ଏବେ ଅଫିସରେ ମହିଳା କର୍ମଚାରୀଙ୍କୁ ଲଭ୍‌, ହନି, ସ୍ୱିଟି ଡାକିଲେ ଆଉ ରକ୍ଷା ନାହିଁ! ଚାକିରିରୁ ବି ହୋଇପାରନ୍ତି ବିଦା

ଏବେ ମହଙ୍ଗା ପଡ଼ିପାରେ ଅଫିସରେ ମହିଳା କର୍ମଚାରୀଙ୍କୁ ଅନ୍ୟ ନାଁରେ ଡାକିବା। ଯଦି କୌଣସି ପୁରୁଷ କର୍ମଚାରୀ କୌଣସି ମହିଳା କର୍ମଚାରୀଙ୍କୁ ଅଫିସରେ ହନି, ଲଭ୍‌, ସ୍ୱିଟି ଆଦି ଡାକୁଛି ତେବେ ସେ ଦୋଷୀ ବୋଲି ଧରାଯିବ। କେବଳ ଏତିକି ନୁହେଁ, ତାଙ୍କୁ ଚାକିରିରୁ ବି ବହିଷ୍କାର କରାଯିବ। ଏକ ମାମଲାର ଶୁଣାଣି କରିବା ଅବସରରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ମାଞ୍ଚେଷ୍ଟର କୋର୍ଟ ଶୁଣାଣି କରିବା ଅବସରରେ କହିଛନ୍ତି, ଅଫିସରେ ମହିଳା କର୍ମଚାରୀଙ୍କୁ ଲଭ୍‌ ଡାକିବା ତାଙ୍କ ଅପମାନ କରିବା ସହ ସମାନ। ଜଜ୍‌ କହିଛନ୍ତି, ସ୍ୱିଟି ଓ ବେବ୍‌ସ୍‌ ଭଳି ଶବ୍ଦରେ ମହିଳାଙ୍କୁ ଡାକିବାର ଅର୍ଥ ସେମାନଙ୍କୁ ଅପମାନିତ କରିବା। ମହିଳାଙ୍କ ପାଇଁ ଏଭଳି ଶବ୍ଦ ବ୍ୟବହାର କରିବା ଭୁଲ। ଏହି ଶୁଣାଣି ଏକ ଫ୍ୟୁନରଲ ହୋମ୍‌ର ମ୍ୟାନେଜର ମାଇକ ହାର୍ଟଲେଙ୍କୁ ଏସବୁ ଶବ୍ଦ ବ୍ୟବହାର ଯୋଗୁ ଚାକିରିରୁ ବାହାର କରାଯାଇଥିବା କେସ୍‌ରେ ହୋଇଛି।

ମାଇକଙ୍କ ବିରୋଧରେ ଅଭିଯୋଗ ଆସିଥିଲା ଯେ ସେ ନିଜ ମହିଳା ସହକର୍ମୀଙ୍କୁ ଏସବୁ ନାଁ ନେଇ ଡାକୁଥିଲେ, ଯାହା ତାଙ୍କୁ ଅପମାନିତ କରୁଥିଲା। ତେବେ ମାଇକଙ୍କୁ ଚାକିରିରୁ ବାହାର କରିବା ପରେ ସେ ମାମଲା ରୁଜୁ କରିଥିଲେ। ଏ ଅବସରରେ ମାଇକ କହିଥିଲେ, ସେ କେବଳ ମହିଳା ନୁହେଁ, ପୁରୁଷ ସହକର୍ମୀଙ୍କୁ ବି ମେଟ୍‌ ଓ ପାଲ ଭଳି ଶବ୍ଦରେ ଡାକନ୍ତି। ଏମିତି ଡାକିବା ପଛରେ ତାଙ୍କର କୌଣସି ଖରାପ ଉଦ୍ଦେଶ୍ୟ ନାହିଁ। ଏଣୁ ତାଙ୍କୁ ଚାକିରିରୁ ବାହାର କରିଦେବା ଭୁଲ। କୋର୍ଟ ତାଙ୍କ କମ୍ପାନୀକୁ ତାଙ୍କୁ ପୁଣି ଚାକିରି ଦେବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମାଇକ୍‌ ଅପିଲ କରିଥିଲେ।

କିନ୍ତୁ ମାଞ୍ଚେଷ୍ଟର କୋର୍ଟ ପକ୍ଷରୁ କୁହାଯାଇଛି ଯେ ପୁରୁଷଙ୍କୁ ମେଟ୍‌ ଡାକିବା ଭୁଲ ନୁହେଁ। କିନ୍ତୁ ମହିଳାଙ୍କୁ ହନି, ସ୍ୱିଟି ଓ ବେବ୍‌ସ ଡାକିବା ତାଙ୍କୁ ଲଜ୍ଜିତ କରିବା ଭଳି ଶବ୍ଦ ବ୍ୟବହାର କରିବା ସହ ସମାନ। ଏହି କାରଣରୁ କମ୍ପାନୀ ଠିକ୍‌ ନିଷ୍ପତ୍ତି ନେଇଛି ଓ କୋର୍ଟ ଉକ୍ତ ନିଷ୍ପତ୍ତିକୁ ବଦଳାଇବେ ନାହିଁ।