ଭାରତରୁ ଉଡି ପାକିସ୍ତାନରେ ପଡିଲା ଏହି ବିଚିତ୍ର ବସ୍ତୁ : ପାକ୍ ସେନା ଦେଲା ଏପରି ମନ୍ତବ୍ୟ

ନୂଆଦିଲ୍ଲୀ : ଗୁରୁବାର ଦିନ ପାକିସ୍ତାନୀ ସେନା ଦାବି କରିଛି ଯେ ପଞ୍ଜାବ ପ୍ରଦେଶର ଖାନୱାଲ ଜିଲ୍ଲାର ମିଆନ ଚାନ୍ନୁରେ ଭାରତରୁ ଉଡିଆସିଥିବା ଏକ ବସ୍ତୁ ଖସିପଡି ଧ୍ୱଂସ ହୋଇଯାଇଛି। ମାର୍ଚ୍ଚ ୯, ବୁଧବାର ଦିନ ସନ୍ଧ୍ୟା ୭ଟା ବେଳେ ଏହି ଘଟଣା ଘଟିଛି।ପାକିସ୍ତାନୀ ସେନାର ମୁଖପାତ୍ର ମେଜର ଜେନେରାଲ ବାବର ଇଫ୍ଟିଖର ଗଣମାଧ୍ୟମକୁ କହିଛନ୍ତି ଯେ ଭାରତୀୟ ଅଞ୍ଚଳରୁ ଉଚ୍ଚ ବେଗରେ ଉଡ଼ୁଥିବା ଏକ ବସ୍ତୁ ପାକିସ୍ତାନୀ ଅଞ୍ଚଳରେ ପହଞ୍ଚି ତଳେ ପଡ଼ିଯାଇ ନଷ୍ଟ ହୋଇଯାଇଥିଲା। ଏହି ଘଟଣାରେ କେତେକ ଅଞ୍ଚଳର ସମ୍ପତ୍ତି ନଷ୍ଟ ହୋଇଯାଇଥିଲା କିନ୍ତୁ କାହାରି ମୃତ୍ୟୁ ଘଟି ନଥିଲା।
ତେବେ ଏହି ଘଟଣାକୁ ନେଇ ଭାରତୀୟ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ମୁଖପାତ୍ର କହିଛନ୍ତି ଯେ ଏହି ବସ୍ତୁ ଭୂପୃଷ୍ଠରୁ ଉତକ୍ଷେପଣ କରାଯାଇଛି। ଏକ ପ୍ରଶ୍ନର ଉତ୍ତରରେ ମୁଖପାତ୍ର କହିଛନ୍ତି ଯେ ଏହାକୁ କେହି ଆକ୍ରମଣ କରି ଖସାଇନାହାନ୍ତି ବରଂ ତାହା ନିଜେ ଖସିପଡିଛି। ଏହି ବସ୍ତୁ ୪୦,୦୦୦ ଫୁଟ ଉଚ୍ଚରେ ଉଡୁଥିବାର ମୁଖପାତ୍ର ଦାବି କରିଛନ୍ତି। ଏହା ପାକିସ୍ତାନର ବାୟୁସେନାର ଅନେକ ବିମାନକୁ ବିପଦରେ ପକାଇ ଦେଇଥିଲା। ଏହା ମଧ୍ୟ କହିଥିଲେ ଯେ ବସ୍ତୁଟି ପଡିବା ପୂର୍ବରୁ ପ୍ରାୟ ୨୦୭ କିଲୋମିଟର ଯାତ୍ରା କରିଥିଲା।
ରାୱଲପିଣ୍ଡିର ମେଜର ଜେନେରାଲ ବାବର ଇଫ୍ଟିଖର କହିଛନ୍ତି ଯେ ପାକିସ୍ତାନ ଏହି ଘଟଣାକୁ ଦୃଢ ନିନ୍ଦା କରିଛି ଏବଂ ଭାରତ ଠାରୁ ସ୍ପଷ୍ଟୀକରଣ ମାଗିଛି। ସେ ଦାବି କରିଛି ଯେ ଭାରତରୁ ପାକିସ୍ତାନକୁ ପ୍ରବେଶ କରିବା ପରେ ଏହି ବିଚିତ୍ର ବସ୍ତୁର ଗତି ଘଣ୍ଟା ପ୍ରତି ୧୨୪ କିଲୋମିଟର ଥିଲା। ସେ କହିଛନ୍ତି ଯେ ଆମେ ବସ୍ତୁକୁ ଠିକ୍ ସମୟରେ ଚିହ୍ନଟ କରିଥିଲୁ ଏବଂ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି (SOP) ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲୁ। ଏହି ଘଟଣାରେରେ କୌଣସି ମୃତାହତ ହୋଇ ନ ଥିବା ବାବୁର କହିଛନ୍ତି।
ISPR କହିଛି ଯେ ମାର୍ଚ୍ଚ ୯ ସନ୍ଧ୍ୟା ୬:୪୩ ରେ ପାକିସ୍ତାନ ବାୟୁସେନାର ବାୟୁ ପ୍ରତିରକ୍ଷା ଅପରେସନ୍ ସେଣ୍ଟର ଭାରତୀୟ ଅଞ୍ଚଳ ମଧ୍ୟରେ ଏକ ହାଇ ସ୍ପିଡ୍ ଫ୍ଲାଇଙ୍ଗ ବସ୍ତୁ ଚିହ୍ନଟ କରିଛି। ତେବେ ଏହା ପ୍ରାରମ୍ଭିକ ପଥରୁ ବିଚ୍ୟୁତ ହୋଇ ପାକିସ୍ତାନୀ ଅଞ୍ଚଳରେ ପ୍ରବେଶ କରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି କାରଣରୁ ପାକିସ୍ତାନର ନାଗରିକ ପ୍ରତିଷ୍ଠାନଗୁଡ଼ିକରେ କିଛି କ୍ଷତି ଘଟିଥିଲା।
ଏଥି ସହିତ ବସ୍ତୁର ଉଡ଼ାଣ ପଥ ଉଭୟ ପାକିସ୍ଥାନ ଏବଂ ଭାରତରେ ସାଧାରଣ ନାଗରିକଙ୍କୁ ବିପଦରେ ପକାଇଛି ବୋଲି ପାକିସ୍ତାନ ଦାବି କରିଛି। ଏହି ପ୍ରସଙ୍ଗରେ ଭାରତରୁ ଏକ ସ୍ପଷ୍ଟୀକରଣ ନିଆଯାଇଛି ଯେଉଁଥିରେ ଏହାର କାରଣ ପଚରାଯାଇଛି।