ୟୁକ୍ରେନ୍କୁ ସାହାଯ୍ୟ କରି ନାଟୋ ଦେଶ ହଟହଟା, ସରିଗଲାଣି ନିଜ ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ: ରୁଷ ସେନା ଦିନକୁ ଦିନ ୟୁକ୍ରେନ ଉପରେ ବୋମାମାଡ଼ ଏବଂ ଏୟାର ଷ୍ଟ୍ରାଇକକୁ ତୀବ୍ର କରିବାରେ ଲାଗିଛି। ଅନ୍ୟପଟେ ନାଟୋ ଦେଶର ବଳରେ ବଳୀୟାନ ହୋଇ ରୁଷ ବିପକ୍ଷରେ ୟୁକ୍ରେନ ଅଣ୍ଟା ଭିଡ଼ିଛି। କିନ୍ତୁ ଗତ କିଛି ଦିନ ଧରି ନାଟୋ ଦେଶ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ କମାଇବା ଆରମ୍ଭ କରିଦେଇଛନ୍ତି।

ରିପୋର୍ଟ ମୁତାବକ, ଏହି ଯୁଦ୍ଧ ପାଇଁ ନାଟୋ ଦେଶର ଯୁଦ୍ଧ ଭଣ୍ଡାର ଦିନକୁ ଦିନ କମ୍‌ ହେବାରେ ଲାଗିଛି। ନାଟୋ ଦେଶ ଉପରେ ରୁଷ ଆକ୍ରମଣ କରିବାରର ସମ୍ଭାବନା ବି ଦେଖାଦେଲାଣି। ତେଣୁ ରୁଷ ଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ନାଟୋ ଦେଶ ନିଜର ଅସ୍ତ୍ରଶସ୍ତ୍ରକୁ ସୁରକ୍ଷିତ କରି ରଖିବାକୁ ଚାହୁଁଛନ୍ତି। ଅଧିକାଂଶ ନାଟୋ ସଦସ୍ୟ ଦେଶ ୟୁକ୍ରେନକୁ ସାହାଯ୍ୟ କରୁନଥିବାରୁ ପରୋକ୍ଷରେ ରୁଷର ବିଜୟ ରାସ୍ତା ସହଜ ହେଉଛି। ଅନେକ ୟୁରୋପୀୟ ଦେଶ ୟୁକ୍ରେନକୁ ସାହାଯ୍ୟ କରି ନିଜେ କାଙ୍ଗାଳ ହୋଇଛନ୍ତି। ଅନେକ ନାଟୋ ଦେଶରେ ଏବେ ଅସ୍ତ୍ରଶସ୍ତ୍ର ଅଭାବ ମଧ୍ୟ ସୃଷ୍ଟି ହୋଇଛି।

ରୁଷ ନିକଟରେ ପରମାଣୁ ବୋମା ସହ ଅନେକ ଘାତକ ହତିଆର ରହିଛି। ୟୁକ୍ରେନ ଯୁଦ୍ଧ ଯୋଗୁଁ ଅସ୍ତ୍ରଶସ୍ତ୍ର କିଛିଟା କମିଥିଲେ ବି ତାହା ଶେଷ ହେବାର କୌଣସି ସମ୍ଭାବନା ନାହିଁ। କିନ୍ତୁ ୟୁକ୍ରେନକୁ ଆମେରିକା ପକ୍ଷରୁ ଆର୍ଥିକ ଏବଂ ହତିଆର ସହାୟତା ଜାରି ରହିଛି।

ଆମେରିକା ସାହାଯ୍ୟ ଜାରି ରଖିଥିବା ବେଳେ ନାଟୋର ଛୋଟ ଦେଶ ଗୁଡିକ ହତିଆର ଅଭାବକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପଟେ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବା ନାଟୋ ଦେଶ ପାଇଁ ସହଜ ନୁହେଁ। ବର୍ତ୍ତମାନ ସମୟରେ ସାରା ବିଶ୍ୱ ଆର୍ଥିକ ମାନ୍ଦାବସ୍ଥାର ସାମ୍ନା କରୁଛି। ଏପରି ସ୍ଥିତିରେ ଘାତକ ହତିଆର ନିର୍ମାଣ ଏବଂ ଆମଦାନୀ କରିବା ଛୋଟ ଦେଶ ପାଇଁ ଅସମ୍ଭବ ହେଉଥିବାରୁ କିଛି ନାଟୋ ଦେଶ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି।

Also Read: ଗୁମ୍‌ନାମୀ ବାବା ହିଁ ନେତାଜୀ! ଆର୍‌ଟିଆଇରେ ଡିଏନ୍‌ଏ ରିପୋର୍ଟ ମାଗିଥିଲେ ଆବେଦକ, କିନ୍ତୁ ମନା କଲେ କର୍ତ୍ତୃପକ୍ଷ