ଦେଶରେ ପୁଣି ବଢ଼ିଲା ଆକ୍ରାନ୍ତ ସଂଖ୍ୟା, ଗତ ୨୪ ଘଣ୍ଟାରେ ୩୮ ହଜାର ୬୧୭ ନୂଆ ପଜିଟିଭ କେସ, ଗଲା ୪୭୪ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟାରେ ପୁଣି ଥରେ ବୃଦ୍ଧି ଘଟିଛି । ସୋମବାର ଦିନ ୩୦ ହଜାରରୁ କମ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟା ଭିତରେ ୩୮ ହଜାର ୬୧୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସଂକ୍ରମିତ ସଂଖ୍ୟା ୮୯ ଲକ୍ଷ ପାର ହୋଇଛି । ଯେବେକି ସୁସ୍ଥ ସଂଖ୍ୟା ୮୩ ଲକ୍ଷ ପାର ହୋଇଛି । ମୋଟ ରୂପରେ ଦେଖିଲେ ଏଯାବତ ୮୯ ଲକ୍ଷ ୧୨ ହଜାର ୯୦୮ ଜଣଙ୍କ ରିପୋର୍ଟ ପଜିଟିଭ ଆସିସାରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶର ବିଭିନ୍ନ ସ୍ଥାନରୁ ୪୭୪ ଜଣଙ୍କ ଜୀବନ ଯାଇଛି । ଯାହାକୁ ମିଶାଇ ୧ ଲକ୍ଷ ୩୦ ହଜାର ୯୯୩ ଛୁଇଁଛି ମୃତକ ସଂଖ୍ୟା ।

ଯେବେକି ଗତ ୨୪ ଘଣ୍ଟା ଭିତରେ ୪୪ ହଜାର ୭୩୯ ସୁସ୍ଥତା ଲାଭ କରିଥିବା ନେଇ ଜଣାଯାଇଛି । ଗତ କିଛି ଦିନ ହେବ ୫ ଲକ୍ଷ ତଳେ ରହିଛି ସକ୍ରିୟ ମାମଲା । ସଂଖ୍ୟା ଦୃଷ୍ଟିରୁ ଦେଖିଲେ ୪ ଲକ୍ଷ ୪୬ ହଜାର ୮୦୫ ସକ୍ରିୟ ମାମଲା ଥିବା ବେଳେ ଗୋଟିଏ ଦିନ ଭିତରେ ୬ ହଜାର ୫୯୬ ପର୍ଯ୍ୟନ୍ତ କମିଛି ।ଅନ୍ୟ ପକ୍ଷରେ, ଦୀପାବଳିର ଠିକ ପରେ ରାଜଧାନୀ ଦିଲ୍ଲୀରେ ସାଂଘାତିକ ସ୍ଥିତିରେ ପହଞ୍ଚିଛି କରୋନା । ଦୈନିକ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନୋଏଡା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଦିଲ୍ଲୀ ଓ ନୋଏଡା ମଧ୍ୟରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଯିବା ଆସିବା କରିଥାନ୍ତି । ତେଣୁ ଆଜିଠୁ ଦିଲ୍ଲୀ-ନୋଏଡା ବର୍ଡରରେ ରେଣ୍ଡମ୍‌ ଟେଷ୍ଟିଂ କରାଯିବା ନେଇ ସ୍ଥିର ହୋଇଛି । ନୋଏଡାର ସବୁ ବର୍ଡରରେ ରେଣ୍ଡମ୍‌ ଟେଷ୍ଟିଂ ହେବ । ଯେଉଁ ଅଞ୍ଚଳରେ ଅଧିକ ସଂକ୍ରମଣ ଚିହ୍ନଟ ହେବ, ସେହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ରେ ପରିବର୍ତ୍ତନ କରାଯିବ । ସେହିପରି ବିବାହ ଉତ୍ସବରେ ୨୦୦ ପରିବର୍ତ୍ତେ ୫୦ ଜଣ ଲୋକଙ୍କୁ ସାମିଲ ପାଇଁ ଉପରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଛନ୍ତି ଦିଲ୍ଲୀ ସରକାର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.