ଉମେଶ ପାଲ୍ ହତ୍ୟା: ଅଭିଯୁକ୍ତ ବିଜୟ-ଅର୍ବାଜଙ୍କୁ ଏନ୍କାଉଣ୍ଟର କରିଥିବା ପୋଲିସ କର୍ମୀଙ୍କୁ ନୋଟିସ୍
ଅଭିଯୁକ୍ତ ଅରବାଜ ଓ ବିଜୟ ଚୌଧୁରୀଙ୍କୁ ଏନକାଉଣ୍ଟର କରିଥିବା ପୋଲିସ କର୍ମୀଙ୍କୁ ନ୍ୟାୟିକ ଆୟୋଗ ନୋଟିସ ପଠାଇଛନ୍ତି।
ଉମେଶ ପାଲ ହତ୍ୟା ମାମଲାରେ ଉତ୍ତର ପ୍ରଦେଶ ପୋଲିସ ଏନକାଉଣ୍ଟର କରି ଅସଦଙ୍କ ସମେତ ୪ ଅଭିଯୁକ୍ତଙ୍କୁ ନିପାତ କରିଛି। ଅଭିଯୁକ୍ତ ଅରବାଜ ଓ ବିଜୟ ଚୌଧୁରୀଙ୍କ ଏନକାଉଣ୍ଟରରେ ଯେଉଁ ପୋଲିସ କର୍ମୀ ସମ୍ପୃକ୍ତ ଥିଲେ, ସେମାନଙ୍କୁ ନ୍ୟାୟିକ ଆୟୋଗ ଏବେ ନୋଟିସ ପଠାଇଛନ୍ତି। ଏହି ପୋଲିସ କର୍ମୀଙ୍କର ଲକ୍ଷ୍ନୌସ୍ଥିତ ନ୍ୟାୟିକ ଆୟୋଗ ଅଫିସ୍ରେ ବୟାନ ରେକର୍ଡ କରାଯିବ।
ପୋଲିସ ଏ ପର୍ଯ୍ୟନ୍ତ ଏନକାଉଣ୍ଟରରେ ଯେଉଁ ଅଭିଯୁକ୍ତମାନଙ୍କୁ ନିପାତ କରିଛି, ସେମାନେ ହେଲେ ଅସଦ, ଗୁଲାମ, ଅରବାଜ ଓ ବିଜୟ ଚୌଧୁରୀ। ଅସଦ ଥିଲା ମାଫିଆ ଅତିକ୍ ଅହମ୍ମଦଙ୍କ ପୁଅ। ପୋଲିସର କହିବା ହେଲା, ଯେତେବେଳେ ଏହି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ଯାଇଥିଲା, ସେତେବେଳେ ସେମାନେ ପୋଲିସ ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ଏଭଳି ସ୍ଥିତିରେ ପୋଲିସକୁ ବି ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିଥିଲା ଏବଂ ଏଥିରେ ସମସ୍ତ ଅଭିଯୁକ୍ତ ନିପାତ ହୋଇଥିଲେ।
ଯଦିଓ ଅଭିଯୁକ୍ତମାନଙ୍କ ଏନ୍କାଉଣ୍ଟର ଉପରେ ଏସପି, ବିଏସପି ସମେତ ଅନେକ ଦଳର ନେତା ପ୍ରଶ୍ନ ଉଠାଇଥିଲେ। ପୋଲିସ ଫର୍ଜି ଉପାୟରେ ସେମାନଙ୍କ ଏନକାଉଣ୍ଟର କରିଥିବା ଅଭିଯୋଗ ହୋଇଥିଲା। ଏ ସମସ୍ତ ଅଭିଯୁକ୍ତ ଆତ୍ମସମର୍ପଣ କରିବାକୁ ଚାହୁଁଥିଲେ। ତେବେ ପୋଲିସ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା।
ସେପଟେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମାଫିଆ ଅତିକ୍ ଅହମ୍ମଦ ଓ ଅଶରଫଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଛି। କହି ରଖୁଛୁ ଯେ ଫେବୃଆରୀ ୨୪ରେ ପ୍ରୟାଗରାଜରେ ଉମେଶଙ୍କୁ ଅଭିଯୁକ୍ତମାନେ ଗୁଳି କରି ହତ୍ୟା କରିଥିଲେ।