ବେଙ୍ଗାଲୁରୁର ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ NIAକୁ ବଡ଼ ସଫଳତା, ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ
ବେଙ୍ଗାଲୁରୁର ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ତଦନ୍ତ ଏଜେନ୍ସି ଏନ୍ଆଇଏକୁ ମିଳିଛି ବଡ଼ ସଫଳତା । ଏନ୍ଆଇଏ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ବିସ୍ଫୋରଣ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରାଯାଇଛି ।

ବେଙ୍ଗାଲୁରୁର ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ତଦନ୍ତ ଏଜେନ୍ସି ଏନ୍ଆଇଏକୁ ମିଳିଛି ବଡ଼ ସଫଳତା । ଏନ୍ଆଇଏ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ବିସ୍ଫୋରଣ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରାଯାଇଛି । ବିଳମ୍ବିତ ରାତି ସୁଦ୍ଧା ତଦନ୍ତ ଏଜେନ୍ସି ଏହାର ଖୁଲାସା କରିପାରେ । ଏନ୍ଆଇଏ ଏହି ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଉପରେ ୧୦-୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ।
ଏହି ମାମଲାରେ ପଳାତକ ଅବଦୁଲ୍ ମଥିନ ତାହା ଓ ମୁସାଭିର ହୁସେନ୍ ଶାଜେବଙ୍କୁ ଏନ୍ଆଇଏ କୋଲକାତା ନିକଟରୁ ଗିରଫ କରିଛି । ଏଜେନ୍ସି ଗୁପ୍ତ ସୂଚନା ଆଧାରରେ ଉଭୟଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ମୁସାଭିର ହୁସେନ୍ ଶାଜେବ ହେଉଛନ୍ତି ସେହି ବ୍ୟକ୍ତି, ଯିଏ କାଫେରେ IED ଖଞ୍ଜିଥିଲେ । ଅବଦୁଲ୍ ମଥିନ ତାହା ବିସ୍ଫୋରଣର ଯୋଜନା କରି ତାହାକୁ କାର୍ଯ୍ୟକାରୀ କରିଥିଲେ । ଏହାପରେ ଆଇନର କବଳରୁ ଖସି ପଳାଇବାରେ ସେ ଥିଲେ ମାଷ୍ଟରମାଇଣ୍ଡ । ଏହି ମାମଲାରେ ପୋଲିସ ପୂର୍ବରୁ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କର ଅସଲି ଫଟୋ ମଧ୍ୟ ଜାରି କରିଥିଲା ।
କୁହାଯାଉଛି ଯେ ଉଭୟ ଅଭିଯୁକ୍ତ ନିଜର ମିଥ୍ୟା ପରିଚୟ ଆଧାରରେ କୋଲକାତା ନିକଟରେ ଲୁଚି ରହିଥିଲେ । ଏନ୍ଆଇଏ ଗୁପ୍ତ ସୂଚନା ଆଧାରରେ ଉଭୟଙ୍କ ଠିକଣା ବିଷୟରେ ଅନୁସନ୍ଧାନ କରିଥିଲା ଏବଂ ସେମାନଙ୍କୁ କାବୁ କରିଥିଲା । ସୂଚନା ଅନୁଯାୟୀ, କେନ୍ଦ୍ରୀୟ ଇଣ୍ଟେଲିଜେନ୍ସ ଏଜେନ୍ସି ଏବଂ ପଶ୍ଚିମବଙ୍ଗ, ତେଲେଙ୍ଗାନା, କର୍ଣ୍ଣାଟକ ଓ କେରଳ ପୋଲିସର ସମନ୍ୱିତ ଉଦ୍ୟମରୁ ଏହି ସଫଳତା ମିଳିଛି ।
କହି ରଖୁଛୁ ଯେ ମାର୍ଚ୍ଚ ୧ରେ ପୂର୍ବ ବେଙ୍ଗାଲୁରୁର ବ୍ରୁକ୍ଫିଲ୍ଡ ଅଞ୍ଚଳରେ ଥିବା ରାମେଶ୍ୱରମ୍ କାଫେରେ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ୧୦ ଜଣ ଆହତ ହୋଇଥିଲେ । IED ଜରିଆରେ ଏହି ବିସ୍ଫୋରଣ ଘଟାଯାଇଥିବା ସନ୍ଦେହ କରାଯାଉଥିଲା । ରାମେଶ୍ୱରମ୍ ବେଙ୍ଗାଲୁରୁର ଅତି ପ୍ରସିଦ୍ଧ ଭୋଜନାଳୟ । ଏଠାରେ ସବୁବେଳେ ଲୋକଙ୍କ ଭିଡ଼ ଲାଗି ରହିଥାଏ ।