ଆସନ୍ତା ୧୫ ତାରିଖରେ ନୀତି ଆୟୋଗ ବୈଠକ, ରାଜ୍ୟଗୁଡ଼ିକ ସହ ପଞ୍ଚସୂତ୍ରୀ ଏଜେଣ୍ଡା ଉପରେ ହେବ ଆଲୋଚନା

ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆସନ୍ତା ୧୫ ତାରିଖରେ ରହିଛି ନୀତି ଆୟୋଗ ବୈଠକ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥର ନୀତି ଆୟୋଗ ବୈଠକରେ ପଞ୍ଚ ସୂତ୍ରୀ ଏଜେଣ୍ଡା ଉପରେ ସମସ୍ତ ରାଜ୍ୟଗୁଡ଼ିକ ସହ ଆଲୋଚନା କରିବେ କେନ୍ଦ୍ର ସରକାର। ଫୋକସରେ ରହିଛି ମରୁଡ଼ି ଓ ରିଲିଫ ପ୍ରଦାନ। ଚଳିତବର୍ଷ ଦେଶରେ ୨୫ ପ୍ରତିଶତ କମ୍‌ ପ୍ରାକ୍‌ ମୌସୁମୀ ବର୍ଷା ହୋଇଛି। ଏହାର ପ୍ରଭାବ ୫୦ କୋଟି ଲୋକ ପ୍ରଭାବିତ ଆଶଙ୍କ ରହିଛି। ଏଭଳି ସ୍ଥିତିରେ ରିଲିଫ ଓ ସହୟତା ପ୍ରଦାନ ନେଇ ରାଜ୍ୟଗୁଡ଼ିକ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ।

ଆଲୋଚନାର ଅନ୍ୟତମ ପ୍ରସଙ୍ଗ ରହିବ ବର୍ଷା ଜଳ ଅମଳ। ତାସହ କୃଷି କ୍ଷେତ୍ରରେ ଢାଞ୍ଚାଗତ ପରିବର୍ତ୍ତନ ଓ କୃଷି ବଜାର ସୃଷ୍ଟି ଉପରେ ବି ଗୁରୁତ୍ୱାରୋପ କରୁଛନ୍ତି କେନ୍ଦ୍ର ସରକାର। ଏହା ଆକାଂକ୍ଷା ଜିଲ୍ଲା ସମ୍ପର୍କରେ ବି ରାଜ୍ୟଗୁଡ଼ିକ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଉଭୟ କେନ୍ଦ୍ର ଓ ରାଜ୍ୟର ମିଳିତ ସହଭାଗିତାରେ ଆକାଂକ୍ଷା ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଜଳସମ୍ପଦ, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଦକ୍ଷତା ବିକାଶ ବୃଦ୍ଧି ନେଇ ରୋଡମ୍ୟାପ୍‌ ପ୍ରସ୍ତୁତ କରୁଛନ୍ତି ସରକାର। ସୁରକ୍ଷା ବିଶେଷ କରି ମାଓ ଉପଦ୍ରବ ଉପରେ ବି ନୀତି ଆୟୋଗ ବୈଠକରେ ଆଲୋଚନା ହେବ। ଏସବୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ମତ ରଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।