ପାକିସ୍ତାନର ପ୍ରତିରକ୍ଷା ବିଶେଷଜ୍ଞ କହିଲେ ତାଙ୍କ ଦେଶ ଭାରତ ସହ ଯୁଦ୍ଧ କରିବା ସ୍ଥିତିରେ ନାହିଁ

ଲଣ୍ଡନ୍‌ : ଭାରତ ସହ ଯୁଦ୍ଧ କରିବା ସ୍ଥିତିରେ ପାକିସ୍ତାନ ନାହିଁ । ଏକଥା ସ୍ପଷ୍ଟ ଭାବେ କହିଛନ୍ତି ପାକିସ୍ତାନର ବରିଷ୍ଠ ପ୍ରତିରକ୍ଷା ବିଶେଷଜ୍ଞ ଆୟେଶା ସିଦ୍ଦିକା । କଶ୍ମୀର ପ୍ରସଙ୍ଗରେ ସେ ଏହି ମତ ରଖିଛନ୍ତି । ଆୟେଶା କହିଛନ୍ତି, ପାକିସ୍ତାନର ଅର୍ଥନୀତି ଏବେ ଏଭଳି ସ୍ଥିତିରେ ଯେ ଲୋକେ ଦରବୃଦ୍ଧି ସହ ସଂଘର୍ଷ କରୁଛନ୍ତି । ସେ ଆହୁରି କହିଛନ୍ତି ଯେ ମୁଁ ପାକ୍‌ ଅଧିକୃତ କଶ୍ମୀରରେ ଜଣେ ବନ୍ଧୁଙ୍କ ସହ କଥା ହୋଇଥିଲି । କାହିଁକି ପାକିସ୍ତାନ ସେନା ଭାରତ ଉପରେ ଆକ୍ରମଣ କରୁ ନାହିଁ ବୋଲି ପଚାରିଥିଲି । ତାଙ୍କ ଉତ୍ତର ଥିଲା, ହାରିଯିବା ଭୟରେ ପାକିସ୍ତାନ ସେନା ଆକ୍ରମଣ କରୁନାହିଁ । ଏମିତିକି ଭାରତ ବିରୋଧରେ ସବୁବେଳେ କହୁଥିବା ସେଠାକାର ସାଧାରଣ ଲୋକ ମଧ୍ୟ ଅନୁଭବ କରୁଛନ୍ତି ଯେ ବର୍ତ୍ତମାନ ଆଦୌ ଯୁଦ୍ଧର ସମୟ ନୁହେଁ ।

ଆୟେଶା କହିଛନ୍ତି, ଜାତିସଂଘରେ କଶ୍ମୀର ପ୍ରସଙ୍ଗକୁ ଉଠାଇ ପାକିସ୍ତାନ ମାତ୍‌ ଖାଇ ସାରିଛି । ତେଣୁ ବିଶ୍ୱ ସମୁଦାୟରେ ସିଭିଲ ସୋସାଇଟି ଠାରୁ ସମର୍ଥନ ହାସଲ କରିବାର ପ୍ରୟାସ କରୁନାହିଁ । ଆତଙ୍କବାଦକୁ ଦମନ କରିବା ଏବଂ ରାଜନୈତିକ ସ୍ତରରେ କିଛି ବଡ଼ ତ୍ରୁଟି ପାକିସ୍ତାନକୁ ସମସ୍ୟାରେ ପକାଇଛି । ଗତ ୭୨ ବର୍ଷ ହେଲା ପାକିସ୍ତାନ ସେନାର ଗୋଟିଏ ମାତ୍ର ଲକ୍ଷ୍ୟ ରହିଥିଲା ‘ଭାରତ ଓ କଶ୍ମୀର’ । ଅଚାନକ ଦିନେ ସକାଳେ ଉଠି ଦେଖିଲା ବେଳକୁ ସବୁ କିଛି ଶେଷ ହୋଇଯାଇଛି । କାରଣ ଭାରତ ସମ୍ପୂର୍ଣ୍ଣ ରୂପେ କଶ୍ମୀରକୁ ନିଜ ଅକ୍ତିଆରକୁ ନେଇଛି । ତେଣୁ ପାକିସ୍ତାନ ସେନାରେ ଅନେକ ଅଧିକାରୀ ଅଛନ୍ତି ଯେଉଁମାନଙ୍କ ଭିତରେ ଅସନ୍ତୋଷ କୁହୁଳୁଛି । ସେମାନେ ନିଶ୍ଚୟ ଦିନେ ପ୍ରଶ୍ନ ଉଠାଇବେ ଯେ କାହିଁକି ଭାରତ ସହ ଯୁଦ୍ଧ କରୁ ନାହିଁ ତାଙ୍କ ଦେଶ ।
ଆୟେଶା ହେଉଛନ୍ତି ଜଣେ ପ୍ରତିରକ୍ଷା ବିଶେଷଜ୍ଞ ଓ ଜଣାଶୁଣା ଲେଖିକା । ‘ମିଲିଟାରୀ ଆଇଏନ୍‌ସି.. ଇନ୍‌ସାଇଡ୍‌ ପାକିସ୍ତାନ୍‌ସ ମିଲିଟାରୀ ଇକନୋମି’ ପୁସ୍ତକ ରଚନା କରିଛନ୍ତି । ତେବେ ଆୟେଶାଙ୍କ ଏଭଳି ବାସ୍ତବଧର୍ମୀ ଟ୍ଵିଟ୍‌ ପାକିସ୍ତାନରେ ଝଡ଼ ସୃଷ୍ଟି କରିଛି । ସେମାନେ ଆୟେଶାଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.