AIIMSରେ ଏବେ ଏହି ସମସ୍ତ ପରୀକ୍ଷା ହେବ ମାଗଣା, ପ୍ରସ୍ତାବ ଅନୁମୋଦନ କଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ; ୫୦୦ ଟଙ୍କାରୁ କମ୍ ଫି’ଯୁକ୍ତ ଡାକ୍ତରୀ ଟେଷ୍ଟ ଅନ୍ତର୍ଭୁକ୍ତ

ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରୋଗୀଙ୍କ ଚିକିତ୍ସାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି। AIIMS ଏବେ ୫୦୦ ଟଙ୍କାରୁ କମ୍ ଫି’ ଯୁକ୍ତ ସମସ୍ତ ଡାକ୍ତରୀ ପରୀକ୍ଷା ପାଇଁ କୌଣସି ଦେୟ ଆଦାୟ ନ କରିବାକୁ ନିଷ୍ପତ୍ତି ନେଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଏହି ସମ୍ବନ୍ଧରେ ଦିଆଯାଇଥିବା ସୁପାରିଶକୁ ଅନୁମୋଦନ କରାଯାଇଛି। ଏହି ସୁପାରିଶ ପାଖାପାଖି ଚାରି ବର୍ଷ ପୂର୍ବେ ମନ୍ତ୍ରଣାଳୟକୁ ଯାଇଥିଲା। ସୂଚନା ମୁତାବକ, ଏହି ନିଷ୍ପତ୍ତି ପରେ ବର୍ତ୍ତମାନ AIIMSରେ ରକ୍ତ ପରୀକ୍ଷାଠାରୁ ଆରମ୍ଭ କରି ଏକ୍ସ-ରେ, ସିଟି ସ୍କାନ୍ ଇତ୍ୟାଦି ସମସ୍ତ ପରୀକ୍ଷଣର ସୁବିଧା ମାଗଣାରେ ଉପଲବ୍ଧ ହେବ।
କହି ରଖୁଛୁ, ଆଜି ପର୍ଯ୍ୟନ୍ତ ଏ ସମସ୍ତ ପରୀକ୍ଷା ପାଇଁ AIIMSରେ ଥିବା କାଉଣ୍ଟରରେ ଫି’ ଜମା କରିବାକୁ ପଡ଼ୁଥିଲା। ସୂଚନାଥାଉ କି, ୫୦୦ ଟଙ୍କା ଭିତରେ ପ୍ରତିଦିନ AIIMSରେ ପାଖାପାଖି ୫୦ରୁ ୮୦ ହଜାର ପରୀକ୍ଷା କରାଯାଇଥାଏ। କିନ୍ତୁ ଏବେ ଏହି ଫି’କୁ ମୁକ୍ତ କରାଯିବା ପରେ ରୋଗୀମାନଙ୍କୁ ବହୁତ ଆରାମ ମିଳି ପାରିବ। ଏଥି ସହିତ ରୋଗୀମାନଙ୍କୁ ଏହି ପରୀକ୍ଷା ରିପୋର୍ଟ ସେହି ଦିନ ହିଁ ଅନଲାଇନରେ ପ୍ରଦାନ କରାଯିବ।
ଚାରି ବର୍ଷ ପୂର୍ବେ ଯାଇଥିଲା ପ୍ରସ୍ତାବ
କହି ରଖୁଛୁ କି, AIIMS ନିର୍ଦ୍ଦେଶକ ଡାକ୍ଟର ରଣଦୀପ ଗୁଲେରିଆଙ୍କ ଦ୍ୱାରା ଗତ ନଭେମ୍ବର ୨୦୧୭ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ସୁପାରିଶ କରାଯାଇଥିଲା। ଏହି ସୁପାରିଶରେ ନିର୍ଦ୍ଦେଶକ କହିଥିଲେ ଯେ ଏହିଭଳି ପରୀକ୍ଷା ଏବଂ ଚିକିତ୍ସାରେ ରୋଗୀମାନଙ୍କର ବହୁତ ଖର୍ଚ୍ଚ ହୋଇଯାଏ। ଏଥିପାଇଁ ରୋଗୀମାନଙ୍କୁ ଆରାମ ଦେବା ପାଇଁ ଏହି ଶୁଳ୍କ ରଦ୍ଦ କରାଯିବା ଉଚିତ ଏବଂ ଏହାକୁ ସମ୍ପୂର୍ଣ୍ଣ ମାଗଣା କରାଯିବା ଉଚିତ।
ଲମ୍ବା ସମୟରୁ ମନ୍ତ୍ରାଳୟରେ ଲଟକି ଥିଲା ପ୍ରସ୍ତାବ
ଏହି ପ୍ରସ୍ତାବ ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଝୁଲି ରହିଥିଲା। ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ଟର ମନସୁଖ ମାଣ୍ଡଭିୟା AIIMS ହସ୍ପିଟାଲ ପରିଦର୍ଶନ କରିଥିଲେ। ଏହି ବିଷୟରେ ସେ ସମୟରେ ମଧ୍ୟ ଆଲୋଚନା କରାଯାଇଥିଲା ଏବଂ AIIMSର ବରିଷ୍ଠ ଡାକ୍ଟର ଶିବ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ବି ଗଠନ କରାଯାଇଥିଲା, ଯାହାକି AIIMSର ସ୍ୱାସ୍ଥ୍ୟ ସେବା ଏବଂ ବ୍ୟବସ୍ଥାରେ ସୁଧାର ଆଣିବା ଉପରେ ବିଚାର ବିମର୍ଶ କରି ରିପୋର୍ଟ ଦାଖଲ କରିବ।