ପୋଲିସର ଅତ୍ୟାଚାର ସହିନପାରି ବିଷ ପିଇଲେ ଦମ୍ପତି, ବାପାମା’ଙ୍କ ମୃତଦେହକୁ କୁଣ୍ଢାଇ ବିକଳ ହୋଇ କାନ୍ଦୁଛନ୍ତି ଛୁଆ; ଦେଖନ୍ତୁ ଭିଡିଓ

ଭିନ୍ନ ମୋଡ଼ ନେଇଛି ମଧ୍ୟପ୍ରଦେଶରେ ଦଳିତ ପରିବାର ଉପରେ ପୋଲିସର ବର୍ବରତା ମାମଲା। ପୋଲିସର ମାଡ଼ ପରେ ଉଭୟ ଦଳିତ ପତିପତ୍ନୀ କୀଟନାଶକ ଔଷଧ ପିଇ ଆତ୍ମହତ୍ୟା କରିଛନ୍ତି। ବାପାମା’ଙ୍କ ମୃତଦେହକୁ ଧରି କୁନି କୁନି ଛୁଆମାନେ ରାସ୍ତାରେ ଭୋ ଭୋ ହୋଇ କାନ୍ଧୁଥିବା ଦୃଶ୍ୟ ଦେଖଣାହାରୀଙ୍କ ଆଖିରେ ମଧ୍ୟ ଲୁହ ଆଣିଦେଇଛି। ତେବେ ପୋଲିସର ଏଭଳି ବର୍ବରତା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ଵାନ୍‌ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବଦଳି କରି ଦେଇଛନ୍ତି। ଏଥିସହ ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ବିରୋଧୀ ଦଳ ମଧ୍ୟ ଭାରତୀୟ ଜନତା ପାର୍ଟିକୁ ଘେରିଥିବା ଦେଖିବାକୁ ମିଳିଛି।

ରିପୋର୍ଟ ମୁତାବକ ମଧ୍ୟପ୍ରଦେଶର ଗୁନାଠାରେ ପୋଲିସ ଏକ ଦଳିତ ପରିବାରକୁ ମାଡ଼ପିଟ୍‌ କରୁଥିବା ଭିଡିଓ ଭାଇରାଲ ହେଉଛି। ଭିଡିଓରେ ପୋଲିସ ଏକ ଦଳିତ କୃଷକ ପରିବାରକୁ ଅତ୍ୟନ୍ତ ଅମାନୁଷିକ ଭାବେ ପିଟୁଛି। କୁହାଯାଉଛି ଯେ ଏହି ଜମିରେ ଏକ ମେଡିକାଲ କଲେଜ ନିର୍ମାଣ ହେବାକୁ ନିଷ୍ପତ୍ତି ହୋଇଛି। ମାତ୍ର ଜମିରେ ଏହି ଦଳିତ ପରିବାର ଚାଷ କରୁଛି। ପ୍ରଶାସନ ତରଫରୁ ଜମି ଛାଡ଼ିବାକୁ କୁହାଯିବାରୁ ଏହି ପରିବାର ପ୍ରଶାସନକୁ ହାତ ଯୋଡ଼ି ଫସଲ କଟା ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଅନୁରୋଧ କରିଥିଲେ ।

ମାତ୍ର ପୋଲିସ ସେମାନଙ୍କର କଥାକୁ କର୍ଣ୍ଣପାତ କରିନଥିଲା। ବରଂ ତାଙ୍କୁ ଜୋରଜବରଦସ୍ତ ହଟାଇବାକୁ ଲାଠିରେ ପିଟିଥିଲା। ପୋଲିସ ଚାଷୀଙ୍କୁ ଅତି ନିର୍ମମ ଭାବେ ପିଟିଥିଲା। ଏଥିରେ ମର୍ମାହତ ହୋଇ ଉଭୟ ପତିପତ୍ନୀ ଘରେ ଥିବା କୀଟନାଶକ ପିଇଦେଇଥିଲେ। ମାତାପିତା ବିଷ ପିଇ ପଡ଼ିଯିବା ପରେ ଛୁଆମାନେ ସେମାନଙ୍କୁ ଧରି କାନ୍ଦି କାନ୍ଦି ମାଟିରେ ଲୋଟିପଡ଼ିଥିଲେ।

Dalit couple consume poison | Madhya Pradesh rights panel seeks ...

ଏହି ଦୃଶ୍ୟକୁ ଯିଏ ଦେଖିବ ତା’ ଆଖିରେ ଲୁହ ଆସିଯିବ। ଏହି କରୁଣ ଦୃଶ୍ୟର ଫଟୋ ଭାଇରାଲ ହେବା ପରେ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ଘଟଣାର ଗମ୍ଭୀରତାକୁ ଦେଖି ଶିବରାଜ ସରକାର ଜିଲ୍ଲାପାଳ ଏସ୍‌ ବିଶ୍ୱନାଥନ୍‌ ଓ ଏସ୍‌ପି ତରୁଣ ନାୟକଙ୍କୁ ତୁରନ୍ତ ବଦଳି କରିଛନ୍ତି। ଏଥିସହ ବିରୋଧୀ ଦଳ ମଧ୍ୟ ଏଥିପାଇଁ ସରକାରଙ୍କୁ ଘେରିଛନ୍ତି। ତେବେ ଏହି ମାମଲାରେ ପୂର୍ବ ମୁଖ୍ୟମନ୍ତ୍ରୀ କମଳନାଥ ଟ୍ଵିଟ୍‌ କରି କହିଛନ୍ତି ବିଜେପି ଶାସନଗାଦି ସମ୍ଭାଳିବା ପରେ ରାଜ୍ୟରେ ଜଙ୍ଗଲରାଜ୍‌ ଚାଲିଛି। ସେହିପରି ଦିଗବିଜୟ ସିଂହ ମଧ୍ୟ ଟ୍ଵିଟ୍‌ କରି କହିଛନ୍ତି ଯେ ରାଜ୍ୟରେ ଦଳିତଙ୍କ ଉପରେ ଅକଥନୀୟ ଅତ୍ୟାଚାର ହେଉଛି ଓ ସରକାର କେବଳ ତମାଶା ଦେଖୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.