ମରାଠା ସଂରକ୍ଷଣ ବିଲ୍ ମହାରାଷ୍ଟ୍ର ବିଧାନସଭାରେ ପାରିତ, ଚାକିରିରେ ୧୦% ଆରକ୍ଷଣ
ମହାରାଷ୍ଟ୍ର ବିଧାନସଭାରେ ମଙ୍ଗଳବାର ମରାଠା ସଂରକ୍ଷଣ ଉପରେ ମୋହର ବାଜିଛି । ବିଧାନସଭାରେ ଏହି ବିଲ୍ ସର୍ବସମ୍ମତି କ୍ରମେ ପାରିତ ହୋଇଛି ।
ମହାରାଷ୍ଟ୍ର ବିଧାନସଭାରେ ମଙ୍ଗଳବାର ମରାଠା ସଂରକ୍ଷଣ ଉପରେ ମୋହର ବାଜିଛି । ବିଧାନସଭାରେ ଏହି ବିଲ୍ ସର୍ବସମ୍ମତି କ୍ରମେ ପାରିତ ହୋଇଛି । ଏହି ବିଲ୍ରେ ୧୦ ପ୍ରତିଶତ ମରାଠା ସଂରକ୍ଷଣର ସୁପାରିଶ କରାଯାଇଛି । ଏହାଦ୍ୱାରା ମରାଠା ସମ୍ପ୍ରଦାୟକୁ ଶିକ୍ଷା ଏବଂ ଚାକିରିରେ ଆରକ୍ଷଣର ଲାଭ ମିଳିବ ।
ଏହି ବିଲ୍ ଏବେ ବିଧାନ ପରିଷଦରେ ରଖାଯିବ । ସେଠାରୁ ପାସ୍ ହେବା ପରେ ଏହା ଆଇନରେ ପରିଣତ ହେବ । ମରାଠା ସଂରକ୍ଷଣକୁ ନେଇ ଆଜି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହୋଇଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ମରାଠା ସଂରକ୍ଷଣ ବିଲ୍କୁ ସର୍ବସମ୍ମତି ତଥା ପୂର୍ଣ୍ଣ ବହୁମତରେ ପାରିତ କରିବାକୁ ଅପିଲ୍ କରିଥିଲେ ।
ଯଦିଓ ବିରୋଧୀ ନେତାମାନଙ୍କ ସହିତ ଶାସକ ପକ୍ଷରୁ ଏକମାତ୍ର ସଦସ୍ୟ, ଏନ୍ସିପି ନେତା ତଥା ମନ୍ତ୍ରୀ ଛଗନ ଭୁଜବଲ ବିଲ୍କୁ ବିରୋଧ କରିବାକୁ ଛିଡ଼ା ହୋଇଥିଲେ । ସେପଟେ ବିରୋଧୀ ନେତା ବିଜୟ ଓ୍ଵଡେଟିଓ୍ଵାର୍ ବିଲ୍ ଉପରେ ସହମତି ପ୍ରକାଶ କରିଥିଲେ । ତେବେ ବିଧାନସଭାରେ ପାସ୍ ହେବା ପୂର୍ବରୁ ବିଲ୍ ଉପରେ କ୍ୟାବିନେଟ୍ ମୋହର ମାରିଥିଲା ।
ବିଲ୍ର ଡ୍ରାଫ୍ଟ ମୁତାବକ, ସରକାର ମରାଠା ସମ୍ପ୍ରଦାୟକୁ ୧୦% ଅଂଶ ଦେଇଛନ୍ତି । ଆୟୋଗ ୨୦୨୪ ଫେବୃୟାରୀ ୧୬ରେ ନିଜର ରିପୋର୍ଟ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଥିଲା । କହି ରଖୁଛୁ, ରାଜ୍ୟରେ ୫୨% ଆରକ୍ଷଣ ପୂର୍ବରୁ ରହିଛି । ୧୦% ମରାଠା ସଂରକ୍ଷଣ ମିଶିବା ପରେ ଆରକ୍ଷଣ ସୀମା ୬୨% ହୋଇଯିବ ।