ବିଶ୍ୱର ସବୁଠାରୁ ଥଣ୍ଡା ଜାଗା! ମାଇନସ୍‌ ୭୦ ଡିଗ୍ରୀ ତାପମାତ୍ରାରେ କଞ୍ଚା ଘୋଡ଼ା ମାଂସ ଓ ଲିଭର ଖାଇ ବଞ୍ଚୁଛନ୍ତି ଏହି ଅଞ୍ଚଳର ଲୋକେ

ରୁଷର ସାଖା ରିପବ୍ଲିକ୍ ବିଶ୍ୱର ସବୁଠାରୁ ଥଣ୍ଡା ଅଞ୍ଚଳ, ଯେଉଁଠି ଲୋକେ ବସବାସ କରୁଛନ୍ତି। ଆଣ୍ଟାର୍କଟିକା ପରେ ସାଖା ଦୁନିଆର ସବୁଠାରୁ ଥଣ୍ଡା ସ୍ଥାନ, ଯାହା ୟାକୁଟିଆ ନାମରେ ମଧ୍ୟ ଜଣାଯାଇଥାଏ। ପୂର୍ବ ସାଇବେରିଆରେ ଥିବା ସାଖା ଆକାରରେ ଭାରତଠାରୁ ସାମାନ୍ୟ ଛୋଟ। ଶୀତଦିନେ ଏଠାକାର ତାପମାତ୍ରା ମାଇନସ୍ ୭୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ। ଏତେ ଅଧିକ ଥଣ୍ଡା ସତ୍ତ୍ୱେ ସାଖାରେ ପାଖାପାଖି ୧୦ ଲକ୍ଷ ଲୋକ ବାସ କରୁଛନ୍ତି।

ଶୀତ ସମୟରେ ସାଖାର ହାରାହାରି ତାପମାତ୍ରା ମାଇନସ୍ ୫୫ରୁ ୬୦ ଡିଗ୍ରୀ ସେଲସିୟସ୍ ଉପରେ ହିଁ ରହିଥାଏ। ଏଭଳି ଭୟଙ୍କର ଥଣ୍ଡାରେ ଯଦି ଆପଣ ନିଜ ହାତ, ଗୋଡ଼ ଏବଂ ଚର୍ମକୁ ଠିକ୍ ଭାବରେ ଘୋଡାଇ ନାହାନ୍ତି, ତା’ ହେଲେ ତାହା ଫ୍ରିଜ୍ ହେବା ପାଇଁ ମାତ୍ର କିଛି ହିଁ ସେକେଣ୍ଡ ଲାଗିବ। ଶୀତଦିନେ କୌଣସି ବାହାର ଲୋକଙ୍କ ପାଇଁ ଥଣ୍ଡାକୁ ସହ୍ୟ କରିବା କାଠିକାର ପାଠ ହୋଇଥାଏ। ରୁଷର ପ୍ରସିଦ୍ଧ ଭ୍ଲଗର୍ ଏଲି ଏକ ଭିଡିଓରେ କହିଛନ୍ତି ଯେ ବାହାର ଲୋକଙ୍କ ପାଇଁ ଏହି ତାପମାତ୍ରା ସହନ କରିବା କଷ୍ଟକର ହୋଇଥାଏ। ଝାଡ଼ାବାନ୍ତି ଏବଂ ହାର୍ଟ ଫେଲ୍‌ ହୋଇପାରେ। ମାତ୍ର ୧୦ ସେକେଣ୍ଡରେ ଜୀବନ ଚାଲି ଯାଇପାରେ।

ଶୀତଦିନେ ସାଖା ରିପବ୍ଲିକର ଲୋକମାନେ ନିଜକୁ ଅନେକ ପରସ୍ତ ଗରମ ପୋଷାକରେ କଭର କରି ରଖନ୍ତି। ବିଭିନ୍ନ ପ୍ରାଣୀଙ୍କ ଚମଡ଼ା, ଉଲ୍‌ରୁ ତିଆରି ସ୍ୱେଟର, ଓଭରକୋଟ୍ ଏବଂ ଅନ୍ୟାନ୍ୟ ଗରମ ପୋଷାକ ପିନ୍ଧନ୍ତି। କାନ ଘୋଡାଇବା ପାଇଁ ପଶୁ ପରରେ ତିଆରି ଟୋପି ବ୍ୟବହାର କରନ୍ତି। ପାଦରେ ସବୁବେଳେ ବୁଟ୍‌ ପିନ୍ଧି ଥାଆନ୍ତି। ଏହା ବ୍ୟତୀତ ଘରଗୁଡ଼ିକରେ ସବୁବେଳେ ନିଆଁ ଜଳୁଥାଏ ଏବଂ ଏହା ଉପରେ ଗରମ ପାଣି ବସିଥାଏ।

sakha2
photo: jansatta

ସାଖାରେ ରହୁଥିବା ଅଧିକାଂଶ ଲୋକ ଘୋଡା, ଖଚର ଏବଂ ଗୋରୁ ପାଳନ କରି ଜୀବନଯାପନ କରନ୍ତି। ଏଲି ନିଜ ଭ୍ଲଗରେ କହିଛନ୍ତି ଯେ ଶୀତଦିନେ ଏଠାରେ ଘୋଡା, ଖଚର ଏବଂ ଅନ୍ୟ ଗୋରୁମାନଙ୍କୁ କୌଣସି ଆଶ୍ରୟସ୍ଥଳୀର ଆବଶ୍ୟକ ପଡ଼େ ନାହିଁ। ସେମାନେ ଏଠାକାର ତାପମାତ୍ରା ସହିତ ଖାପ ଖୁଆଇ ନେଇଛନ୍ତି। ଏପରି କି, ସେମାନଙ୍କୁ ଅଲଗା କୌଣସି ଭୋଜନର ବି ଆବଶ୍ୟକ ପଡ଼େ ନାହିଁ, ବରଂ ସେମାନେ ନିଜେ ଏହାକୁ ଖୋଜି ନିଅନ୍ତି ଏବଂ ଶୋଷ ଲାଗିଲେ ବରଫ ହିଁ ଚୋବାଇ ପକାନ୍ତି।

ସାଖାର ଲୋକ ମାନେ ଶୀତଦିନେ ଘୋଡାର କଞ୍ଚା ମାଂସ, ଲିଭର, ଶୁଖିଲା ମାଛ ଖାଇ ବଞ୍ଚନ୍ତି। ଏଥିରୁ ଭିଟାମିନ୍ ଏବଂ ଅନ୍ୟାନ୍ୟ ଆବଶ୍ୟକତା ପୂରଣ ହୋଇଥାଏ। ଶୀତରେ ପନିପରିବା କିମ୍ବା ଅନ୍ୟାନ୍ୟ ଜିନିଷ ଅମଳ କରିବା ସମ୍ଭବ ହୁଏନାହିଁ। ସ୍ଥାନୀୟ ଲୋକ ମାନେ ଶୀତଦିନେ ବି ମାଛ ଧରନ୍ତି ଏବଂ ଏଥିପାଇଁ ସେମାନେ ଏକ ଖାସ୍‌ ପ୍ରକାରର ଉପକରଣ ବ୍ୟବହାର କରନ୍ତି। ରିପୋର୍ଟ ମୁତାବକ, ସାଖାର କିଛି ଘରେ ୱାଇ-ଫାଇ ଭଳି ସୁବିଧା ମଧ୍ୟ ଉପଲବ୍ଧ ଅଛି। ସାଖାର କିଛି ଲୋକଙ୍କ ଘରେ ଗରମ ପାଣିର ବି ସପ୍ଲାଏ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.