ଭାରତର ଇସ୍ପାତ ପୁରୁଷ ତଥା ଟାଟା ଷ୍ଟିଲର ପୂର୍ବତନ ଏମଡି ଜାମସେଦ ଜେ ଇରାନୀଙ୍କ ପରଲୋକ

ଟାଟା ଷ୍ଟିଲର ପୂର୍ବତନ ପ୍ରବନ୍ଧକ ନିର୍ଦ୍ଦେଶକ(ଏମଡି) ତଥା ଭାରତର ଷ୍ଟିଲ ମ୍ୟାନ୍, ପଦ୍ମଭୂଷଣ ଡ. ଜାମସେଦ ଜେ ଇରାନୀଙ୍କ ପରଲୋକ ହୋଇଛି। ଜାମସେଦପୁର ଟାଟା ମେନ ହସ୍ପିଟାଲ୍ରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଟାଟା ଷ୍ଟିଲ ପକ୍ଷରୁ ଏହି ସୂଚନା ମିଳିଛି। ଭାରତର ଷ୍ଟିଲ ମ୍ୟାନ୍ ଭାବେପରିଚିତ ଜାମସେଦ ଜେ ଇରାନୀ ଜୁନ୍ ୨୦୧୧ରେ ଟାଟା ଷ୍ଟିଲ ବୋର୍ଡରୁ ଅବସର ନେଇଥିଲେ।
ତାଙ୍କ ବିୟୋଗରେ ଟାଟା ଷ୍ଟିଲ୍ ଦୁଃଖ ପ୍ରକାଶ କରିଛି। କମ୍ପାନୀ ଏକ ବୟାନ ଜାରି କରି କହିଛି, ଭାରତର ଷ୍ଟିଲ ମ୍ୟାନଙ୍କ ନିଧନ ହୋଇଛି। ପଦ୍ମଭୂଷଣ ଡ. ଜାମସେଦ ଜେ ଇରାନୀଙ୍କ ବିୟୋଗରେ ଆମେ ମର୍ମାହତ ଏବଂ ଦୁଃଖିତ। ସେ ଦେଶର ଇସ୍ପାତ ପୁରୁଷ ବା ଷ୍ଟିଲ୍ ମ୍ୟାନ୍ ଅଫ ଇଣ୍ଡିଆ ଭାବେ ପରିଚିତ। ଟାଟା ଷ୍ଟିଲ୍ ପରିବାର ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛି। ୩୧ ଅକ୍ଟୋବର ରାତି ୧୦ଟାରେ ଜମସେଦପୁରର ଟାଟା ହସପିଟାଲରେ ତାଙ୍କ ବିୟୋଗ ହୋଇଛି।
Jamshed J Irani, known as Steel man of India, passes away
Read @ANI Story | https://t.co/Gz1oNMc2GT#JamshedIrani #TataSteel #Jamshedpur #SteelManOfIndia pic.twitter.com/HToNz8KzAQ
— ANI Digital (@ani_digital) November 1, 2022
ଇରାନୀ ୧୯୬୮ରେ ଟାଟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀରେ ସାମିଲ ହେବା ପରେ ଭାରତକୁ ଫେରିଥିଲେ। ସେ ଟାଟା ଷ୍ଟିଲର ସହାୟକ ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ। ୧୯୭୯ରେ ମହାପ୍ରବନ୍ଧକ ଭାବେ ନିଯୁକ୍ତ ହୋଇଥିଲେ ଏବଂ ୧୯୮୫ରେ ସଭାପତି ହୋଇଥିଲେ। ୧୯୯୨ରୁ ୨୦୦୧ ଜୁଲାଇ ଯାଏଁ ଟାଟାର ପରିଚାଳକ ନିର୍ଦ୍ଦେଶକ ଦାୟିତ୍ଵ ତୁଲାଇଥିଲେ। ଭାରତୀୟ ଶିଳ୍ପ, ଇସ୍ପାତ କାରବାର ଏବଂ ଟାଟା ପ୍ରତି ଇରାନୀଙ୍କ ଅତୁଳନୀୟ ଅବଦାନ ରହିଛି। ସେ ୧୯୬୩ରେ ୟୁକେର ସେଫିଲ୍ଡରେ ବ୍ରିଟିଶ ଆଇରନ ଏବଂ ଷ୍ଟିଲ୍ ରିସର୍ଚ୍ଚ ଆସୋସିଏସନର ବରିଷ୍ଠ ସାଇଣ୍ଟିଫିକ୍ ଅଫିସର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ।
୧୯୫୮ରେ ଜାମସେଦ ଜେ ଇରାନୀ ନାଗପୁର ବିଶ୍ଵବିଦ୍ୟାଳୟରୁ ଜୀବ ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିଥିଲେ। ୟୁକେର ସେଫିଲ୍ଡରେ ଡକ୍ଟରେଟ୍ ସାର୍ଟିଫିକେଟ୍ ପାଇବାରେ ସଫଳତା ହାସଲ କରିଥିଲେ। ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୦୭ରେ ତାଙ୍କୁ ପଦ୍ମଭୂଷଣରେ ସମ୍ମାନିତ ହୋଇଛନ୍ତି।