ମାନସିକ ରୂପେ ଦୁର୍ବଳ ବୃଦ୍ଧଙ୍କୁ ରାସ୍ତାକଡ଼ରେ ପିଟି ପିଟି ହତ୍ୟା; ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ…ଆପଣ ବି ଥରେ ଦେଖନ୍ତୁ

ମଧ୍ୟ ପ୍ରଦେଶରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ପିଟି ପିଟି ମାରି ଦିଆଯାଇଛି। ଏବେ ସେହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ଭିଡିଓରେ ସ୍ପଷ୍ଟ ରୂପେ ଦେଖାଯାଉଛି ଯେ ଜଣେ ଯୁବକ ବୃଦ୍ଧ ବ୍ୟକ୍ତିଙ୍କୁ ଶକ୍ତ ଚପୁଡ଼ା ମାରି ଚାଲିଛନ୍ତି ଏବଂ ତାଙ୍କୁ ତାଙ୍କ ପରିଚୟ ପ୍ରମାଣ ମାଗୁଛନ୍ତି। ତେବେ ଖବର ମୁତାବକ, ହତ୍ୟାର ଶିକାର ହୋଇଥିବା ବୃଦ୍ଧ ବ୍ୟକ୍ତିଙ୍କ ନାମ ଭଅଁରଲାଲ୍‌ ଜୈନ (୬୫) ବୋଲି ଜଣାପଡ଼ିଛି, ଯିଏକି ମାନସିକ ରୂପେ ସମ୍ପୂର୍ଣ୍ଣ ଦୁର୍ବଳ ଥିଲେ।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାର ଦିନକ ପୂର୍ବରୁ ପୋଲିସ ଏହି ବୃଦ୍ଧଙ୍କ ଫଟୋ ଜାରି କରିଥିଲା। ଏହା ପରେ ପରେ ସ୍ଥାନୀୟ ଏକ ଗାଡ଼ି ଶୋ’ରୁମ୍‌ ପାଖରୁ ଏକ ମୃତଦେହ ମିଳିଥିଲା, ଯାହାଙ୍କ ପରିଚୟ ଭଅଁରଲାଲ୍‌ ଜୈନ ବୋଲି ପୋଲିସ ଜାଣିବାକୁ ପାଇଥିଲା। ଏହି ଭିଡିଓ ଯେତେବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ତ ମୃତକଙ୍କ ଭାଇ ଏବଂ ଶହ ଶହ ସଂଖ୍ୟାରେ ଗ୍ରାମବାସୀ ଏକାଠି ହୋଇ ଥାନାରେ ପହଞ୍ଚିଥିଲେ। ସେମାନେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ଅଭିଯୁକ୍ତ ଯୁବକ ବୃଦ୍ଧଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଛନ୍ତି ଏବଂ ତାଙ୍କ ନାଁ ମହମ୍ମଦ କି ନାହିଁ ବୋଲି ପଚାରୁଛନ୍ତି। ଯୁବକ ଜଣକ ତାଙ୍କୁ ଆଧାର କାର୍ଡ ମଧ୍ୟ ମାଗୁଛନ୍ତି। ଏହି ସମୟରେ ବୃଦ୍ଧ ବ୍ୟକ୍ତି ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଅଛନ୍ତି ଏବଂ ଯୁବକଙ୍କୁ ପଇସା ବି ଅଫର୍‌ କରୁଛନ୍ତି, ଯେମିତି ସେ ତାଙ୍କୁ ଛାଡ଼ି ଦେବେ। ସେପଟେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ଏହି ଘଟଣାରେ ସୂଚନା ଦେବାକୁ ଯାଇ ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି, ଘଟଣାରେ ଦିନେଶ କୁଶଓ୍ଵାହାଙ୍କୁ ଅଭିଯୁକ୍ତ ରୂପେ ଚିହ୍ନଟ କରାଯାଇଛି ଏବଂ ତାଙ୍କ ବିରୋଧରେ ଦଫା ୩୦୨ ଓ ୩୦୪ରେ ମାମଲା ରୁଜୁ ହୋଇଛି।

ଅନ୍ୟପକ୍ଷରେ ଏହି ମାମଲାର ଅଭିଯୁକ୍ତ ବିଜେପିର ପୂର୍ବତନ କାଉନ୍‌ସିଲରଙ୍କ ସ୍ୱାମୀ ବୋଲି କୁହାଯାଉଛି। ପୋଲିସ ପୂରା ମାମଲାରେ ୩୦୨ ଆଇପିସି ଧାରା ଅଧୀନରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ଏବଂ ଅଭିଯୁକ୍ତଙ୍କୁ ଖୋଜାଖୋଜି ଆରମ୍ଭ କରିଦେଇଛି। ତେବେ ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ଦିନେଶ ହେଉଛନ୍ତି ମନାସାର କାଛି ଅଞ୍ଚଳର ବାସିନ୍ଦା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.