକୁ କହିବା ସହିତ ଶାରୀରିକ ନିର୍ଯାତନା ଦେଉଥିବା ନେଇ ସେ ଥାନାରେ ମିଛ ଅଭିଯୋଗ କରିଥିଲେ । ପୁଣି ଥାନାରୁ ମାମଲା ଉଠାଇ ନେବା ପାଇଁ ସେ ପ୍ରଦୀପଙ୍କୁ ୫ ଲକ୍ଷ ଟଙ୍କା ମାଗିଥିଲେ ।

ତେବେ ପତ୍ନୀ କରିଥିବା ଅଭିଯୋଗ ପରେ ବାରମ୍ବାର ଥାନାକୁ ଯିବାକୁ ପଡୁଥିଲା । କିନ୍ତୁ ଥାନାରେ ତାଙ୍କ କଥା କେହି ଶୁଣିନଥିଲେ । ସେ ଗୁହାରୀ କରିବାକୁ ଯାଇଥିବା ବେଳେ ତାଙ୍କ ଅଭିଯୋଗ ପୋଲିସ ରଖିନଥିଲା । ତେଣୁ ସେ ଏସପିଙ୍କ ବାସଭବନକୁ ଯାଇଥିଲେ ଗୁହାରୀ କରିବାକୁ । ସେଠାରେ ମଧ୍ୟ ଏସପିଙ୍କ ସହିତ ଦେଖାକରିବାକୁ ସୁଯୋଗ ଦିଆଯାନଥିଲା । ସେ କହିଥିଲେ ଯେ, ଯଦି ତାଙ୍କ କଥା ଶୁଣା ନଯାଏ, ତା’ହେଲେ ସେ ବିଷ ପିଇ ଦେବେ । ତାଙ୍କୁ ଏସ୍ପିଙ୍କୁ ଭେଟିବାକୁ ଦିଆଗଲା ନାହିଁ । ତେଣୁ ସେ ବିଷ ପିଇ ଦେଲେ ।

ତେବେ ଏନେଇ ଏସ୍ପି ଅତୁଲ ଶର୍ମା କହିଛନ୍ତି, ପ୍ରଦୀପଙ୍କ ନାଁରେ ମାମଲା ଥିଲା । ସେଥିପାଇଁ ଶୁକ୍ରବାର ଦିନ ତାଙ୍କୁ ଥାନାକୁ ଡକା ଯାଇଥିଲା । ପଚରାଉଚରା ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା । ଶନିବାର ଯେତେବେଳେ ସେ ମୋ ପାଖକୁ ତାଙ୍କ ଲିଖିତ ଅଭିଯୋଗ ଧରି ଆସିଥିଲେ ତା’ ପୂର୍ବରୁ ବିଷ ପିଇ ସାରିଥିଲେ । ସେ ବିଷ ପିଇଥିବା ସୁରକ୍ଷାକର୍ମୀଙ୍କୁ କହିଥିଲେ, ପରେ ତୁରନ୍ତ ସୁରକ୍ଷାକର୍ମୀ ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ୍ ନେବାକୁ ବ୍ୟବସ୍ଥା କରିଥିଲେ । ହେଲେ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ତେବେ ପୋଲିସ ମୃତ ବ୍ୟକ୍ତିଙ୍କ ପରିବାର ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.