ଜେଲ୍‌ରେ ମାତ୍ର ୪ ଘଣ୍ଟା ଶୋଉଛନ୍ତି ନବଜୋତ ସିଂ ସିଦ୍ଧୁ, ସନ୍ଧ୍ୟା ପରଠୁ ଖାଉନାହାନ୍ତି କିଛି; ୬ ମାସରେ କମାଇଲେ ୩୪ କିଲୋ ଓଜନ!

ଜେଲ୍‌ରେ ମାତ୍ର ୪ ଘଣ୍ଟା ଶୋଉଛନ୍ତି ନବଜୋତ ସିଂ ସିଦ୍ଧୁ, ସନ୍ଧ୍ୟା ପର ଠାରୁ କୌଣସି ବି ଖାଦ୍ୟ ଗ୍ରହଣ କରୁ ନାହାନ୍ତି। ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି (ପିପିସିସି) ର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କର ଜଣେ ସହଯୋଗୀ ଏହି ଦାବି କରିଛନ୍ତି। ସେ କହିଛନ୍ତି ଯେ ଜେଲ୍‌ରେ ସିଦ୍ଧୁ ନିଜର ୩୪ କିଲୋ ଓଜନ ହ୍ରାସ କରିଛନ୍ତି। ଗତ ୬ ମାସରେ କଠୋର ଜୀବନଶୈଳୀ ପାଳନ କରି ନବଜୋତ ସିଂ ସିଦ୍ଧୁ ୩୪ କିଲୋ କମିଛନ୍ତି। ସେ ନିଜ ଓଜନ କମାଇବା ପାଇଁ ପଟିଆଲା ଜେଲ୍‌ରେ ନିଜର ଡାଏଟ୍‌, ଦୁଇ ଘଣ୍ଟା ଯୋଗ ଏବଂ ଏକ୍ସରସାଇଜ୍‌ର ରୁଟିନ୍‌ ମେଣ୍ଟେନ କରିଥିଲେ। ୮୦ ଏବଂ ୯୦ ଦଶକର କ୍ରିକେଟର ନବଜୋତ ସିଂ ସିଦ୍ଧୁ ବର୍ତ୍ତମାନ ଓଜନ କମାଇ ୯୯ କିଲୋ ହୋଇଛନ୍ତି।

ସିଦ୍ଧୁଙ୍କ ସହଯୋଗୀ ତଥା ପୂର୍ବତନ ବିଧାୟକ ନଭତେଜ ସିଂ ଚିମାଙ୍କ ଅନୁସାରେ, ଜେଲ୍‌ରେ ସିଦ୍ଧୁ ଅତି କମ୍‌ରେ ୪ ଘଣ୍ଟା ମେଡିଟେସନ, ୨ ଘଣ୍ଟା ଯୋଗ ଏବଂ ବ୍ୟାୟାମ କରନ୍ତି। ଏହା ବ୍ୟତୀତ ସେ ୨ରୁ ୪ ଘଣ୍ଟା ପଢ଼ାପଢ଼ି କରନ୍ତି ଏବଂ କେବଳ ୪ ଘଣ୍ଟା ଶୁଅନ୍ତି। ଚିମା ୨୫ ନଭେମ୍ବରରେ ସିଦ୍ଧୁଙ୍କ ସହିତ ପଟିଆଲା ଜେଲ୍‌ରେ ପାଖାପାଖି ୪୫ ମିନିଟ୍‌ ପର୍ଯ୍ୟନ୍ତ ଭେଟିଥିଲେ। ଏହି ସାକ୍ଷାତ ପରେ ସେ ଗଣମାଧ୍ୟମକୁ କହିଥିଲେ କି, ‘ଯେତେବେଳେ ସିଦ୍ଧୁ ନିଜର କାରାଦଣ୍ଡ ପୂରଣ କରି ଜେଲ୍‌ରୁ ବାହାରକୁ ଆସିବେ, ତ ଆପଣମାନେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ। ସେ ବିଲ୍‌କୁଲ ସେହିପରି ଦେଖା ଯାଉଛନ୍ତି, ଯେପରି କ୍ରିକେଟର ରୂପେ ସେ ନିଜର ସୁନେଲି ଦିନରେ ଦେଖା ଯାଉଥିଲେ’।

ଚିମା ଆହୁରି କହିଥିଲେ ଯେ ‘ସିଦ୍ଧୁ ୩୪ କିଲୋ ଓଜନ ହ୍ରାସ କରିଛନ୍ତି ଏବଂ ବର୍ତ୍ତମାନ ସେ ଏହାକୁ ଆହୁରି କମାଇବେ। ଏବେ ବି ତାଙ୍କ ଓଜନ ୯୯ କିଲୋ ରହିଛି। କିନ୍ତୁ ସିଦ୍ଧୁଙ୍କ ଉଚ୍ଚତା ୬ ଫୁଟ୍‌ ୨ ଇଞ୍ଚ ଥିବାରୁ ସେ ନିଜ ବର୍ତ୍ତମାନର ଓଜନରେ ବହୁତ ସୁନ୍ଦର ଦେଖା ଯାଉଛନ୍ତି। ସିଦ୍ଧୁ ବହୁତ ଶାନ୍ତି ଦେଖା ଯାଇଥିଲେ, କାହିଁକି ନା, ସେ ଧ୍ୟାନରେ ସମୟ ବିତାଉଛନ୍ତି’। ପୂର୍ବତନ ବିଧାୟକ କହିଥିଲେ, ‘ସିଦ୍ଧୁ ପ୍ରକୃତରେ ବହୁତ ଭଲ ଅନୁଭବ କରୁଛନ୍ତି। ସେ ମୋତେ କହିଥିଲେ ଯେ ପୂର୍ବରୁ ତାଙ୍କ ଲିଭରକୁ ନେଇ ସେ ଯେଉଁ ଚିନ୍ତାରେ ଥିଲେ, ଏବେ ତାହା ବହୁତ ଭଲ ଅଛି’।

କହି ରଖୁଛୁ, ସିଦ୍ଧୁ ନନ୍‌ ଆଲ୍‌କୋହଲିକ ଫ୍ୟାଟି ଲିଭର ଏବଂ ଏମ୍ବୋଲିଜମ୍‌ରେ ପୀଡ଼ିତ। ଡାକ୍ତର ତାଙ୍କୁ ନଡ଼ିଆ ପାଣି, କ୍ୟାମୋମାଇଲ ଚା’, ବାଦାମ କ୍ଷୀର ଓ ମେହେନ୍ଦୀ ଚା’ ସହ ସ୍ୱତନ୍ତ୍ର ଡାଏଟ୍‌ ନେବାକୁ ପରାମର୍ଶ ଦେଇଛନ୍ତି। ସିଦ୍ଧୁ ଏହି ସମୟରେ ଚିନି ଓ ଗହମଠାରୁ ଦୂରରେ ରହିଛନ୍ତି ଏବଂ ଦିନରେ ମାତ୍ର ଦୁଇଥର ଭୋଜନ କରୁଛନ୍ତି। ସେ ସନ୍ଧ୍ୟା ୬ଟା ପର ଠାରୁ କିଛି ବି ଖାଉ ନାହାନ୍ତି। ସିଦ୍ଧୁଙ୍କୁ ଜେଲ୍‌ରେ ମୁନ୍‌ସୀର କାମ ଦିଆଯାଇଥିଲା।