ଆଜିଠୁ ଆରମ୍ଭ ହେବ ମୋଦିଙ୍କ ତୃତୀୟ ପାଳି, ସନ୍ଧ୍ୟା ୭ଟା ୧୫ରେ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ମୋଦିଙ୍କ ତୃତୀୟ ଇନିଂସ ।  ହ୍ୟାଟ୍ରିକ୍ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭବନରେ ସନ୍ଧ୍ୟା ୭.୧୫ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇବେ  । ଏହା ସହ କିଛି କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ତେବେ କାହାକୁ କେଉଁ ମନ୍ତ୍ରୀ ପଦ ମିଳିବ ଏବଂ କ୍ୟାବିନେଟର ରୂପରେଖ କ’ଣ ରହିବ, ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।

ଏପଟେ ସମ୍ଭାବ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ପିଏମଓରୁ ଯାଉଛି ଫୋନ୍ କଲ୍ । ଅମିତ ଶାହ ଓ ନୀତିନ ଗଡ଼କରୀ, ରାଜନାଥ ସିଂ, ପ୍ରହଲ୍ଲାଦ ଯୋଶୀଙ୍କୁ ଫୋନ୍ କଲ୍ ଯାଇଛି । ସେଭଳି TDP ସାଂସଦ ରାମମୋହନ ନାଇଡୁ, ଆପନା ଦଳର ଅନୁପ୍ରିୟା ପଟେଲ, HAMର ଜିତନ ରାମ ମାଝୀ, ଜେଡିଏସର ଏଚ୍ .ଡି କୁମାରସ୍ବାମୀ ଏବଂ RLD ଅଧ୍ୟକ୍ଷ ଜୟନ୍ତ ଚୌଧୁରୀଙ୍କୁ ଫୋନ କଲ୍ ଯାଇଥିବା ଜାତୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା ରହିଛି । ଏପଟେ ଶପଥ ଉତ୍ସବରେ ଯୋଗଦେବା ପାଇଁ ଦେଶ ବିଦେଶରୁ ଅନେକ ଅତିଥିଙ୍କୁ ନିମନ୍ତ୍ରିତ କରାଯାଇଛି । ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସମେତ ଶ୍ରୀଲଙ୍କା ରାଷ୍ଟ୍ରପତି, ମାଳଦୀପ ରାଷ୍ଟ୍ରପତି, ନେପାଳ , ଭୁଟାନ ଓ ମରସିସ୍ ରାଷ୍ଟ୍ର ମୁଖ୍ୟ ମଧ୍ୟ ଭାରତ ଆସୁଛନ୍ତି । ଅତିଥିଙ୍କ ପାଇଁ ସ୍ବତନ୍ତ୍ର ହୋଟେଲର ବ୍ୟବସ୍ଥା କରାଯାଇଛି । ଶପଥ ସମାରୋହ ପାଇଁ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୫୦୦ ପୋଲିସ ଫୋର୍ସ, ୫ କମ୍ପାନୀ ପାରାମିଲିଟାରି ଫୋର୍ସ, ଏମଏସଜି କମାଣ୍ଡୋ ସହ ଡ୍ରୋନ ଏବଂ ସ୍ନାଇପରଙ୍କୁ ମୁତୟନ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କିଛି ସ୍ଥାନକୁ ନୋ ଫ୍ଲାଇଙ୍ଗ ଜୋନ ମଧ୍ୟ ଘୋଷଣା କରାଯାଇଛି ।

Leave A Reply

Your email address will not be published.