ପଶ୍ଚିମବଙ୍ଗରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ଦଳକୁ କଲେ ସମର୍ଥନ, ନିର୍ବାଚନ ଲଢ଼ିବ ନାହିଁ JMM

ଆସନ୍ତା ୨୭ ମାର୍ଚ୍ଚରୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏବେ ରାଜନୈତିକ ଦଳଗୁଡ଼ିକ ଜୋରଦାର ପ୍ରଚାରରେ ଲାଗି ପଡ଼ିଛନ୍ତି। ତେବେ ଏହାରି ଭିତରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ତୃଣମୂଳ କଂଗ୍ରେସକୁ ସମର୍ଥନ ଦେବାକୁ ଘୋଷଣା କରିଛି। ଏ ନେଇ ଜେଏମ୍‌ଏମ୍‌ ଟ୍ଵିଟ୍‌ କରି କହିଛି ଯେ ‘ଦଳ ଅଧ୍ୟକ୍ଷ ଶିବୁ ସୋରେନଙ୍କ ନିର୍ଦ୍ଦେଶ ଅନୁସାରେ ବଙ୍ଗରେ ସାମ୍ପ୍ରଦାୟିକ ବଳକୁ ରୋକିବା ପାଇଁ ଜେଏମ୍‌ଏମ୍‌ ପରିବାର ଆଗାମୀ ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଟିଏମ୍‌ସିକୁ ସମର୍ଥନ ଦେବ’।

ହେମନ୍ତ ସୋରେନ କହିଛନ୍ତି, ସମର୍ଥନ ପାଇଁ ମମତା ବାନାର୍ଜୀ ଅନୁରୋଧ କରିଥିଲେ। ସେ ଫୋନ୍‌ ମଧ୍ୟ କରିଥିଲେ ଏବଂ ପତ୍ର ବି ଲେଖିଥିଲେ। ଏ ନେଇ ଚର୍ଚ୍ଚା ହୋଇଥିଲା। ଏହାପରେ ସମର୍ଥନ ଦେବାକୁ ଘୋଷଣା କରାଯାଇଛି। ଆମ ଦଳ ନିର୍ବାଚନ ଲଢ଼ିବ ନାହିଁ। ତାଙ୍କୁ ସମର୍ଥନ ଦିଆଯିବ। ଆଜି ଯେଉଁଭଳି ରାଜନୈତିକ ସ୍ଥିତି ଅଛି, ଏଭଳିି ସ୍ଥିତିରେ ଯଦି ସାମ୍ପ୍ରଦାୟିକ ବଳ ସେଠାରେ ମଜଭୁତ୍‌ ରୁହେ ଏବଂ ଆମେ ଏହାର କାରଣ ହେଉ, ତ ଏହା ଠିକ୍‌ ହେବ ନାହିଁ। ଏହି କାରଣରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନିଆଯାଇଛି।’

କହି ରଖୁଛୁ, ଏଥି ପୂର୍ବରୁ ଲାଲୁ ଯାଦବଙ୍କ ଦଳ ଆର୍‌ଡେଜି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ଵାଲ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମମତାଙ୍କୁ ସମର୍ଥନ ଦେଇ ସାରିଛନ୍ତି। ପଶ୍ଚିମବଙ୍ଗରେ କଂଗ୍ରେସ ମମତା ବାନାର୍ଜୀଙ୍କ ପ୍ରତିଦ୍ୱନ୍ଦ୍ୱୀ ଅଛି। ବିଧାନସଭା ନିର୍ବାଚନରେ କଂଗ୍ରେସ ବାମ ଏବଂ ଆଇଏସ୍‌ଏଫ୍‌ ସହିତ ହାତ ମିଶାଇଛି। କହି ରଖୁଛୁ, ପଶ୍ଚିମବଙ୍ଗରେ ବିଧାନସଭାର ମୋଟ ୨୯୪ ଆସନ ପାଇଁ ୮ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ।