ଗତକାଲି କହିଥିଲେ ପିକ୍‌ଚର ଅଭି ବାକି ହୈ ଆଉ ଆଜି କହିଲେ ଖୁବଶୀଘ୍ର ଫିଲ୍ମ ଶେଷ ହେବ: ୱାଙ୍ଖଡେଙ୍କୁ ପୁଣି ନୱାବଙ୍କ ଟାର୍ଗେଟ

କେନ୍ୟୁଜ୍(ବ୍ୟୁରୋ): ଗତକାଲି କହିଥିଲେ, ପିକ୍‌ଚର ଅଭି ବାକି ହୈ। ଆଉ ଆଜି କହିଲେ, ଖୁବଶୀଘ୍ର ଫିଲ୍ମ ଶେଷ ହେବ। ଏନସିବି ଜୋନାଲ ଡାଇରେକ୍ଚର ସମୀର ୱାଙ୍ଖଡେଙ୍କୁ ପୁଣି ନୱାବଙ୍କ ଟାର୍ଗେଟ। ୱାଙ୍ଖଡେ ଚାକିରିରୁ ବିଦା ହେବା ପରେ ଫିଲ୍ମ ଶେଷ ହେବ ବୋଲି କହିଛନ୍ତି ଏନସିପି ନେତା ନୱାବ ମଲ୍ଲିକ। ସମୀରଙ୍କୁ ମହଙ୍ଗା ପଡ଼ିବ ମିଛ ଜାତିଗତ ସାର୍ଟିଫିକେଟ। ଏଥିପାଇଁ ଚାକିରିରୁ ବିଦା ହେବେ। ୱାଙ୍ଖଡେଙ୍କ ପ୍ରତି ଜାରି ରହିଛି ନୱାବଙ୍କ ଆକ୍ରମଣାତ୍ମକ ଆଭିମୂଖ୍ୟ। ପ୍ରତିଦିନ ୱାଙ୍ଖଡେଙ୍କ ମୁଖା ଖୋଲିବା ଜାରି ରଖିବେ। ତାଙ୍କ ବିରୋଧରେ ପ୍ରମାଣର ପାହାଡ଼ ରଖିଥିବା ଦାବି କହିଛନ୍ତି ନୱାବ।

ସମୀରଙ୍କ ସହ ନୱାବଙ୍କ ଟାର୍ଗେଟରେ ବିଜେପି। ୱେଷ୍ଟର୍ଣ୍ଣ ଜୋନରେ ୱାଙ୍ଖଡେ ଦାୟିତ୍ୱ ନେବା ପରେ ଏନସିବି ଅଫିସକୁ ବିଜେପି ନେତାଙ୍କ ଚଳପ୍ରଚଳ ବଢିଥିବା ସେ ଅଭିଯୋଗ ଆଣିଛନ୍ତି। ରାଜ୍ୟର ମହାବିକାଶ ଆଘାଡ଼ି ସରକାରକୁ ବଦନାମ କରିବାକୁ ୱାଙ୍ଖଡେଙ୍କୁ ବିଜେପି ବ୍ୟବହାର କରୁଛି। ମୁମ୍ବାଇରୁ ଫିଲ୍ମସିଟିକୁ ଉତ୍ତର ପ୍ରଦେଶକୁ ସ୍ଥାନାନ୍ତର କରିବାକୁ ବିଜେପି ସରକାର ଷଡ଼ଯନ୍ତ୍ର ଚଳାଇଥିବା କହିଛନ୍ତି ନୱାବ। ସେପଟେ ସମୀରଙ୍କ ଦ୍ୱିତୀୟ ପତ୍ନୀ କ୍ରାନ୍ତିଙ୍କ ମରାଠୀ କାର୍ଡକୁ ଘେରିଛନ୍ତି ନୱାବ ମଲ୍ଲିକ। ମହାରାଷ୍ଟ୍ର ଓ ମୁମ୍ବାଇକୁ ବଦନାମ କରିବାକୁ ଷଡ଼ଯନ୍ତ୍ର ଚଳାଇଥିବା ବ୍ୟକ୍ତିଙ୍କ ପତ୍ନୀ ମରାଠୀ ବୋଲି ଦାବି କରିବା ଉଚିତ ନୁହେଁ ବୋଲି କହିଛନ୍ତି ନୱାବ।

ମୁମ୍ବାଇ ସମୁଦ୍ରତଟରେ କୋର୍ଡେଲିଆ କ୍ରୁଜ ଡ୍ରଗ ମାମଲା ପରଠାରୁ ନୱାବଙ୍କ ଟାର୍ଗେଟରେ ସମୀର ୱାଙ୍ଖଡେ। ଜାତିଗତ ପ୍ରମାଣ ପତ୍ର, ନିକାହନାମା ଭଳି ଗୁରୁତ୍ୱପୂର୍ଣ୍ଣ ୨୬ଟି ଅଭିଯୋଗ ଆଣିଛନ୍ତି ଏନସିପି ନେତା। ଏପରିକି କ୍ରୁଜରେ ଚଢଉ ଫେକ୍‌ ଥିଲା। ସେଠାରେ ଅନ୍ତର୍ଜାତୀୟ ଡ୍ରଗ୍‌ସ ମାଫିଆ ଉପସ୍ଥିତ ଥିଲେ ମଧ୍ୟ ସେ ୱାଙ୍ଖଡେଙ୍କ ବନ୍ଧୁ ହୋଇଥିବାରୁ ତାଙ୍କୁ ଛାଡ଼ିଦିଆଯାଇଥିଲା ବୋଲି କହିଛନ୍ତି ନୱାବ। ତେବେ ସମସ୍ତ ଅଭିଯୋଗକୁ ୱାଙ୍ଖଡେ ଖଣ୍ଡନ କରିଛନ୍ତି। ଆରୋପ ପ୍ରତ୍ୟାରୋପର ଫିଲ୍ମର ଏଣ୍ଡ କେଉଁଠି ଏବେ ତା ଉପରେ ନଜର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.