Below header

କଠୁଆ ଦୁଷ୍କର୍ମ ଓ ହତ୍ୟା ମାମଲା, ୩ ଅଭିଯୁକ୍ତଙ୍କୁ ମିଳିଲା ଆଜୀବନ କାରାଦଣ୍ଡ

ବହୁଚର୍ଚ୍ଚିତ ଜାମ୍ମୁ ଓ କାଶ୍ମୀରର କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୧୭ ମାସ ପରେ ଆସିଲା ରାୟ । ୬ ଜଣ ଦୋଷୀଙ୍କ ମଧ୍ୟରୁ ୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ । ଅନ୍ୟ ୩ ଜଣଙ୍କୁ ୫ ବର୍ଷ ଲେଖାଏଁ କାରାଦଣ୍ଡ ଶୁଣାଇଛନ୍ତି ପଠାନକୋଟ କୋର୍ଟ । ମାଷ୍ଟର ମାଇଣ୍ଡ ସାଞ୍ଜି ରାମଙ୍କ ସମେତ ଦୀପକ ଖଜୁରିଆ, ପରବେଶ କୁମାରଙ୍କୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ଏମାନେ ଏକ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ରାଶି ଦେବେ । ସେହିପରି ପୋଲିସ ଅଧିକାରୀ ସୁରେନ୍ଦ୍ର କୁମାର, ଏଏସଆଇ ତିଲକ ରାଜ ଓ ଆନନ୍ଦ ଦତ୍ତାଙ୍କୁ ୫ ବର୍ଷ ଜେଲଦଣ୍ଡାଦେଶ ଓ ୫୦ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏହି ମାମଲାରେ ୭ ଅଭିଯୁକ୍ତଙ୍କ ମଧ୍ୟରୁ ମାଷ୍ଟର ମାଇଣ୍ଡ ସାଞ୍ଜି ରାମ ସମେତ ୬ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଅନ୍ୟ ଜଣେ ଅଭିଯୁକ୍ତ ସାଞ୍ଜି ରାମର ପୁଅ ବିଶାଲକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ ।

ପୋଲିସର ଚାର୍ଜସିଟ୍‌ ଅନୁସାରେ ୨୦୧୮ ଜାନୁଆରୀ ୧୦ ତାରିଖରେ ଜାମ୍ମୁ ଓ କାଶ୍ମୀର କଠୁଆ ଅଞ୍ଚଳରେ ଜଣେ ୮ ବର୍ଷର ଝିଅକୁ ଅପହରଣ କରି ଏକ ମନ୍ଦିରରେ ରଖାଯାଇଥିଲା । ଗଣଦୁଷ୍କର୍ମ କରିବା ପରେ ତାକୁ ହତ୍ୟା କରିଥିଲେ ଦୁର୍ବୃତ୍ତ । ହତ୍ୟାର ୩ ଦିନ ପରେ ଜାନୁଆରୀ ୧୭ ତାରିଖରେ ନାବାଳିକାର ମୃତଦେହ ଉଦ୍ଧାର ହୋଇଥିଲା। ଏହି ମାମଲାରେ ପୋଲିସ ୮ ଜଣଙ୍କୁ ଗିରଫ କରିଥିଲା । ସେଭିତରୁ ଜଣେ ଅଭିଯୁକ୍ତ ନାବାଳକ ଥିବାରୁ, ତା ବିରୋଧରେ କୌଣସି ଶୁଣାଣି ହୋଇନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜାମ୍ମୁ ଓ କାଶ୍ମୀର ବାହାରେ ପଞ୍ଜାବର ପଠାନକୋଟ କୋର୍ଟରେ ମାମଲାର ଶୁଣାଣି କରାଯାଇଛି । ଗୁରୁଦାସପୁର ଜେଲରୁ ଅଭିଯୁକ୍ତମାନଙ୍କୁ କଡ଼ା ପୋଲିସ ସୁରକ୍ଷା ଭିତରେ କୋର୍ଟକୁ ଅଣାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.