ଚୀନ୍ରୁ ଭାଇରସ୍ ଆସିଥିବା କଥାକୁ କେବେ ବି ଭୁଲିପାରିବି ନାହିଁ: ଡୋନାଲ୍ଡ ଟ୍ରମ୍ପ

ଚୀନ୍କୁ ଆକ୍ଷେପ କରି ପୁଣିଥରେ ବିବାଦୀୟ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆଗକୁ ନିର୍ବାଚନ ଥିବାରୁ ଓ୍ଵାଶିଂଟନ୍ରେ ଆୟୋଜିତ ଏକ ର୍ୟାଲିରେ ଟ୍ରମ୍ପ ଉଦ୍ବୋଧନ ଦେବା ଅବସରରେ ଚୀନ୍ ଉପରେ ପ୍ରବଳ ବର୍ଷିଛନ୍ତି। ଟ୍ରମ୍ପ କହିଛନ୍ତି ଚୀନ୍ରୁ ଆସିଥିବା କରୋନା ଭାଇରସ୍କୁ ମୁଁ କେବେ ହେଲେ ଭୁଲିପାରିବି ନାହିଁ। ଆମର ଅର୍ଥନୀତି ଦୃଢ଼ ଥିଲା ତଥାପି କରୋନା ଦେଶରେ ପ୍ରବେଶ କଲା। କିନ୍ତୁ ଆମକୁ ଆହୁରି ସଚେତନ ରହିବା ଆବଶ୍ୟକ। ଚୀନ୍ର ଏଭଳି କର୍ମକୁ ଆମେ କେବେ ବି ଭୁଲିପାରିବୁ ନାହିଁ ବୋଲି କହିଛନ୍ତି ଟ୍ରମ୍ପ।
ଟ୍ରମ୍ପ କହିଛନ୍ତି ଆମେ ଆର୍ଥିକ ଗତିବିଧିକୁ ବନ୍ଦ କଲୁ ବୋଲି ଲକ୍ଷାଧିକ ଲୋକଙ୍କ ଜୀବନ ବଞ୍ଚିଗଲା। ଏବେ ଆମେ ସବୁ କିଛି ଖୋଲି ଦେଇଛୁ। ଆମେରିକା ଏହି ଭାଇରସ୍ ଯୋଗୁ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଏହି ଭାଇରସ୍ ଯୋଗୁ ୨ ଲକ୍ଷରୁ ଅଧିକ ଆମେରିକୀୟଙ୍କ ଜୀବନ ଯାଇଛି ଓ ଦେଶର ଅର୍ଥ ବ୍ୟବସ୍ଥା ଦୋହଲି ଯାଇଛି। ଫଳରେ ଲକ୍ଷାଧିକ ଲୋକ ଚାକିରି ହରାଇଛନ୍ତି। ସେ କହିଛନ୍ତି ଯଦି ଆଗାମୀ ୪ ବର୍ଷ ପାଇଁ ମୁଁ ପୁଣିଥରେ ଶାସନ ଗାଦିକୁ ଫେରୁଛି ତେବେ ଆମେରିକାକୁ ଦୁନିଆରେ ବିନିର୍ମାଣର ମହାଶକ୍ତି ବନାଇ ଦେବି। ଆମେ ଚୀନ୍ ଉପରେ ନିଜ ଆତ୍ମନିର୍ଭରତାକୁ ସବୁଦିନ ପାଇଁ ଶେଷ କରି ଦେବୁ।
ଟ୍ରମ୍ପ କହିଛନ୍ତି କରୋନା ଭାଇରସ୍ ପରେ ଚୀନ୍ ସହ ସମ୍ପର୍କ ଆମ ପାଇଁ ଆଉ ସେତେଟା ଗୁରୁତ୍ୱ ରଖୁନାହିଁ। ଚୀନ୍ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗଙ୍କ ସହ ମୋର ଭଲ ସମ୍ପର୍କ ଥିଲା। କିନ୍ତୁ ଏହି ମହାମାରୀ ଆସିଗଲା। ଆମେ ଭଲ ବେପାର ପାଇଁ କଥାବାର୍ତ୍ତା କରିଥିଲୁ କିନ୍ତୁ ଏସବୁ ଆଉ ପୂର୍ବ ଭଳି ନାହିଁ। ଏବେ କ’ଣ ଚୀନ୍ ସହ ଭଲ ସମ୍ପର୍କ ସମ୍ଭବ ବୋଲି ସେ ପ୍ରଶ୍ନ କରିଥିଲେ। ସୂଚନାଯୋଗ୍ୟ ଯେ ୨୦୨୦ ଆରମ୍ଭରେ ଆମେରିକା ଓ ଚୀନ୍ ମଧ୍ୟରେ ଏ ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। କିନ୍ତୁ ଏବେ ଏହି ମାମଲାରେ ଟ୍ରମ୍ପ ଚୀନ୍ ସହ କଥାବାର୍ତ୍ତା କରିବାକୁ ମନା କରି ଦେଇଛନ୍ତି।