ଓସ୍କାର ମଞ୍ଚରେ ଲାଇଭ୍‌ ପରଫର୍ମାନ୍ସ ହେବ ‘ନାଟୁ ନାଟୁ’; ରାମ ଚରଣ ଓ ଜୁନିୟର ଏନ୍‌ଟିଆର୍‌ଙ୍କ ଜଲଓ୍ଵା ଦେଖିବାକୁ ଉଠିଲା ଦାବି

ଓସ୍କାର ମଞ୍ଚରେ ଦେଖାଯିବ ‘ନାଟୁ ନାଟୁ’ର ଜଲଓ୍ଵା। ଫିଲ୍ମ 'RRR'ର ନାଟୁ ନାଟୁ ଗୀତକୁ ଓସ୍କାର୨୦୨୩ରେ ଲାଇଭ୍‌ ପରଫର୍ମାନ୍ସ କରାଯିବ। ବର୍ତ୍ତମାନ ଲାଇଭ୍ ପରଫର୍ମାନ୍ସ ପାଇଁ ଚାଲିଛି ରିହର୍ସାଲ୍।

ଏସ୍ ଏସ୍‌ ରାଜାମୌଳିଙ୍କ ନିର୍ଦ୍ଦେଶିତ ତଥା ରାମ ଚରଣ ଓ ଜୁନିୟର ଏନ୍‌ଟିଆର୍‌ଙ୍କ ଅଭିନୀତ ଫିଲ୍ମ ‘RRR’ ଓସ୍କାର ୨୦୨୩ ପାଇଁ କ୍ରମାଗତ ଭାବେ ଚର୍ଚ୍ଚାରେ ରହିଛି। ଚଳଚ୍ଚିତ୍ରର ଗୀତ ‘ନାଟୁ ନାଟୁ’ ସର୍ବଶ୍ରେଷ୍ଠ ମୂଳ ଗୀତ ବର୍ଗରେ ଓସ୍କାର ୨୦୨୩ରେ ନାମାଙ୍କିତ ହୋଇ ଭାରତକୁ ଗୌରବାନ୍ଵିତ କରିଛି। ‘RRR’ ପୂର୍ବରୁ ହିଁ ସିଲଭର ସ୍କ୍ରିନ ଏବଂ ଗୋଲଡେନ୍ ଗ୍ଲୋବରେ ଭାରତର ମୁଣ୍ଡ ଉଚ୍ଚା କରିଥିବା ବେଳେ ଏବେ ଫିଲ୍ମକୁ ନେଇ ଓସ୍କାର ଆଉ ଏକ ବଡ ଅପଡେଟ୍ ସେୟାର କରିଛି।

ଦ ଏକାଡେମୀ ନିକଟରେ ନିଶ୍ଚିତ କରିଛି ଯେ ‘RRR’ର ଭାଇରାଲ୍ ଗୀତ ‘ନାଟୁ ନାଟୁ’କୁ ଓସ୍କାର ୨୦୨୩ ମଞ୍ଚରେ ଲାଇଭ୍‌ ପ୍ରଦର୍ଶନ କରାଯିବ। ଓସ୍କାର ଘୋଷଣା ପୂର୍ବରୁ ଗୀତର ସଙ୍ଗୀତକାର ଏମ୍‌ଏମ୍‌ କିରାଭାନୀ ଖୁଲାସା କରିଥିଲେ କି, ବର୍ତ୍ତମାନ ଲାଇଭ୍ ପରଫର୍ମାନ୍ସ ପାଇଁ ରିହର୍ସାଲ୍ ଚାଲିଛି। ସେପଟେ ଯେବେଠୁ ଲାଇଭ୍‌ ପରଫର୍ମାନ୍ସ ବିଷୟରେ ଘୋଷଣା ହୋଇଛି, ସେବେଠାରୁ ସୋସିଆଲ ମିଡିଆରେ କ୍ରମାଗତ ଭାବରେ ଫ୍ୟାନମାନେ ରାମ ଚରଣ ଓ ଜୁନିୟର ଏନ୍‌ଟିଆର୍‌ ନୃତ୍ୟ କରିବାକୁ ନିବେଦନ କରୁଛନ୍ତି।

ନିକଟରେ ଦ ଏକାଡେମୀ ଟ୍ୱିଟରରେ ଘୋଷଣା କରିଛି ଯେ ଓସ୍କାର ସମାରୋହରେ ‘ନାଟୁ ନାଟୁ’ର ଲାଇଭ୍ ପରଫର୍ମାନ୍ସ କରାଯିବ। ଓସ୍କାରର ଅଫିସିଆଲ୍ ପୋଷ୍ଟରେ ଲେଖା ହୋଇଥିଲା, ‘ରାହୁଲ ସିପ୍ଲିଗୁଞ୍ଜ ଓ କାଲ୍‌ ଭୈରବ ୯୫ତମ ଓସ୍କାରରେ ନାଟୁ ନାଟୁର ଲାଇଭ୍ ପରଫର୍ମାନ୍ସ କରିବେ। ଏହା ସହିତ ଦ ଏହାଡେମୀ ଏକ ପୋଷ୍ଟର ମଧ୍ୟ ସେୟାର କରିଥିଲା। ଏହି ସମାରୋହ ୧୨ ମାର୍ଚ୍ଚ (ଭାରତରେ ୧୩ ମାର୍ଚ୍ଚ)ରେ ଆମେରିକାର ଲସ୍ ଆଞ୍ଜେଲ୍ସର ଡଲବି ଥିଏଟରରେ ଅନୁଷ୍ଠିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.