ସତ୍ୟେନ୍ଦ୍ର ଜୈନ ତିହାର ଜେଲରେ କରାଉଛନ୍ତି ବଡି ମସାଜ! ଖାଉଛନ୍ତି ଘର ଖାଦ୍ୟ, ସବୁଦିନ ଭେଟୁଛନ୍ତି ସ୍ତ୍ରୀ: କୋର୍ଟରେ EDର ଅଭିଯୋଗ

ତିହାର ଜେଲରେ ଆମ୍‌ ଆଦ୍‌ମୀ ପାର୍ଟିର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଅଏସ୍‌ ଆରାମର ଜୀବନ ବିତାଉଛନ୍ତି। ଏ ନେଇ ଇଡି କୋର୍ଟଙ୍କ ନିକଟରେ ଅଭିଯୋଗ କରିଛି। ତିହାର ଜେଲରେ ସତ୍ୟେନ୍ଦ୍ର ଜୈନଙ୍କ ଆରାମଦାୟକ ଜୀବନର ସିସିଟିଭି ଫୁଟେଜ ଇଡି କୋର୍ଟରେ ହସ୍ତାନ୍ତର କରିଛି। ଅଭିଯୋଗରେ ଇଡି କହିଛି ଯେ ଜେଲରେ ସତ୍ୟେନ୍ଦ୍ର ଜୈନଙ୍କୁ ହେଡ୍‌ ମସାଜ, ଫୁଟ୍‌ ମସାଜ ଏବଂ ବ୍ୟାକ୍‌ ମସାଜ ଭଳି ବିଭିନ୍ନ ସୁବିଧା ଉପଲବ୍ଧ କରାଯାଉଛି। ସିସିଟିଭି ଫୁଟେଜ ମୁତାବକ, ଜେଲ୍‌ ସୁପରିଟେଣ୍ଡେଣ୍ଟ ପ୍ରତ୍ୟେକ ଦିନ ନିୟମ ଉଲ୍ଲଂଘନ କରି ସତ୍ୟେନ୍ଦ୍ର ଜୈନଙ୍କୁ ଭେଟୁଛନ୍ତି, ଯେପରି ହାଜତ ପଛରେ ମନ୍ତ୍ରୀଙ୍କୁ କୌଣସି ବି ପ୍ରକାର ଅସୁବିଧା ନ ହେବ।

କୋର୍ଟଙ୍କ ଆଦେଶ ଅବମାନନା କରାଯାଇ ସତ୍ୟେନ୍ଦ୍ର ଜୈନଙ୍କ ପାଇଁ ଘର ଖାଦ୍ୟ ଜେଲରେ ଉପଲବ୍ଧ କରାଯାଉଛି। ଜେଲ ମାନୁଆଲ ଉଲ୍ଲଂଘନ କରି ତାଙ୍କ ପତ୍ନୀ ପୁନମ୍‌ ଜୈନ ସ୍ୱାମୀଙ୍କୁ ସେଲରେ ପ୍ରାୟତଃ ଭେଟିବାକୁ ଆସୁଛନ୍ତି, ଯାହାକି ସମ୍ପୂର୍ଣ୍ଣ ଭୁଲ୍‌। ସିସିଟିଭି ଫୁଟେଜ ମୁତାବକ, ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ଅଙ୍କୁଶ ଜୈନ ଓ ବୈଭବ ଜୈନ ମଧ୍ୟ ତିହାର ଜେଲରେ ଅଛନ୍ତି। ସେମାନଙ୍କ ସହିତ ସତ୍ୟେନ୍ଦ୍ର ଜୈନ ପ୍ରାୟ ସମୟ ନିଜ ସେଲ୍‌ରେ ଘଣ୍ଟା ଘଣ୍ଟା ଧରି ମିଟିଂ କରୁଛନ୍ତି, ଯାହାକି ମାମଲାର ତଦନ୍ତ ପାଇଁ ଅନୁକୂଳ ନୁହେଁ।

ଇଡି ନିଜ ସତ୍ୟପାଠରେ ଏହା ମଧ୍ୟ ଲେଖିଛି ଯେ ସତ୍ୟେନ୍ଦ୍ର ଜୈନ ଜେଲ୍‌ ମନ୍ତ୍ରୀ ବି ଅଛନ୍ତି, ଯାହାର ଭୁଲ୍‌ ଫାଇଦା ସେ ଉଠାଉଛନ୍ତି। ତିହାର ପ୍ରଶାସନ ମୁତାବକ, ଇଡି ସତ୍ୟେନ୍ଦ୍ର ଜୈନଙ୍କ ସେଲ୍‌ ଏବଂ ଯେଉଁ ଓ୍ଵାର୍ଡରେ ସେ ଅଛନ୍ତି, ତା’ର ସିସିଟିଭି ଫୁଟେଜ ଦାବି କରିଥିଲା, ଯାହାପରେ ତିହାର ପ୍ରଶାସନ ତାଙ୍କୁ ଉପଲବ୍ଧ କରାଇଥିଲା। ପ୍ରଶାସନର କହିବା ହେଲା ଯେ ସତ୍ୟେନ୍ଦ୍ର ଜୈନଙ୍କ ସେଲରେ ବାହାରୁ କେହି ଆସି ନାହାନ୍ତି। ଅବଶ୍ୟ ସକାଳେ ଯେତେବେଳେ କାଉଣ୍ଟିଙ୍ଗ୍‌ ଓପନ୍‌ ହୁଏ, ସେହି ସମୟରେ ଓ୍ଵାର୍ଡରେ ଉପସ୍ଥିତ ସମସ୍ତ କଏଦୀ ପରସ୍ପର ସହ କଥା ହୋଇ ଥାଆନ୍ତି।

ଏହି ମାମଲାରେ ଯାହାଙ୍କ ସହ ଅଭିଯୁକ୍ତଙ୍କର କଥା ହୋଇଥିବା କୁହାଯାଉଛି, ସେମାନେ ମଧ୍ୟ ସେହି ଓ୍ଵାର୍ଡରେ ଅଛନ୍ତି, ଯେଉଁଠି ସତ୍ୟେନ୍ଦ୍ର ଜୈନ ରହୁଛନ୍ତି। ତେଣୁ ସେମାନେ ପରସ୍ପର ସହ କଥା ହୋଇ ପାରିବେ। କାଉଣ୍ଟିଙ୍ଗ୍‌ ପରେ ଯେତେବେଳେ ସମସ୍ତେ ନିଜ ନିଜ ସେଲ୍‌କୁ ଚାଲି ଯାଆନ୍ତି, ସେତେବେଳେ ଜଣେ ଆଉ ଜଣଙ୍କ ସେଲ୍‌କୁ ଯାଇ ପାରିବ ନାହିଁ। ତେବେ ତିହାର ପ୍ରଶାସନ କୌଣସି ବି ପ୍ରକାର ଇଲେକ୍ଟ୍ରୋନିକ୍‌ ଗ୍ୟାଜେଟ୍‌କୁ ଅସ୍ୱୀକାର କରୁଛି।