କ’ଣ କରୋନାକୁ ରୋକିବାରେ ଭାଙ୍ଗ ପ୍ରଭାବଶାଳୀ? ଅନୁସନ୍ଧାନରୁ ମିଳିଲା ଏହି ପ୍ରଶ୍ନର ଉତ୍ତର…

କରୋନାକୁ ଶେଷ କରିବା ପାଇଁ ଅନେକ ପ୍ରକାରର ଗବେଷଣା କରାଯାଉଛି। ଆମେରିକାରେ ହୋଇଥିବା ଏକ ଅନୁସନ୍ଧାନରେ କୁହାଯାଇଛି କି, ଭାଙ୍ଗରେ ମିଳୁଥିବା ଏକ ସକ୍ରିୟ ଉପାଦାନ କାନବିଡିଓଲ (CBD) କୋଭିଡ୍‌-୧୯ ଭାଇରସ୍‌ର ସଂକ୍ରମଣକୁ ରୋକିବାରେ ସହାୟକ ହୋଇ ପାରେ। ଅନୁସନ୍ଧାନକାରୀଙ୍କ ମୁତାବକ, ଲ୍ୟାବ ଟେଷ୍ଟରେ CBD ଆଶାନୁରୂପ ପରିଣାମ ଦେଖାଇଛି। ଯଦିଓ ସେମାନେ ଏହା ମଧ୍ୟ କହିଛନ୍ତି ଯେ କୌଣସି ବି ସିଦ୍ଧାନ୍ତରେ ପହଞ୍ଚିବା ପୂର୍ବରୁ ଆଉ କିଛି ପରୀକ୍ଷା କରିବାକୁ ପଡିବ।

ବାକି ରହିଛି Human Trials

ଖବର ଅନୁସାରେ, ଅନୁସନ୍ଧାନକାରୀମାନେ କହିଛନ୍ତି, ଲ୍ୟାବ ଟେଷ୍ଟର ପରିଣାମ ସକାରାତ୍ମକ ରହିଛି, କିନ୍ତୁ ଏବେ ମନୁଷ୍ୟ ଉପରେ ଟେଷ୍ଟ କରାଯିବା ବାକି ଅଛି। ଏହାପରେ ହିଁ ଅଧିକ କିଛି କୁହାଯାଇ ପାରିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୋଭିଡ୍‌-୧୯ର ଏପରି ଅନେକ ଚିକିତ୍ସା, ଯାହା ଟେଷ୍ଟ୍ ଟ୍ୟୁବରେ ଭଲ ରେଜଲ୍ଟ ଦେଖାଇଥିଲା, ତାହା ଆଗକୁ କାମ କରିପାରି ନ ଥିଲା। ଏଥିପାଇଁ ଅନୁସନ୍ଧାନକାରୀମାନଙ୍କ କହିବା ହେଲା, ମଣିଷ ଉପରେ ପରୀକ୍ଷଣ ପରେ ହିଁ କୌଣସି ସିଦ୍ଧାନ୍ତରେ ପହଞ୍ଚି ହେବ।

ଅନୁସନ୍ଧାନକାରୀ ଦଳର ନେତୃତ୍ୱ ନେଇଥିବା ଶିକାଗୋ ବିଶ୍ୱବିଦ୍ୟାଳୟର ମାର୍ଶା ରୋସନର୍ କହିଛନ୍ତି, ଲ୍ୟାବ୍‌ ଟେଷ୍ଟର ରେଜଲ୍ଟ ଟ୍ରାଏଲ ଆରମ୍ଭ କରିବା ପାଇଁ ଏକ ଦୃଢ଼ ଆଧାର ପ୍ରଦାନ କରିଥାଏ। ସେ କହିଥିଲେ, ଆମ ଫଳାଫଳ ଏହା କହୁନାହିଁ ଯେ CBD ରୋଗୀମାନଙ୍କଠାରେ କାମ କରିବ। ଆମ ଫଳାଫଳ କ୍ଲିନିକାଲ୍ ପରୀକ୍ଷା ପାଇଁ ଏକ ମଜଭୁତ ମାମଲା ପ୍ରସ୍ତୁତ କରିଛି। ଯେହେତୁ ଏହା ମଣିଷ ଉପରେ ପରୀକ୍ଷା କରାଯାଇ ନାହିଁ, ତେଣୁ ଅନୁମାନ କରାଯିବା ଉଚିତ ନୁହେଁ କି, ଭାଙ୍ଗ ଆଦି ଖାଇବା ଦ୍ୱାରା କରୋନା ଭାଇରସ୍‌ଠୁ ସୁରକ୍ଷିତ ରହି ହେବ।

ସାଇନ୍ସ ଆଡଭାନ୍ସର ରିପୋର୍ଟ ଅନୁସାରେ, ଅନୁସନ୍ଧାନକାରୀ ଜାଣିବାକୁ ପାଇଲେ ଯେ CBD ଭାଇରସ୍‌ର କୋଶିକାଗୁଡ଼ିକରେ ପ୍ରବେଶ କରିବା ପରେ ତୁରନ୍ତ କାମ କରିଥିଲା। ଏହା Inflammatory Protein Interferon ଉପରେ ନିଜର ପ୍ରଭାବ ମାଧ୍ୟମରେ ଭାଇରସ୍‌ର କପି ତିଆରି କରିବାକୁ ଦେଇ ନ ଥିଲା। ସେମାନେ ସଂକ୍ରମିତ ମୂଷାଙ୍କ ଉପରେ ହିଁ ଏହି ପ୍ରଭାବ ପାଇଥିଲେ। ମାର୍ଶା ରୋସନର୍ କହିଛନ୍ତି, ‘ଆମେ ଏ ପର୍ଯ୍ୟନ୍ତ ଜାଣି ନାହୁଁ ଯେ CBD କୋଭିଡ୍‌କୁ ରୋକି ପାରିବ କି ନାହିଁ, କିନ୍ତୁ ଆମକୁ ଲାଗୁଛି, ଆମ ଫଳାଫଳ କ୍ଲିନିକାଲ୍ ପରୀକ୍ଷା ପାଇଁ ଏକ ଦୃଢ଼ ଆଧାର ପ୍ରଦାନ କରିଥାଏ। ଆମେ ଏକ କ୍ଲିନିକାଲ୍ ପରୀକ୍ଷା ଚାହୁଁଛୁ’।

ମୁଖ୍ୟ ଅନୁସନ୍ଧାନକାରୀ ମାର୍ଶା ରୋସନର୍ ଆହୁରି କହିଛନ୍ତି, ‘ଆମ ପରିଣାମ କହୁଛି ଯେ CBD ଓ ଏହାର ମେଟାବୋଲାଇଟ୍‌ 7-OH-CBD ସଂକ୍ରମଣର ପ୍ରାରମ୍ଭ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ SARS-CoV-2 ସଂକ୍ରମଣକୁ ରୋକି ପାରିବ’। ସେ କହିଥିଲେ କି, ଏହି ସେଲ ଆଧାରିତ ସିଦ୍ଧାନ୍ତ ବ୍ୟତୀତ ପୂର୍ବ କ୍ଲିନିକାଲ୍ ଅଧ୍ୟୟନରୁ ଜଣା ପଡ଼ିଛି ଯେ CBD ଚିକିତ୍ସା SARS-CoV-2 ସଂକ୍ରମିତ ମୂଷାଙ୍କ ଫୁସ୍‌ଫୁସ ଏବଂ Nasal Turbinatesରେ ଭାଇରାଲ ଟାଇଟର୍ସକୁ କମ୍‌ କରି ଦେଇଥିଲା।