ଉଡ଼ାଣ ଭରିବାର ମାତ୍ର କିଛି ସେକେଣ୍ଡ ପରେ ସୈନ୍ୟବାହିନୀର ବିମାନ ଦୁର୍ଘଟଣାଗ୍ରସ୍ତ, ୭ ଜଣଙ୍କ ମୃତ୍ୟୁ

ନାଇଜେରିଆର ରାଜଧାନୀ ଅବୁଜାରେ ରବିବାର ସେନାର ଏକ ବିମାନ ଦୁର୍ଘଟଣାଗସ୍ତ ହୋଇଛି। ଫଳରେ ଏଥିରେ ଥିବା ୭ ଜଣଙ୍କ ଜୀବନ ଚାଲିଯାଇଛି। ରିପୋର୍ଟ ମୁତାବକ, ଅବୁଜାରେ ବାୟୁସେନା ପ୍ରବକ୍ତା ଇବିକୁନଲେ ଦାରାମୋଲା ଏହି ଦୁର୍ଘଟଣା ବିଷୟରେ ସୂଚନାଦେବା ଅବସରରେ କହିଛନ୍ତି, ନାଇଜେରିଆ ବାୟୁସେନାର ବିମାନ କିଙ୍ଗ୍‌ ଏୟାର ୩୫୦ ଆଇ ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ ଏହାର ଇଞ୍ଜିନ୍‌ରେ କିଛି ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡ଼ିଥିଲା। ପରେ ବିମାନକୁ ପୁଣିଥରେ ଏୟାରପୋର୍ଟକୁ ଫେରାଇଆଣିବାକୁ ଚେଷ୍ଟା କରାଯାଇଥିଲା। ମାତ୍ର ଦୁର୍ଭାଗ୍ୟବଶତଃ ଏହା ଦୁର୍ଘଟଣାର ଶିକାର ହୋଇଛି।

ଦାରାମୋଲା କହିଛନ୍ତି, ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି। ମାତ୍ର ଏହି ଦୁର୍ଘଟଣାରେ ବିମାନରେ ଉପସ୍ଥିତ ସମସ୍ତ ୭ ଯବାନଙ୍କ ମୃତ୍ୟୁ ଘଟିଛି। ବାୟୁସେନା ତରଫରୁ ଏହି ଦୁର୍ଘଟଣାର ତତ୍କାଳୀନ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଜନତାଙ୍କୁ ଶାନ୍ତ ରହି ତଦନ୍ତର ଫଳାଫଳକୁ ଅପେକ୍ଷା କରିବାକୁ ଅନୁରୋଧ କରାଯାଇଛି।

ମିଳିଥିବା ସୂଚନାନୁସାରେ ବିମାନର ଭଏସ୍‌ ରେକର୍ଡ ଉଦ୍ଧାର ହୋଇଛି। ମାତ୍ର ନିଜ ନାଁ ଗୁପ୍ତ ରଖି ଜଣେ ସୂତ୍ର କହିଛନ୍ତି, ମିଳିଥିବା ଭଏସ୍‌ ରେକର୍ଡ ମୁତାବକ ପାଇଲଟ୍‌ ଆପାତକାଳର ଘୋଷଣା କରିନଥିଲେ। ସେମାନେ ବୋଧେ କୌଣସି ମତେ ରନ୍ ୱେ ଯାଏଁ ବିମାନକୁ ଆଣିବେ ବୋଲି ଚିନ୍ତା କରିଥିଲେ, ଯାହା ଘଟଣାସ୍ଥଳରୁ ମାତ୍ର ୪୦୦ ମିଟର ଦୂରରେ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.