ଆରମ୍ଭ ହେଲା ସଂସଦରେ ମୌସୁମୀ ଅଧିବେଶନ: ଅଲଗା ଅଲଗା ସିଫ୍‌ଟରେ ଚାଲିବ ଲୋକସଭା ଓ ରାଜ୍ୟସଭା

ନୂଆଦିଲ୍ଲୀ: ଆଜିଠୁ ସଂସଦ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । କୋଭିଡ ସଂକ୍ରମଣ ଭିତରେ ଆରମ୍ଭ ହୋଇଛି ପ୍ରଥମ ଅଧିବେଶନ । ସଂକ୍ଷିପ୍ତ ଅଧିବେଶନରେ ଗୃହକାର୍ଯ୍ୟ ମଧ୍ୟ କାଣ୍ଟଛାଣ୍ଟ ହୋଇଛି । ଅଲଗା ଅଲଗା ସିଫ୍‌ଟରେ ଚାଲୁଛି ଲୋକସଭା ଓ ରାଜ୍ୟସଭା । ପ୍ରଥମ ଦିନ ଲୋକସଭା ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ଗୋଟାଏ ଓ ଅନ୍ୟଦିନ ଅପରାହ୍‌ଣ ୩ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ପ୍ରଥମ ଦିନ ରାଜ୍ୟସଭା ଅପରାହ୍‌ଣ ୩ଟାରୁ ୭ଟା ଓ ଅନ୍ୟଦିନ ସକାଳ ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ସପ୍ତାହ ଶେଷ ଦିନ ମଧ୍ୟ ଗୃହକାର୍ଯ୍ୟ ଚାଲିବ । ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ ।

କୋଭିଡ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତି ହୋଇଛି । ବ୍ୟବଧାନ ରକ୍ଷା କରି ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ତେବେ ଅନେକ ବରିଷ୍ଠ ସାଂସଦଙ୍କ ଆସନ ଖାଲି ପଡ଼ିଛି । ଉଭୟ ଗୃହର ପ୍ରାୟ ୨୦୦ ସାଂସଦଙ୍କ ବୟସ ୬୫ ବର୍ଷରୁ ଅଧିକ । ସେମାନଙ୍କ ମଧ୍ୟରୁ ଅନେକ ଆସି ନାହାନ୍ତି । ବେରୋଜଗାରୀ, ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦିନ, ଦେଶର ଆର୍ଥିକ ସ୍ଥିତି ଆଦି ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି ବିରୋଧୀ। ଏଲଏସି ପ୍ରସଙ୍ଗ ମଧ୍ୟ ସଂସଦରେ ଉଠିବ । ଭାରତ-ଚୀନ୍‌ ପ୍ରସଙ୍ଗରେ ଆଲୋଚନା ପାଇଁ ଉଭୟ ଗୃହର ନେତାଙ୍କ ବୈଠକ କାର୍ଯ୍ୟକ୍ରମ ରହିଛି। ସେହିଭଳି ଆଜି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ହେବ । ବିଜେଡି କେଉଁ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ତାରି ଉପରେ ନଜର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.