ନାବାଳିକାକୁ ରାସ୍ତାରୁ ଟେକି ନେଇ ଜଙ୍ଗଲରେ ଗଣଦୁଷ୍କର୍ମ କଲେ ୪ ଯୁବକ, ପାଟି ଖୋଲିଲେ ଜୀବନରୁ ମାରି ଦେବାକୁ ଧମକ

ଥମିବାର ନାଁ ଧରୁନି ନାରୀ ନିର୍ଯାତନା। କେତେବେଳେ କୁନି ଝିଅ ତ ଆଉ କେତେବେଳେ ବୃଦ୍ଧାଙ୍କ ଉପରେ ହେଉଛି ପାଶବିକ ଅତ୍ୟାଚାର। ପୁରୁଷଙ୍କ ଡରରେ ଏବେ ଝିଅମାନେ ଘରୁ ବାହାରିବାକୁ ବି ଡରିଲେଣି। କିଏ ଜାଣିଛି କେତେବେଳେ ରାସ୍ତାରେ ଅପେକ୍ଷା କରି ରହିଥିବ ମଣିଷ ଶରୀର ଲୋଭୀ ରାକ୍ଷସ ଆଉ ନିରୋଳାରେ ପାଇଲେ ଖିନ୍‌ଭିନ୍‌ କରି ଖାଇଯିବ କଅଁଳ ଦେହକୁ। ନାରୀଙ୍କ ଉପରେ ହେଉଥିବା ଅତ୍ୟାଚାର କମିବା ବଦଳରେ ଦିନକୁ ଦିନ ବଢ଼ିଚାଲିଛି। ଏବେ ଉତ୍ତର ପ୍ରଦେଶରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଭଳି ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। କଲେଜ ଫର୍ମ ପୂରଣ ପାଇଁ ଫଟୋ ଉଠାଇବାକୁ ଯାଇଥିବା ବେଳେ ଘଟିଛି ଏହି ପାଶବିକ ଅତ୍ୟାଚାର।

crime2

ଉତ୍ତର ପ୍ରଦେଶ ବରେଲୀ ଜିଲ୍ଲା ସିବିଗଞ୍ଜ ଥାନା ଅଧୀନସ୍ଥ ସର୍ବୋଦୟ ନଗରରେ ଏକ ନାବାଳିକା (ଅନୁ)କୁ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ବୁଧବାର ଦିନ ଅନୁ କଲେଜର ଏକ ଫର୍ମପୂରଣ ପାଇଁ ଫଟୋ ଉଠାଇବାକୁ ମାର୍କେଟ ଯାଉଥିଲା। ଏହି ସମୟରେ ୪ ଜଣ ଯୁବକ ତାକୁ ଜୋରଜବରଦସ୍ତ ଉଠାଇ ନେଇଥିଲେ। ଗାଁଠୁ କିଛି ଦୂର ଏକ ଜଙ୍ଗଲକୁ ନେଇ ଯୁବକମାନେ ଅନୁକୁ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ଅନୁ ରାଜି ନହୋଇ ଜୀବନ ବିକଳରେ ଚିଲ୍ଲାଇବାରୁ ସେମାନେ ତା’ ଓଢ଼ଣୀରେ ହାତ ପାଟିକୁ ବାନ୍ଧି ଦେଇ ଜବରଦସ୍ତି ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ।

ଏତିକିରେ ଥମିନଥିଲା ଅତ୍ୟାଚାର। ପରେ ସେମାନେ ଅନୁକୁ ପାଖରେ ପଡ଼ିଥିବା ଏକ ବାଡ଼ିରେ କାଇଁ ଚିଲ୍ଲେଇଲୁ ବୋଲି ଖୁବ୍‌ ପିଟିଥିଲେ ମଧ୍ୟ ଓ ସମ୍ପୂର୍ଣ୍ଣ ଘଟଣାର ଭିଡିଓ ସୁଟିଂ କରିଥିଲେ। ଯଦି ବାହାରେ କାହାକୁ ଏକଥା କହିବୁ ତେବେ ପରିଣାମ ଭୟଙ୍କର ହେବ ବୋଲି ଧମକ ଦେଇ ୪ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଅନୁ ସେଠାରୁ ବହୁ କଷ୍ଟରେ ଘରକୁ ଫେରି ବାପାଙ୍କୁ ଏକଥା କହିଥିଲା। ପରେ ଅନୁର ବାପା ଝିଅକୁ ଧରି ଥାନାରେ ଅଭଯୋଗ କରିଥିଲେ। ଅଭିଯୋଗ ଅନୁସାରେ ପୋଲିସ ମାମଲା ରୁଜୁ କରି ୨ ଜଣଙ୍କୁ ଗିରଫ କରିବାରେ ସମର୍ଥ ହୋଇଛି। ଗିରଫ ଯୁବକମାନେ ଅନୁର ପଡ଼ୋଶୀ ବୋଲି ଜଣାପଡ଼ିଛି। ତେବେ ପୋଲିସ ଏବେ ଫେରାର ଯୁବକଙ୍କୁ ଖୋଜୁଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.