ମଦ ପାଇଁ ବିକଳ ସାରା ଦେଶ : କେଉଁଠି ମରାମରି ତ ଆଉ କେଉଁଠି ପୋଲିସ୍‌ର ଲାଠି ମାଡ଼, କର୍ଣ୍ଣାଟକରେ ୪୫ କୋଟିର କାରବାର

ନୂଆଦିଲ୍ଲୀ : ମଦ ପାଇଁ ଲମ୍ବା ଲାଇନ୍‌ । ମଦ ଦୋକାନ ଖୋଲୁ ଖୋଲୁ ଲୋକଙ୍କ ଭିଡ । ଦୀର୍ଘ ଦିନର ତାଲାବନ୍ଦ ପରେ ଆଜି ସକାଳୁ ସମଗ୍ର ଦେଶରେ ଖୋଲିଥିଲା ମଦ ଦୋକାନ । ସକାଳୁ ସକାଳୁ ଅନେକ ମଦ ଦୋକାନ ସାମ୍ନାରେ ଖଚାଖଚ୍‌ ଭିଡ । କିଛି ସ୍ଥାନରେ ସାମାଜିକ ଦୂରତା ରକ୍ଷା କରି ମଦ ଦୋକାନ ସାମ୍ନାରେ ଲମ୍ବା ଲାଇନ୍‌ ଲଗାଇଥିଲେ ଗ୍ରାହକ । କର୍ଣ୍ଣାଟକରେ ଆଜି ଗୋଟିଏ ଦିନରେ ୪୫ କୋଟି ଟଙ୍କାର ମଦ ବିକ୍ରି ହୋଇଛି । ଯାହା ଏକ ରେକର୍ଡ଼ ।
ଆଜିଠୁ ଆରମ୍ଭ ହୋଇଛି ଲକ୍‌ଡାଉନ୍‌ ୩.୦ । ତେବେ ଲକ୍‌ଡାଉନ୍‌ର ଏହି ପର୍ଯ୍ୟାୟରେ ଅନେକ କଟକଣା କୋହଳ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ତା ମଧ୍ୟରେ ମଦ ବିକ୍ରି ଅନ୍ୟତମ । କେନ୍ଦ୍ର ଗାଇଡ୍‌ଲାଇନ୍‌ ଅନୁଯାୟୀ ଗ୍ରୀନ, ଅରେଞ୍ଜ ଏବଂ ରେଡ୍‌ ଜୋନରେ ସର୍ତ୍ତମୂଳକ ଭାବେ ମଦ ଦୋକାନ ଖୋଲିବାକୁ କୁହାଯାଇଛି । ତେବେ ମଦ ଦୋକାନ ଖୋଲା ହେବାର ଖବର ଆସିବା ପରେ ଉତ୍ସାହିତ ହୋଇପଡିଛନ୍ତି ଅନେକ ଲୋକ ।

ସେପଟେ ଦିଲ୍ଲୀର ଦେଶବନ୍ଧୁ ଗୁପ୍ତା ମାର୍ଗରେ ସାମାଜିକ ଦୂରତାକୁ ଫୁ କରିଦେଇଛନ୍ତି ଲୋକେ । ମଦ କିଣିବା ପାଇଁ ଠେଲାପେଲା ହେଉଥିବାର ଦେଖିବାକୁ ମିଳିଛି । ଏପରିକି ଭିଡଙ୍କୁ ନିୟନ୍ତ୍ରଣ କରିବାକୁ ନାକେଦମ୍‌ ହୋଇଛି ପୋଲିସ୍‌ । ସେହିପରି କରୋଲ ବାଗର ଏକ ମଦ ଦୋକାନ ସାମ୍ନାରେ ପ୍ରାୟ ଦେଢ କିଲୋମିଟର ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି । ଦିଲ୍ଲୀରେ ମଦ କିଣିବାକୁ ଗହଳି । ଅସମ୍ଭାଳ ଭିଡ଼ ହେବାରୁ ମୁତୟନ ହେଲା ପୋଲିସ ।

ଆଜି ଦିଲ୍ଲୀରେ ମଦ ଦୋକାନ ଖୋଲିବା ପରେ ହଜାର ହଜାର ଲୋକ ମଦ କିଶିବା ପାଇଁ ଦୋକାନ ବାହାରେ କହଳି କରିଥିଲେ । ଦିଲ୍ଲୀରେ ମାଲବ୍ୟ ନଗର ଠାରେ ଥିବା ଏକ ମଦ ଦୋକାନରେ ଶତାଧିକ ଗ୍ରାହକ ରୁଣ୍ଢ ହେବାରୁ ଦୋକାନ ମାଲିକ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସ ଡକାଇଥିଲେ । ଲୋକେ ଶାରୀରିକ ଦୂରତା ବଜାୟ ନରଖି ମଦ ଦୋକାନ ଆଗରେ ଭିଡ଼ ଜମାଇଥିଲେ । କିଛି ସ୍ଥାନରେ ମଦ ଦୋକାନ ଆଗରେ ଗଣ୍ଡଗୋଳ ପରେ ଦୋକାନ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲା ପୋଲିସ । ଓଡ଼ିଶାର ଗ୍ରୀନ ଜୋନରେ ଅନୁମତି ସତ୍ତ୍ୱେ ମଦ ଦୋକାନ ଖୋଲି ନାହାନ୍ତି ବ୍ୟବସାୟୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.