ଶିଶୁକୁ ପରିବାର ନିକଟରେ ପହଞ୍ଚାଇଲା ମାତ୍ର ଗୋଟିଏ ଟ୍ୱିଟ୍, ସାହାଯ୍ୟର ହାତ ବଢ଼ାଇଲେ ଆଇପିଏସ ବୋଥ୍ରା

ଆଇପିଏସ ଅଫିସର ହିସାବରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା ହେଉ ବା ସେସୁ ଓ କ୍ରୁଟର ସିଇଓ, ସବୁଠି ନିଜର ନିଆରା କାର୍ଯ୍ୟଶୈଳୀ ପାଇଁ ଚର୍ଚ୍ଚାରେ ଅଛନ୍ତି ଅରୁଣ ବୋଥ୍ରା। ତେବେ ସେ ଆଜି ନିଜ ବୃତ୍ତି ପାଇଁ ନୁହେଁ, ବରଂ ସମାଜ ସେବା ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ନିକଟ ଅତୀତରେ ସୋସିଆଲ ମିଡିଆ ବ୍ୟବହାର କରି ରାଜସ୍ଥାନରୁ ଓଟ କ୍ଷୀର ଆଣି ମୁମ୍ବାଇରେ ରୋଗିଣା ଶିଶୁ ପାଖରେ ପହଞ୍ଚାଇଥିଲେ। ଆଜି ତାଙ୍କ ପାଇଁ ପରିବାରଠାରୁ ଅଲଗା ହୋଇଯାଇଥିବା ଶିଶୁ ପୁଣି ପରିବାରକୁ ଫେରି ପାଇଛି।

Major Bureaucratic Reshuffle In Odisha, Arun Bothra Gets ...

ଏକ ପାର୍କରେ ଅବହେଳିତ ଅବସ୍ଥାରେ ଶିଶୁଟି ପଡି ରହିଥିବା ଦେଖି ଜଣେ ମହିଳା ଟ୍ୱିଟ କରିଥିଲେ। ଏହି ଟ୍ୱିଟର ୨୪ ଘଣ୍ଟା ମଧ୍ୟରେ ଶିଶୁଟି ପାଖରେ ତାର ପରିବାର ପହଞ୍ଚିଥିଲେ। ‘ସାହାଯ୍ୟ କରିବାକୁ ହେଲେ ଅର୍ଥ କିମ୍ବା ମାନବ ସମ୍ବଳର ଆବଶ୍ୟକତା ନାହିଁ, ବରଂ ମାଗଣାରେ ଗୋଟିଏ ଟ୍ୱିଟ ଅନେକଙ୍କୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇଦିଏ’ ବୋଲି ଟ୍ୱିଟ କରି ଏହି ଘଟଣା ସମ୍ବନ୍ଧରେ ଜଣାଇଛନ୍ତି ଆଇପିଏସ ଅଫିସର ଶ୍ରୀ ବୋଥ୍ରା।


ରିପୋର୍ଟ ମୁତାବକ,ତାଲାବନ୍ଦ ପୂର୍ବରୁ ଦିଲ୍ଲୀର ଏକ ପରିବାର ତାଙ୍କର ୧୨ବର୍ଷର ପୁଅକୁ ବନ୍ଧୁଙ୍କ ଘରେ ଛାଡି ବିହାରର ସମସ୍ତିପୁରକୁ ଯାଇଥିଲେ। ହେଲେ ପାରିବାରିକ ଗଣ୍ଡଗୋଳକୁ ନେଇ ବନ୍ଧୁ ଜଣକ ପୁଅକୁ ଦୁଇଦିନ ତଳେ ଘରୁ ବାହାର କରି ଦେଇଥିଲେ। ଘରୁ ବାହାରିବା ପରେ ସେ ବିହାର ଆସିବାକୁ ସମର୍ଥ ନଥିଲେ। ଏଣେ ପରିବାରବର୍ଗ ଦିଲ୍ଲୀ ଫେରିବାକୁ ସମର୍ଥ ନଥିଲେ। ପୁଅ ଦ୍ଵାରିକାର ଏକ ପାର୍କରେ ଆଶ୍ରୟ ନେଇଥିଲା, ଅଖିଆ ଅପିଆ ପଡି ରହିଥିଲା। ସେହି ପାର୍କରେ ଜଣେ ମହିଳା ବୁଲା କୁକୁରଙ୍କୁ ଖାଇବାକୁ ଦେବାବେଳେ ତାଙ୍କର ନଜର ଶିଶୁ ଉପରେ ପଡିଥିଲା। ସେ ଦୁଃଖ କାହାଣୀ ଶୁଣିବା ପରେ କିଛି ଦିନ ପାଇଁ ଖାଦ୍ୟ ଯୋଗାଡ଼ କରି ଦେଇଥିଲେ ଏବଂ ଇଣ୍ଡିଆ କେୟାର୍ସ ଓ ଅରୁଣ ବୋଥ୍ରାଙ୍କୁ ଟ୍ୟାଗ କରି ଟ୍ୱିଟ କରିଥିଲେ।

ଖବରଟି ଇଣ୍ଡିଆ କେୟାର୍ସର ସମସ୍ତ ସଦସ୍ୟଙ୍କ ପାଖରେ ପହଞ୍ଚି ଯାଇଥିଲା। କିଛି ସଦସ୍ୟ ବିହାର ସମସ୍ତିପୁରରେ ପରିବାରକୁ ଠାବ କରିଥିଲେ। କିଛି ସମ୍ପୃକ୍ତ ଶିଶୁକୁ ଠାବ କରିଥିଲେ। ଟିମର ସଦସ୍ୟ ବିହାରରୁ ଟ୍ରେନ ଟିକେଟ କରି ପରିବାର ବର୍ଗକୁ ଦିଲ୍ଲୀ ପଠାଇଥିଲେ। ପରିବାରବର୍ଗ ସମ୍ପୃକ୍ତ ପାର୍କରେ ପହଞ୍ଚି ପୁଅକୁ ଭେଟିଥିଲେ। ପରେ ପୁଅ ସହ ପରିବାରବର୍ଗକୁ ଘରକୁ ପଠାଇଥିଲେ। ଏହି ଘଟଣା ସମ୍ପର୍କରେ ଶ୍ରୀ ବୋଥ୍ରା ଟ୍ୱିଟ କରି ସୂଚନା ଦେବା ପରେ ବିଭିନ୍ନ ଆଡୁ ପ୍ରଶଂସାର ସୁଅ ଛୁଟିଛି। ଏଭଳି ନିଃସ୍ୱାର୍ଥପର ସେବାକୁ ସମସ୍ତେ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.