ଘୁଷୁରୀ ଧରିବା ପାଇଁ ପକାଯାଇଥିଲା ଫାଶ, ହେଲେ ପଡ଼ିଗଲା କଲରାପତରିଆ ବାଘ; ଛଟପଟ ହୋଇ ଚାଲିଗଲା ପ୍ରାଣ
ମଧ୍ୟପ୍ରଦେଶର ମୁରେନା ଜିଲ୍ଲାର ନେପରୀ ଗାଁରେ ଏକ କଲରାପତରିଆ ବାଘର ମୃତଦେହ ମିଳିଛି । ଏଠାରେ କ୍ୱାରୀ ନଦୀକୂଳରୁ ବାଘର ମୃତଦେହ ମିଳିବା ପରେ ଗାଁରେ ହଇଚଇ ସୃଷ୍ଟି ହୋଇଛି । କାରଣ, ଅଢ଼େଇ ବର୍ଷର ଏହି ବାଘର ବେକରେ ଘୁଷୁରୀ ଧରିବା ଫାଶ ଫସିଯାଇଥିଲା ।

ମଧ୍ୟପ୍ରଦେଶର ମୁରେନା ଜିଲ୍ଲାର ନେପରୀ ଗାଁରେ ଏକ କଲରାପତରିଆ ବାଘର ମୃତଦେହ ମିଳିଛି । ଏଠାରେ କ୍ୱାରୀ ନଦୀକୂଳରୁ ବାଘର ମୃତଦେହ ମିଳିବା ପରେ ଗାଁରେ ହଇଚଇ ସୃଷ୍ଟି ହୋଇଛି । କାରଣ, ଅଢ଼େଇ ବର୍ଷର ଏହି ବାଘର ବେକରେ ଘୁଷୁରୀ ଧରିବା ଫାଶ ଫସିଯାଇଥିଲା । ଏହି ଫାଶ ସାଧାରଣତଃ ଫସଲ ନଷ୍ଟ କରୁଥିବା ଜନ୍ତୁମାନଙ୍କୁ ଧରିବା ପାଇଁ ବାଇକ୍ର କ୍ଲଚ୍ ତାରରେ ତିଆରି ହୋଇଥାଏ ।
ଅନୁମାନ କରାଯାଉଛି ଯେ ବାଘଟି ପାଣି ପିଇବା ପାଇଁ ନଦୀକୂଳକୁ ଆସିଥିବ ଏବଂ ସେହି ସମୟରେ ଏହା ଦୁର୍ଭାଗ୍ୟବଶତଃ ଫାଶରେ ପଡ଼ିଯାଇଥିବ । ବୁଧବାର ସକାଳେ ବ୍ରିଜ୍ ନିକଟସ୍ଥ ଚାଷଜମିରୁ ବାଘର ମୃତଦେହ ମିଳିଥିଲା । ଗ୍ରାମବାସୀ ଏ ନେଇ ବନ ବିଭାଗକୁ ଖବର ଦେଇଥିଲେ । ଡିଏଫ୍ଓଙ୍କ ସମେତ ବନ ବିଭାଗ ଟିମ୍ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି ।
ସୂଚନାଯୋଗ୍ୟ, ଅଞ୍ଚଳରେ ଜଙ୍ଗଲି ଘୁଷୁରୀଙ୍କ ସଂଖ୍ୟା ଅଧିକ ରହିଛି । କିଛି ଲୋକ ଘୁଷୁରୀ ଶିକାର ପାଇଁ ଆଖପାଖରେ ଫାଶ ପକାଇ ଥାଆନ୍ତି । କିନ୍ତୁ ଏଥର ଘୁଷୁରୀ ବଦଳରେ କଲରାପତରିଆ ବାଘ ଫାଶରେ ପଡ଼ିଯାଇଥିଲା । ସେପଟେ ବାଘଟି କେଉଁଠାରୁ ଆସିଲା, ସେ ନେଇ ତଦନ୍ତ କରୁଛି ବନ ବିଭାଗ । ଡିଏଫ୍ଓ କହିଛନ୍ତି, ମାମଲାକୁ ଗମ୍ଭୀରତାର ସହ ନିଆଯାଇଛି । ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।