ଦିଲ୍ଲୀ : ମୁଗଡାଲି ପ୍ରସ୍ତୁତ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୩ ମୃତ, ୬ ଗୁରୁତର

ଦିଲ୍ଲୀର ନରେଲାରେ ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହେବା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ଚିକିତ୍ସା ଚାଲିଛି । ଏହି ଫ୍ୟାକ୍ଟ୍ରିରେ ମୁଗ ଡାଲି ତିଆରି କରାଯାଉଥିଲା ।

ଖବର ମୁତାବକ, ଶନିବାର ଭୋର ପ୍ରାୟ ୩.୩୫ ମିନିଟରେ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଥିଲା । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହାପରେ ଫ୍ୟାକ୍ଟ୍ରିରୁ ୩ ମୃତଦେହ ବାହାର କରାଯାଇଥିବା ବେଳେ ୬ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି ।

ଘଟଣା ବିଷୟରେ ସୂଚନା ପାଇବା ପରେ ପ୍ରଶାସନ ନରେଲା ଇଣ୍ଡଷ୍ଟ୍ରିଆଲ ଏରିଆରେ ପହଞ୍ଚିଥିଲା । ଫ୍ୟାକ୍ଟ୍ରିରେ ଏକ ପାଇପରେ ଗ୍ୟାସ୍ ଲିକ୍ ହେବାରୁ ଏପରି ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଶ୍ୟାମକୃପା ଫୁଡ୍ସ ପ୍ରାଇଭେଟ ଲିମିଟେଡ ନାମରେ ଫ୍ୟାକ୍ଟ୍ରିରେ ମୁଗ ଡାଲି ପ୍ରସ୍ତୁତ କରାଯାଉଥିଲା । ଗ୍ୟାସରେ ମୁଗ ଭଜା ଯାଉଥିବା ବେଳେ ଏକ ପାଇପରୁ ଗ୍ୟାସ ଲିକ୍‌ ହୋଇ ଏଭଳି ନିଆଁ ଲାଗିଥିଲା । ନିଆଁ ଲାଗିବା ଯୋଗୁଁ କମ୍ପ୍ରେସର ଗରମ ହୋଇ ବିସ୍ଫୋରଣ ହୋଇଥିଲା । ଏହି ଫ୍ୟାକ୍ଟ୍ରି ଅଙ୍କିତ ଗୁପ୍ତା ଏବଂ ବିନୟ ଗୁପ୍ତା ନାମରେ ରହିଛି । ଦୁଇଜଣ ରୋହିଣୀରେ ରହୁଛନ୍ତି । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.