Below header

କଣ ଶେଷରେ ନ୍ୟାୟ ପାଇବ ନିର୍ଭୟା, କାଲିର ଫାଶୀକୁ ନେଇ ଚାଲିଛି କଳ୍ପନା ଜଳ୍ପନା

ନୂଆଦିଲ୍ଲୀ : ନିର୍ଭୟା ଗଣ ଦୁଷ୍କର୍ମ ଘଟଣା ଘଟିଥିଲା ୨୦୧୨ ମସିହାରେ । ଏବେ ୨୦୨୦ ହେଲାଣି । ଅଥଚ ଏଯାଏ ଏହାର ଦୋଷୀମାନେ ଜେଲ୍‌ରେ ସଜା କାଟୁଛନ୍ତି । ସେମାନଙ୍କୁ ଫାଶୀଦଣ୍ଡାଦେଶ ହୋଇ ସାରିଥିଲେ ମଧ୍ୟ ବିଭିନ୍ନ କୌଶଳ କରି ଆଇନ୍‌ର ଗଳାବାଟରେ ଦୋଷୀଙ୍କ ଓକିଲ ସେମାନଙ୍କ ଦଣ୍ଡ ଘୁଞ୍ଚାଇ ଚାଲିଛନ୍ତି । ଆଜି ସୁପ୍ରିମ୍‌ କୋର୍ଟ ଅନ୍ୟତମ ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ୍‌ ପିଟିସନ୍‌କୁ ଖାରଜ କରି ଦେଇଛନ୍ତି । ଏହା ପରେ ସେ ରାଜକ୍ଷମା ଆବେଦନ କରିଛି । ସେହିପରି ଅକ୍ଷୟ ସିଂହ ମଧ୍ୟ ଆଉଥରେ ରାଜକ୍ଷମା ଆବେଦନ କରିଛି । ଏ ସବୁ ଭିତରେ କିନ୍ତୁ ପାତିଆଲା ହାଉସ୍‌ କୋର୍ଟ ଫାଶୀ ତାରିଖ ଘୁଞ୍ଚାଇବାକୁ ମନା କରି ଦେଇଛନ୍ତି । ତେଣୁ ଆସନ୍ତାକାଲି ସକାଳ ୬ଟାରେ ତିହାର ଜେଲ୍‌ ଭିତରେ ନିର୍ଭୟା ଗଣଦୁଷ୍କର୍ମ ଘଟଣାର ଚାରି ଦୋଷୀଙ୍କୁ ଫାଶୀ ଦିଆଯିବ ବୋଲି ଶତପ୍ରତିଶତ ସମ୍ଭାବନା ବଢ଼ିଛି ।

ଶେଷ ବିକଳ୍ପ

ଏବେ ଗୋଟିଏମାତ୍ର ବିକଳ୍ପ ବା ଫାଶୀ ଘୁଞ୍ଚାଇବାର ସୁଯୋଗ କେବଳ ରହିଛି ପବନ ଗୁପ୍ତା ପାଖରେ । ସେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି । ଯଦି ରାଷ୍ଟ୍ରପତି ଏହକୁ ଖାରଜ କରି ଦିଅନ୍ତି ତେବେ ଆଇନ୍‌ ଅନୁସାରେ ତାକୁ ଫାଶୀ ପାଇଁ ୧୪ ଦିନ ସମୟ ଦିଆଯିବ । ଅବଶ୍ୟ ଏସବୁକୁ ବୁଝି ବିଚାରି ପାତିଆଲା ହାଉସ୍‌ କୋର୍ଟ ଫାଶୀ ଦିନ ଘୁଞ୍ଚାଇବାକୁ ମନା କରି ଦେଇଛନ୍ତି ।

ପହଞ୍ଚି ସାରିଛନ୍ତି ପବନ ଜହ୍ଲାଦ

ପୂର୍ବରୁ ଦୁଇଥର ତାରିଖ ଘୁଞ୍ଚିବା ପରେ ପାତିଆଲା ହାଉସ୍‌ କୋର୍ଟ ମାର୍ଚ୍ଚ ୩ ତାରିଖ ଅର୍ଥାତ୍‌ ଆସନ୍ତାକାଲିକୁ ଫାଶୀ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ଏମିତିକି ଏଥିରେ କୌଣସି ପରିବର୍ତ୍ତନ ନକରିବାକୁ ମଧ୍ୟ ଆଜି ସଫା ମନା କରି ଦେଇଛନ୍ତି । ସେପଟେ ତାରିଖକୁ ଦୃଷ୍ଟିରେ ରଖି ଫାଶୀ ଦେବା ପାଇଁ ଗତକାଲି ଠାରୁ ତିହାର ଜେଲ୍‌ରେ ଆସି ପହଞ୍ଚି ସାରିଛନ୍ତି ପବନ ଜହ୍ଲାଦ । ତାଙ୍କୁ ଫାଶୀ ଦିଆଯିବାକୁ ଥିବା ତିନି ନମ୍ବର ଜେଲ୍‌ରେ ପହଞ୍ଚି ସେ ସମସ୍ତ ଯାଞ୍ଚ କରି ସାରିଛନ୍ତି । ଆଜି ଫାଶୀର ରିହରସାଲ କରିବେ ।
କାଲିର ଫାଶୀ ପାଇଁ ଜେଲ୍‌ କର୍ତ୍ତୃପକ୍ଷ ପ୍ରସ୍ତୁତି ଚଳାଇଥିବା ବେଳେ ଆଜି ନିର୍ଭୟା ଦୋଷୀଙ୍କର ଶେଷ ରାତି ହେବ ବୋଲି ମନେ କରାଯାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.