କାଶୀ ବିଶ୍ୱନାଥ ମନ୍ଦିରରେ ମହଙ୍ଗା ହେଲା ମଙ୍ଗଳା ଆଳତି ଟିକେଟ୍‌, ୩୫୦ ଜାଗାରେ ଏବେ ଦେବାକୁ ପଡ଼ିବ ୫୦୦ ଟଙ୍କା! ଡ୍ରେସ୍‌ କୋଡ୍‌ରେ ରହିବେ ପୂଜାରୀ

ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିରରେ ଏବେ ମଙ୍ଗଳା ଆଳତିର ଟିକେଟ୍‌ ୩୫୦ ଟଙ୍କା ପରିବର୍ତ୍ତେ ୫୦୦ ଟଙ୍କାରେ ମିଳିବ। ଟିକେଟ୍‌ର ବର୍ଦ୍ଧିତ ଦର ମାର୍ଚ୍ଚ ୧ରୁ ଲାଗୁ ହେବ। ଏଥି ସହିତ ମନ୍ଦିରରେ ଏବେ ପୂଜାରୀମାନଙ୍କର ସମାନ ପ୍ରକାରର ଡ୍ରେସ୍‌ ରହିବ।

ବାରାଣସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିରରେ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଟିକେଟ୍‌ ମୂଲ୍ୟ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ମଙ୍ଗଳା ଆଳତି ଟିକେଟ୍‌ର ମୂଲ୍ୟ ୩୫୦ ଟଙ୍କା ପରିବର୍ତ୍ତେ ୫୦୦ ଟଙ୍କାରେ ମିଳିବ।

ଏଥିସହିତ ସପ୍ତଋଷି ଆଳତି, ଶୃଙ୍ଗାର ଭୋଗ ଆଳତି ଓ ମଧ୍ୟାହ୍ନ ଭୋଗ ଆଳତିର ଟିକେଟ୍‌ ୧୮୦ ଜାଗାରେ ୩୦୦ ଟଙ୍କାରେ ଉପଲବ୍ଧ ହେବ। ଟିକେଟ୍‌ଗୁଡ଼ିକର ଏହି ବର୍ଦ୍ଧିତ ମୂଲ୍ୟ ୧ ମାର୍ଚ୍ଚରୁ ଲାଗୁ ହେବ। ଏହା ବ୍ୟତୀତ ମନ୍ଦିରର ନିଜସ୍ୱ ଧାର୍ମିକ ଏବଂ ସାଂସ୍କୃତିକ କ୍ୟାଲେଣ୍ଡର ମଧ୍ୟ ରହିବ। କେବଳ ଏତିକି ନୁହେଁ, ପୂଜାରୀମାନେ ବର୍ତ୍ତମାନ ଗୋଟିଏ ହିଁ ପ୍ରକାରର ଡ୍ରେସ୍‌ କୋଡ୍‌ରେ ଦେଖାଯିବେ।

ବାରାଣସୀର ମଣ୍ଡଳ କମିଶନ ସଭାଗୃହରେ ଆୟୋଜିତ କାଶୀ ବିଶ୍ୱନାଥ ମନ୍ଦିର ନ୍ୟାସର ୧୦୪ତମ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆହୁରି ବି ନିଷ୍ପତ୍ତି ହୋଇଛି ଯେ ମନ୍ଦିରରେ ପୂରା ବର୍ଷର ଧାର୍ମିକ ତଥା ସାଂସ୍କୃତିକ ଆୟୋଜନ ପାଇଁ ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ।

ସେହିପରି କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ଏବଂ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ସବୁଠାରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ୧୦ ହଜାର ଟଙ୍କା ବାର୍ଷିକ ସ୍କଲାରଶିପ୍‌ ପ୍ରଦାନ କରାଯିବ। ସଫେଇ କର୍ମଚାରୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କର ମହଙ୍ଗା ଭତ୍ତା ବଢ଼ାଯିବାକୁ ବି ବୈଠକରେ ନିଷ୍ପତ୍ତି ହୋଇଛି।