ଏବେ ସବୁ ବୁଲେଟିନ୍‌ ପୂର୍ବରୁ ‘ପାକିସ୍ତାନର ମାନଚିତ୍ର’ ଦେଖାଇବେ ନ୍ୟୁଜ୍‌ ଚ୍ୟାନେଲ, ଇମ୍ରାନ୍‌ ସରକାରଙ୍କ ନୂଆ ଆଦେଶ

ପାକିସ୍ତାନ ସରକାର ତାଙ୍କ ପ୍ରକୃତି ଛାଡ଼ିବା ମୁଡ୍‌ରେ ଆଦୌ ନାହାନ୍ତି। ଭାରତ ସହ ସବୁବେଳେ ଶତ୍ରୁତା ରଖିବା ମନୋବୃତ୍ତି ରଖିଛନ୍ତି ପାକ୍‌ ସରକାର। ଏବେ ଏହି କାମ କରିବାକୁ ସେ ଆଉ ପାଦେ ଆଗକୁ ଯାଇଛନ୍ତି। ରିପୋର୍ଟ ମୁତାବକ, ପାକ୍‌ ସରକାର ଏବେ ତାଙ୍କର ସମସ୍ତ ନ୍ୟୁଜ୍‌ ଚ୍ୟାନେଲକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ବୁଲେଟିନ୍‌ ପୂର୍ବରୁ ଯେମିତି ବି ହେଉ ପାକିସ୍ତାନର ମାନଚିତ୍ରକୁ ୨ ସେକେଣ୍ଡ ପାଇଁ ଦେଖାଇବେ।

ପାକିସ୍ତାନ ଇଲେକ୍ଟ୍ରୋନିକ୍‌ ମିଡିଆ ରେଗୁଲେଟରି ଅଥରିଟି (ପେମ୍‌ରା) ଏକ ନୋଟିଫିକେସନ୍‌ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ଯେ ସମସ୍ତ ନ୍ୟୁଜ୍‌ ଚ୍ୟାନେଲରେ ପ୍ରତିଦିନ ନ୍ୟୁଜ୍‌ ବୁଲେଟିନ୍‌ ପୂର୍ବରୁ ୨ ସେକେଣ୍ଡ୍‌ ପାଇଁ ‘ପାକିସ୍ତାନର ପଲିଟିକାଲ ମ୍ୟାପ୍‌’ ଦେଖାଇବେ। ଏହି ମ୍ୟାପ୍‌ ଦେଖାଇବାକୁ କହିବା ପଛରେ ପାକ୍‌ ସରକାରଙ୍କର ଖରାପ ଉଦ୍ଦେଶ୍ୟ ରହିଛି। ଏହା ମାଧ୍ୟମରେ ସେ ଦେଶର ଲୋକଙ୍କୁ ଦେଖାଇବାକୁ ଚାହୁଁଛନ୍ତି ଯେ ଜମ୍ମୁ-କଶ୍ମୀର ଭାରତର ନୁହେଁ ବରଂ ଏବେ ପାକିସ୍ତାନ ପାଖରେ ରହିଛି। ଏହି ଋଣନୀତି ଆପଣାଇ ଭୋଟ୍‌ ହାତେଇବାକୁ ଚିନ୍ତା କରିଛନ୍ତି ଇମ୍ରାନ୍‌ ଖାନ୍‌।

‘ପେମ୍‌ରା’ର ନିର୍ଦ୍ଦେଶ ମୁତାବକ, ଦେଶର ସମସ୍ତ ସରକାରୀ ଓ ବେସରକାରୀ ନ୍ୟୁଜ୍‌ ଚ୍ୟାନେଲରେ ପ୍ରତିଦିନ ରାତି ୯ଟାର ନ୍ୟୁଜ୍‌ ବୁଲେଟିନ୍‌ ଆରମ୍ଭ ପୂର୍ବରୁ ୨ ସେକେଣ୍ଡ ପାଇଁ ଦେଶର ମାନଚିତ୍ର ଦେଖାଇବାକୁ ପଡ଼ିବ। ପାକିସ୍ତାନ ଇଲେକ୍ଟ୍ରୋନିକ୍‌ ମିଡିଆ ରେଗୁଲେଟରି ଅଥରିଟି ଏହି ନିର୍ଦ୍ଦେଶରେ କହିଛି, ସମସ୍ତ ନ୍ୟୁଜ୍‌ ଚ୍ୟାନେଲ ଏହି ମ୍ୟାପ୍‌ ଦେଖାଇବା ବାଧ୍ୟତାମୂଳକ। ଯେଉଁ ଚ୍ୟାନେଲ ଏହାକୁ ନ ଦେଖାଇବ ତା’ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ ଯେ ମାନଚିତ୍ର ଦେଖାଇବାକୁ ଦିଆଯାଇଥିବା ଚିଠିରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର ନାଁ ଲେଖାଯାଇଛି। ପ୍ରକାଶ ଯେ ପେମ୍‌ରା ହେଉଛି ପାକିସ୍ତାନର ମିଡିଆ ଅଥରିଟି। ଏହା ପୂର୍ବରୁ ମଧ୍ୟ ପେମ୍‌ରା ଉପରେ ନ୍ୟୁଜ୍‌ ଚ୍ୟାନେଲ ବିରୋଧରେ କେତେକ ନିର୍ଦ୍ଦେଶ ଜରିଆରେ କଠୋର ନୀତି ଆପଣାଇବା ନେଇ ଅଭିଯୋଗ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.