ଇସ୍ରାଏଲକୁ ତେହେରାନର କଡ଼ା ଚେତାବନୀ: ଆହୁରି ଭୟଙ୍କର ହେବ ଯୁଦ୍ଧ
ତେହେରାନ କହିଛି ଯଦି ଗାଜାରେ ହମାସ ବିରୋଧରେ ଇସ୍ରାଏଲ ନିଜର ମିଲିଟାରୀ ଅଭିଯାନ ଜାରି ରଖେ ତେବେ ଇରାନ ହସ୍ତକ୍ଷେପ କରିବ ବୋଲି ଚେତାବନୀ ଦେଇଛି । ହମାସକୁ ସମର୍ଥନ କରୁଛି ଇରାନ । ଯୁଦ୍ଧ ଚାଲିଥିବା ବେଳେ ଗତ ରାତିରେ କାତାରରେ ହମାସ ନେତା ଇସମାଇଲ ହାନିୟେଙ୍କ ସହ ଇରାନ ବୈଦେଶିକ ମନ୍ତ୍ରୀ ହସଖୁସି ହେଉଥିବା ଦେଖିବାକୁ ମିଳିଛି ।

କେନ୍ୟୁଜ୍(ବ୍ୟୁରୋ): ମଧ୍ୟ ପ୍ରାଚ୍ୟରେ ଆହୁରି ଭୟଙ୍କର ହେବ ଯୁଦ୍ଧ । ଇସ୍ରାଏଲ-ହମାସ ଯୁଦ୍ଧରେ ସାମିଲ ହେବା ନେଇ ଧମକ ଦେଇଛି ଇରାନ । ଏନେଇ ଇସ୍ରାଏଲକୁ ତେହେରାନ କଡ଼ା ବାର୍ତ୍ତା ଦେଇ କହିଛି ଯଦି ଗାଜାରେ ହମାସ ବିରୋଧରେ ଇସ୍ରାଏଲ ନିଜର ମିଲିଟାରୀ ଅଭିଯାନ ଜାରି ରଖେ ତେବେ ଇରାନ ହସ୍ତକ୍ଷେପ କରିବ। ହମାସକୁ ସମର୍ଥନ କରୁଛି ଇରାନ । ଯୁଦ୍ଧ ଚାଲିଥିବା ବେଳେ ଗତ ରାତିରେ କାତାରରେ ହମାସ ନେତା ଇସମାଇଲ ହାନିୟେଙ୍କ ସହ ଇରାନ ବୈଦେଶିକ ମନ୍ତ୍ରୀ ହସଖୁସି ହେଉଥିବା ଦେଖିବାକୁ ମିଳିଛି । ଯୁଦ୍ଧକୁ ନେଇ ଇସଲାମିକ ରାଷ୍ଟ୍ରଙ୍କ ବୁଧବାର ଜେଦାହରେ ବୈଠକ ହେବ। ଇସଲାମିକ ସମିତିର ଚଳିତ ଅଧିବେଶନରେ ଅଧ୍ୟକ୍ଷତା କରୁଥିବା ସାଉଦି ଆରବ ଏହି ବୈଠକ ଡାକିଛି। ଗାଜାରେ ହମାସ ନିପାତ ପାଇଁ ଇସ୍ରାଏଲର ବଡ଼ ଅପରେସନ ଚଳାଇଛି।
ଉତ୍ତର ଗାଜାରୁ ଲୋକ ଦକ୍ଷିଣକୁ ସୁରକ୍ଷିତ ଭାବେ ଯିବା ପରେ ପଶିବେ ୧୦ ହଜାର ଇସ୍ରାଏଲୀ ସେନା । ଏଭିତରେ ଯୁଦ୍ଧକୁ ସପ୍ତାହେ ପୂରିଥିବା ବେଳେ ଗାଜାରେ ଇସ୍ରାଏଲର ଅପରେସନ ପୂର୍ବରୁ ବନ୍ଦ ହୋଇଛି ଇଣ୍ଟରନେଟ ସେବା। ଭୂମଧ୍ୟସାଗରରେ ଇସ୍ରାଏଲ ନୌସେନା ପକ୍ଷରୁ ଆତଙ୍କବାଦୀଙ୍କ ଉପରେ ଆଟାକ । ଜଳପଥ ଦେଇ ବୋଟ୍ ରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପରେ ନୌସେନା ହମଲା କରିଛି । ଏହାର ଭିଡିଓ ସାମ୍ନାକୁ ଆସିଛି । ସ୍ନାପିର ୟୁନିଟର ଗୁଳିମାଡ଼ ପରେ କିଛି ଆତଙ୍କବାଦୀ ପହଁରି ପହଁରି କୂଳକୁ ପଳାଉଥିବା ଦେଖିବାକୁ ମିଳିଛି । ତେବେ ନୌସେନା ଗୁଳିମାଡ଼ରେ ବହୁ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଯୁଦ୍ଧର ଘନଘଟାରେ ଏଯାଏ ଉଭୟ ଦେଶର ସାଢେ ୩ହଜାରରୁ ଅଧିକ ନାଗରିକଙ୍କ ଜୀବନ ଗଲାଣି। ଇସ୍ରାଏଲର ୧୩ଶହରୁ ଅଧିକ ନାଗରିକ ଓ ଗାଜାର ୨ହଜାର ୨ଶହରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଛି। ଶହେରୁ ଅଧିକ ବିଦେଶୀ ନାଗରିକ ମଧ୍ୟ ମୃତ୍ୟୁବରଣ କରିଛନ୍ତି ।